Home General ବିଧାୟକଙ୍କ ଦରମା ୨ଲକ୍ଷ ୨୫ହଜାରକୁ ବଢିବ

ବିଧାୟକଙ୍କ ଦରମା ୨ଲକ୍ଷ ୨୫ହଜାରକୁ ବଢିବ

ଭୁବନେଶ୍ୱର : ଓଡିଶାର ବିଧାୟକମାନଙ୍କ ବେତନ ଓ ଭତ୍ତା ଆଦି ବଢାଇବା ଲାଗି ଯେଉଁ ପ୍ରସ୍ତାବ ରହିଛି ତାହା କାର୍ଯ୍ୟକାରୀ ହେଲେ ବିଧାୟକମାନେ ମାସକୁ ୨ଲକ୍ଷ ୨୫ହଜାର ଟଙ୍କାରୁ ଅଧିକ ପାଇବେ । ଏହାଛଡା ପୂର୍ବତନ ବିଧାୟକମାନଙ୍କ ପେନ୍‍ସନ ଏବଂ ସେମାନଙ୍କ ମୃତ୍ୟୁ ପରେ ଯେଉଁ ପରିବାର ପେନ୍‍ସନ ମିଳୁଛି ତାହାର ପରିମାଣ ବି ଢେର ବୃଦ୍ଧି ପାଇବ ।

ଏଠାରେ ଉଲ୍ଲେଖନୀୟ ଯେ ଗତ ସରକାର ଅମଳରେ ବରିଷ୍ଠ ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ଅଧ୍ୟକ୍ଷତାରେ ଏ ସଂକ୍ରାନ୍ତରେ ଏକ କମିଟି ଗଠନ କରାଯାଇଥିଲା । ଏହି କମିଟି ୨୦୨୨ ନଭେମ୍ବର ମାସରେ ତାଙ୍କ ସୁପାରିଶ୍‍ ଦେଇଥିଲେ । କମିଟିରେ ଅନ୍ୟମାନଙ୍କ ମଧ୍ୟରେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, ଅନ୍ୟତମ ବିଧାୟକ ତାରା ପ୍ରସାଦ ବାହିନିପତି, ସୀମାରାଣୀ ନାୟକ,ଡକ୍ଟର ନୃସିଂହ ଚରଣ ସାହୁ, ମକରନ୍ଦ ମୁଦୁଲି, ସିଏସ ରାଜନ ଏକ୍କା, ସୁଦାମ ମାର୍ଣ୍ଡି ପ୍ରମୁଖ ବିଧାୟକଙ୍କ ବେତନ ଓ ପେନ୍‍ସନ ବୃଦ୍ଧି ସମ୍ପର୍କିତ ସୁପାରିଶ୍‍ରେ ସହମତି ପ୍ରକାଶ କରିଥିଲେ ।

ଚଳିତ ବିଧାନସଭାରେ ଏ ପ୍ରସଙ୍ଗ ଉଠାଯାଇଛି ଏବଂ ବିଭିନ୍ନ ଦଳର ବିଧାୟକମାନେ ବେତନ ବୃଦ୍ଧି ସପକ୍ଷରେ ମତ ଦେଇଛନ୍ତି । ଏଠାରେ ଉଲ୍ଲେଖନୀୟ ଯେ ୧୯୩୮ରୁ ୨୦୧୭ମଧ୍ୟରେ ବିଧାୟକମାନଙ୍କ ଭତ୍ତା, ବେତନ ଓ ପେନ୍‍ସନ ଆଦି ସଂକ୍ରାନ୍ତରେ ଅନ୍ୟୁନ ୨୪ଥର ସଂଶୋଧନ ହୋଇସାରିଲାଣି । ଏଥର ବେତନ ଭତ୍ତା ଆଦି ବଢିଲେ ତାହା ୨୫ତମ ସଂଶୋଧନ ହୋଇପାରେ ।

୨୦୧୭ ମସିହାରେ ଶେଷଥର ପାଇଁ ବିଧାୟକମାନଙ୍କ ବେତନ, ଭତ୍ତା, ପେନସନ ଆଦି ବୃଦ୍ଧି କରାଯାଇଥିଲା । ଏବେ ସାତବର୍ଷ ପରେ ପୁଣି ତାହା ବଢାଇବାପାଇଁ ପ୍ରସ୍ତାବ ରହିଛି । ୨୦୧୭ ହିସାବରେ ଭତ୍ତାକୁ ମିଶାଇ ଓଡିଶାର ଜଣେ ବିଧାୟକ ମାସିକ ପ୍ରାୟ ଲକ୍ଷେ ଟଙ୍କା ପାଉଥିବାବେଳେ ଯଦି ପରାମର୍ଶଦାତା କମିଟିର ସୁପାରିଶ୍‍ କାର୍ଯ୍ୟକାରୀ ହୁଏ ତେବେ ତାହା ୨ଲକ୍ଷ ୨୫ହଜାର ଟଙ୍କାକୁ ବୃଦ୍ଧି ପାଇବ । ଏଥିରେ ବିଧାୟକମାନଙ୍କ ମାସିକ ବେତନ ୩୫ ରୁ ୬୦ହଜାର ଟଙ୍କାକୁ ଏବଂ ନିର୍ବାଚନମଣ୍ଡଳୀ ଓ ଦପ୍ତର ଭତ୍ତା ୨୦ରୁ ୬୦ହଜାର ଟଙ୍କାକୁ, ଯାତାୟତ ଭତ୍ତା ୧୫ରୁ ୩୦ହଜାର ଟଙ୍କାକୁ, ଅନ୍ୟାନ୍ୟ ଗସ୍ତ ବାବଦ ଭତ୍ତା ୧୦ରୁ ୨୫ହଜାରକୁ, ଖବରକାଗଜ ଓ ପତ୍ରିକା ପାଇଁ ମାସିକ ୨୦୦୦ ଟଙ୍କାରୁ ୫୦୦୦ ଟଙ୍କାକୁ, ଚିକିତ୍ସା ଭତ୍ତା ୫୦୦୦ ରୁ ୧୫,୦୦୦ ଟଙ୍କାକୁ ଏବଂ ଟେଲିଫୋନ୍‍ ଭତ୍ତା ୮୦୦୦ ରୁ ୧୦,୦୦୦ ଟଙ୍କାକୁ ବଢାଇବାପାଇଁ ପ୍ରସ୍ତାବ ରହିଛି ।

ଏହାଛଡା ବିଧାୟକମାନଙ୍କ ପାଇଁ ଆଉ କେତେକ ଭତ୍ତାର ବି ବ୍ୟବସ୍ଥା ଅଛି ଏବଂ ସେଥିରେ ଅଭିବୃଦ୍ଧି ପାଇଁ ମଧ୍ୟ କମିଟି ସୁପାରିଶ୍‍ କରିଛି । ଏହି ସୁପାରିଶ୍‍ ଅନୁଯାୟୀ ରାଜ୍ୟ ଭିତରେ ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ବିଧାୟକମାନଙ୍କ ଦୈନିକ ଭତ୍ତା ୧୫୦୦ ରୁ ୨୫୦୦ ଟଙ୍କା, ରାଜ୍ୟ ବାହାରେ ଏଭଳି କାର୍ଯ୍ୟକ୍ରମ ପାଇଁ ୨୦୦୦ ରୁ ୩୦୦୦ ଟଙ୍କାକୁ ବଢାଇବାପାଇଁ ପ୍ରସ୍ତାବ ଥିବାବେଳେ ଯାତାୟତ ଭତ୍ତା କିଲୋମିଟର ପିଛା ୧୫ଟଙ୍କା ପରିବର୍ତ୍ତେ ୨୫ଟଙ୍କା କରିବା ଏବଂ ଗାଡି କିଣିବାପାଇଁ ଋଣ ଲାଗି ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିଧାୟକମାନଙ୍କୁ ଯୋଗାଇଦେବା ଏବଂ ସେମାନଙ୍କ ସ୍ୱାସ୍ଥ୍ୟବୀମା ୫ଲକ୍ଷରୁ ୧୦ଲକ୍ଷ ଟଙ୍କାକୁ ବଢିଥିବାବେଳେ ଏଥର ତାହାକୁ ୧୫ଲକ୍ଷ ଟଙ୍କାକୁ ବୃଦ୍ଧି କରିବାପାଇଁ ପ୍ରସ୍ତାବ ରହିଛି ।

ସେହିପରି ପୂର୍ବତନ ବିଧାୟକମାନଙ୍କ ପେନ୍‍ସନ ମାସିକ ୩୦ ରୁ ୫୦ହଜାର ଟଙ୍କା, ୫ବର୍ଷରୁ ଅଧିକ ପ୍ରତିବର୍ଷ ପାଇଁ ୩୦୦୦ ଟଙ୍କାକରି ଏବଂ ସର୍ବାଧିକ ପେନ୍‍ସନ ସୀମା ୭୦ହଜାରରୁ ୧ଲକ୍ଷ ୨୦ହଜାର ଟଙ୍କାକୁ ବୃଦ୍ଧି କରାଯିବା, ପରିବାର ପେନ୍‍ସନ ମାସିକ ୩୦ରୁ ୫୦ହଜାର ଟଙ୍କା, ଚିକିତ୍ସା ଭତ୍ତା ମାସିକ ୨୦୦୦ ରୁ ୨୦,୦୦୦ ଟଙ୍କାକୁ ବଢାଇବାପାଇଁ ମଧ୍ୟ ପ୍ରସ୍ତାବ ରହିଛି । ଏହାଛଡା ସେମାନଙ୍କ ଲାଗି ୧୦ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟବୀମା ଓ ବାର୍ଷିକ ଲକ୍ଷେ ଟଙ୍କା ପର୍ଯ୍ୟନ୍ତ ଯାତାୟତ ଖର୍ଚ୍ଚ ବି ଦିଆଯିବ । ଏହାଛଡା ପୂର୍ବତନ ବିଧାୟକମାନେ ଭୁବନେଶ୍ୱର ଆସିଲେ ତାଙ୍କୁ ଦୈନିକ ମାତ୍ର ୧୫୦ ଟଙ୍କା ଦରରେ ବିଧାନସଭା ଅତିଥିଭବନରେ ରହିବାର ସୁଯୋଗ ମିଳିବ । (ତଥ୍ୟ)