ଭୁବନେଶ୍ୱର : ଓଡିଶା ବିଶ୍ୱବିଦ୍ୟାଳୟ ଆଇନ୍ରେ ସଂଶୋଧନ ପାଇଁ ଥିବା ପ୍ରସ୍ତାବ ଏଯାବତ୍ ବିଧାନସଭାରେ ଗୃହୀତ ହୋଇନଥିବାରୁ ରାଜ୍ୟର ସରକାରୀ ବିଶ୍ୱବିଦ୍ୟାଳୟଗୁଡିକରେ କୁଳପତି, ଶିକ୍ଷକ ଓ ଅଣଶିକ୍ଷକ ନିଯୁକ୍ତି ଘେନି ସମସ୍ୟା ଗମ୍ଭୀର ହେବାରେ ଲାଗିଛି । ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡାକି ଏହି ବିଧେୟକ ଉପରେ ନିଷ୍ପତ୍ତି ନେବାଲାଗି ଶିକ୍ଷାବିତ୍ ଓ ଚିନ୍ତାଶୀଳ ବ୍ୟକ୍ତିମାନେ ମତବ୍ୟକ୍ତ କରୁଥିବାବେଳେ ସଂଖ୍ୟାଧିକ ଛାତ୍ର ସଂଗଠନ କିନ୍ତୁ ଏ ପ୍ରସଙ୍ଗରେ ନିରବ ।
ଓଡିଶାରେ ଏବେ ୪୩ଟି ବିଶ୍ୱବିଦ୍ୟାଳୟ ଥିବାବେଳେ ସେଥିରୁ ୨୭ଟି ହେଉଛି ସରକାରୀ । ଏହି ସରକାରୀ ବିଶ୍ୱବିଦ୍ୟାଳୟଗୁଡିକ ମଧ୍ୟରୁ ୧୭ଟି ରହିଛି ଉଚ୍ଚଶିକ୍ଷା ବିଭାଗ ନିୟନ୍ତ୍ରଣରେ । ଏହି ୧୭ଟି ବିଶ୍ୱବିଦ୍ୟାଳୟ ଭିତରୁ ଏବେ ଅନ୍ୟୁନ ୯ଟିରେ ନିୟମିତ କୁଳପତି ନଥିବାବେଳେ ୨୦୨୫ରେ ଆଉ ୫ଟି ବିଶ୍ୱବିଦ୍ୟାଳୟର କୁଳପତି ପଦବୀ ଖାଲି ହେବାକୁ ଯାଉଛି । ୨୦୨୦ ମସିହାରେ ଓଡିଶା ବିଶ୍ୱବିଦ୍ୟାଳୟ ଆଇନ୍ରେ ଯେଉଁ ସଂଶୋଧନ ଅଣାଯାଇଥିଲା ତାହା ଏବେ ସୁପ୍ରିମ୍କୋର୍ଟରେ ରାଜ୍ୟ ସରକାରଙ୍କୁ କାଠଗଡାରେ ଛିଡା କରାଇଥିବା ପରିପ୍ରେକ୍ଷୀରେ ବିଶ୍ୱବିଦ୍ୟାଳୟଗୁଡିକର କୁଳପତି, ଶିକ୍ଷକ ଓ ଅଣଶିକ୍ଷକ ପଦବୀଗୁଡିକରେ ନିଯୁକ୍ତି ଦିଆଯାଇ ପାରୁନାହିଁ ।
ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ରାଜ୍ୟ ସରକାରଙ୍କ ସଂଶୋଧିତ ଆଇନ୍ର ବୈଧତା ଉପରେ ପ୍ରଶ୍ନ ଉଠାଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ମାମଲାର ସରଳ ଓ ସହଜ ସମାଧାନ ପାଇଁ ସଂଶୋଧିତ ଆଇନ୍ରେ ପୁର୍ନବାର ସଂଶୋଧନ ଆଣି ୟୁଜିସି ମାର୍ଗନିର୍ଦ୍ଦେଶିକାକୁ ଠିକଣା ଭାବେ ସ୍ଥାନିତ କରିବାଲାଗି କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଠାରୁ ଆରମ୍ଭକରି ବହୁ ପୂର୍ବତନ କୁଳପତି, ଶିକ୍ଷାବିତ୍ ମତବ୍ୟକ୍ତ କରିଆସୁଛନ୍ତି । ସମସ୍ୟାର ଗମ୍ଭୀରତା ଦୃଷ୍ଟିରୁ ରାଜ୍ୟ ସରକାର ମଧ୍ୟ ଏ ସଂକ୍ରାନ୍ତରେ କ୍ୟାବିନେଟରେ ପ୍ରସ୍ତାବ ପାରିତ କରି ବିଧାନସଭାରେ ବିଲ୍ ଆଗତ ପାଇଁ ପଦକ୍ଷେପ ନେଇଛନ୍ତି । ତେବେ ବିଧାନସଭାର ଶୀତ ଅଧିବେଶନରେ ଏହି ବିଲ୍ ଉପରେ ଆଲୋଚନା କିମ୍ବା ମତଗ୍ରହଣ କରାଯାଇ ପାରିନାହିଁ । ବିଲ୍ଟି ବିଧାନସଭାରେ ଆଗତ ହୋଇଥିବାରୁ ଏ ସଂକ୍ରାନ୍ତରେ ସରକାର ମଧ୍ୟ ଅଧ୍ୟାଦେଶ ଜାରି କରିବାର ସୁଯୋଗ ନାହିଁ ।
ଏବେ ଖଲ୍ଲିକୋଟ, ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେବ, ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ଆଦିରେ କୁଳପତି ପଦବୀ ଖାଲି ପଡିଥିବାରୁ ଅନ୍ୟ ବିଶ୍ୱବିଦ୍ୟାଳୟର କୁଳପତିମାନଙ୍କୁ ଏଗୁଡିକର ଅତିରିକ୍ତ ଦାୟିତ୍ୱରେ ରଖାଯାଇଛି । ଧରଣୀଧର ଓ ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ କୁଳପତି ନିଯୁକ୍ତି ହୋଇନଥିବାରୁ ସେଠାରେ ଆରମ୍ଭରୁ ଓଏସ୍ଡି କାମ ଚଳାଉଛନ୍ତି । ନିକଟରେ ଉତ୍କଳ, ଗଙ୍ଗାଧରମେହେର ଓ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର କୁଳପତିମାନଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲେ ବି ସେମାନଙ୍କ ସ୍ଥାନରେ ଆଇନ୍ଗତ କାରଣରୁ ନୂଆ କୁଳପତି ନିଯୁକ୍ତି ନଦେଇ ଅନ୍ୟାଦେଶ ପର୍ଯ୍ୟନ୍ତ ସେମାନଙ୍କ କାର୍ଯ୍ୟକାଳ ଅସ୍ଥାୟୀଭାବେ ବଢାଯାଇଛି ।
୨୦୨୫ ମସିହାରେ କଳାହାଣ୍ଡିର ମା’ ମାଣିକେଶ୍ୱରୀ, ବଲାଙ୍ଗିରର ରାଜେନ୍ଦ୍ର ନାରାୟଣ, ବାଲେଶ୍ୱରର ଫକୀରମୋହନ ଏବଂ କଟକର ରେଭେନ୍ସା ଓ ମଧୁସୂଦନ ଆଇନ୍ ବିଶ୍ୱବିଦ୍ୟାଳୟର କୁଳପତିମାନଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି । ରାଜ୍ୟର ସରକାରୀ ବିଶ୍ୱବିଦ୍ୟାଳୟଗୁଡିକରେ ପ୍ରାୟ ୬୦ ପ୍ରତିଶତ ଅଧ୍ୟାପକ ପଦବୀ ଏବଂ ୭୦ ପ୍ରତିଶତ ପାଖପାଖି ଅଣଶିକ୍ଷକ ପଦବୀ ଖାଲି ପଡିଛି । ଆଇନଗତ ଅସୁବିଧା ଯୋଗୁଁ ଏଗୁଡିକରେ ନିଯୁକ୍ତି ଦିଆଯାଇ ପାରୁନାହିଁ ।
ଅତୀତରେ ଓଡିଶା ମୁକ୍ତ ବିଶ୍ୱବିଦ୍ୟାଳୟରେ ଏଭଳି ସମସ୍ୟା ଉପୁଜିଥିବାରୁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ଏଠାରେ ନାମାଙ୍କନ, ପରୀକ୍ଷା ଆଦି ଉପରେ କଟକଣା ଲଗାଇବାକୁ ବାଧ୍ୟ ହୋଇଥିଲେ । ଓଡିଶାର ସରକାରୀ ବିଶ୍ୱବିଦ୍ୟାଳୟଗୁଡିକ ଏବେ ଯେଉଁ ସ୍ଥିତିରେ ଅଛନ୍ତି ସେଥିରୁ କାହାକୁ ଯେ କେତେବେଳେ ୟୁଜିସି ବନ୍ଦ କରିବ ତାହା କହିହେବ ନାହିଁ । (ତଥ୍ୟ)