Home Agriculture ଚାହିଦା ମେଣ୍ଟାଉଛି ଅନ୍ୟ ରାଜ୍ୟ ନଡିଆ

ଚାହିଦା ମେଣ୍ଟାଉଛି ଅନ୍ୟ ରାଜ୍ୟ ନଡିଆ

ଭୁବନେଶ୍ୱର : ଶହେ କୋଟିରୁ ଅଧିକ ନଡିଆ ଉତ୍ପାଦନ କ୍ଷମତା ରଖିଥିବା ଓଡିଶାରେ ଏବେ ବର୍ଷକୁ ଅତି ବେଶିରେ ୪୦କୋଟି ନଡିଆ ଉତ୍ପାଦନ ହେଉଛି । ଏ ପରିପ୍ରେକ୍ଷୀରେ ଆଭ୍ୟନ୍ତରୀଣ ଚାହିଦା ମେଣ୍ଟାଇବାପାଇଁ ଓଡିଶାକୁ ଅନ୍ୟ ରାଜ୍ୟ ଉପରେ ନଡିଆ ଓ ନଡିଆ ତେଲ ପାଇଁ ନିର୍ଭର କରିବାକୁ ପଡୁଛି ।

ଏକଦା ନଡିଆ ଉତ୍ପାଦନ କ୍ଷେତ୍ରରେ ଦେଶର ଦୁଇ ତିନିଟି ରାଜ୍ୟ ମଧ୍ୟରେ ସ୍ଥାନ ପାଉଥିବା ଓଡିଶାର ନଡିଆ ଉତ୍ପାଦନ କମ୍‍ ରହିବା ଚାଷୀମାନଙ୍କ ପାଇଁ ଚିନ୍ତାର କାରଣ ହୋଇଥିବାବେଳେ ବଜାରରେ ଖାଉଟିମାନଙ୍କୁ ଚଢା ଦରରେ ନଡିଆ ଓ ପଇଡ କିଣିବାକୁ ପଡୁଛି । ଖୋଦ ରାଜଧାନୀ ଭୁବନେଶ୍ୱରରେ ଶୁଖିଲା ନଡିଆ ଗୋଟା ୩୦ ଟଙ୍କାରୁ ଅଧିକ ରହୁଥିବାବେଳେ ପଇଡର ଦାମ୍‍ ୩୦ ରୁ ୫୦ ଟଙ୍କା ରହୁଛି । ଏମିତିକି ଅନ୍ୟ ରାଜ୍ୟରୁ ପଇଡ ଆଣି ଏଠାରେ ବ୍ୟବସାୟ କରିବାକୁ ପଡୁଛି ।

ଗୋଟିଏ ସମୟରେ ପୁରୀ ଜିଲ୍ଲା ନଡିଆ ଉତ୍ପାଦନ ପାଇଁ ବେଶ୍‍ ପ୍ରସିଦ୍ଧି ଅର୍ଜନ କରିଥିଲା । ବିଶେଷକରି ସାକ୍ଷୀଗୋପାଳ, ପୁରୀ, ବ୍ରହ୍ମଗିରି, ପିପିଲି, ଡେଲାଙ୍ଗ, କଣାସ, ନିମାପଡା, ଅସ୍ତରଙ୍ଗ, କାକଟପୁର ଆଦି ଅଞ୍ଚଳରେ ପ୍ରଚୁର ନଡିଆ ଉତ୍ପାଦିତ ହେଉଥିଲା । ଅନ୍ୟ ରାଜ୍ୟରୁ ବ୍ୟବସାୟୀମାନେ ସାକ୍ଷୀଗୋପାଳର ନଡିଆ ହାଟରୁ ଟ୍ରକ ଟ୍ରକ ଶୁଖିଲା ନଡିଆ କିଣୁଥିଲେ । କିନ୍ତୁ ଏବେ ସାକ୍ଷୀଗୋପାଳର ଅନେକ ନଡିଆ ଗୋଦାମ ଖାଲି ପଡିଛି । କେବଳ ସେତିକି ନୁହେଁ ନଡିଆ ତୋଳିବାପାଇଁ ଜିଲ୍ଲାର ଗ୍ରାମାଞ୍ଚଳରେ ଏବେ ପର୍ଯ୍ୟାପ୍ତ ସଂଖ୍ୟକ ମାଳୁଆ ମିଳୁନାହାନ୍ତି । ଯେଉଁମାନଙ୍କର ବି ନଡିଆଗଛ ରହିଛି ସେମାନଙ୍କ ମଧ୍ୟରୁ ଅଧିକାଂଶ ପଇଡ ବିକି ପଇସା କମାଉଥିବାରୁ ଗାଁ ଗହଳକୁ ଅନ୍ୟ ରାଜ୍ୟରୁ ଆସୁଥିବା ଶୁଖିଲା ନଡିଆ ନଗଲେ ପୂଜାର୍ଚ୍ଚନା ହୋଇପାରୁନାହିଁ ।

ରାଜ୍ୟରେ ଯେତିକି ବି ନଡିଆ ଉତ୍ପାଦିତ ହେଉଛି ସେଥିରୁ ଓଡିଶା ବ୍ରାଣ୍ଡ୍‍ରେ ନଡିଆତେଲ ପ୍ରସ୍ତୁତ ହେଉନଥିବାରୁ ଆନ୍ଧ୍ର, ତାମିଲନାଡୁ, କର୍ଣ୍ଣାଟକ, କେରଳ ଆଦି ରାଜ୍ୟର ନଡିଆ ତେଲ ଉପରେ ଓଡିଆ ଲୋକେ ନିର୍ଭର କରିବାକୁ ବାଧ୍ୟ ହେଉଛନ୍ତି ।
ଏବେ ଓଡିଶାରେ ନଡିଆ ଉତ୍ପାଦନ କ୍ଷେତ୍ରରେ ଗଞ୍ଜାମ ଜିଲ୍ଲା ସବୁଠାରୁ ଆଗରେ ରହିଛି । ଏହି ଜିଲ୍ଲାରେ ବାର୍ଷିକ ପ୍ରାୟ ୧୦କୋଟି ନଡିଆ ଓ ପଇଡ ଉତ୍ପାଦିତ ହେଉଛି । ରାୟଗଡା ଜିଲ୍ଲାରେ ସାଢେ ୪କୋଟିରୁ ଅଧିକ ନଡିଆ ଫଳୁଥିବାବେଳେ ପୁରୀ ଜିଲ୍ଲାରେ ଏହି ସଂଖ୍ୟା ପାଖପାଖି ସାଢେ ୩କୋଟି ରହୁଛି । କଟକ ଜିଲ୍ଲାରେ ବି ପୁରୀ ସମକକ୍ଷ ନଡିଆ ଫଳୁଛି । ଜଗତ୍‍ସିଂହପୁର ଓ ସୋନପୁର ଜିଲ୍ଲାରେ ବାର୍ଷିକ ୨କୋଟିରୁ ଅଧିକ କରି ନଡିଆ ଫଳୁଥିବାବେଳେ ବାଲେଶ୍ୱର, ଗଜପତି, କେନ୍ଦ୍ରାପଡା, କେନ୍ଦୁଝର ଓ ନୟାଗଡ ଜିଲ୍ଲାରେ କୋଟିଏରୁ ଅଧିକ କରି ନଡିଆ ଉତ୍ପାଦିତ ହେଉଛି । ସବୁଠାରୁ କମ୍‍ ନଡିଆ ଫଳୁଛି ବଲାଙ୍ଗିର ଜିଲ୍ଲାରେ । ଏହି ଜିଲ୍ଲାରେ ବାର୍ଷିକ ଉତ୍ପାଦିତ ନଡିଆ ସଂଖ୍ୟା ପ୍ରାୟ ୩୭ହଜାର ରହୁଥିବା କୃଷି ବିଭାଗର ତଥ୍ୟରୁ ଜଣାପଡୁଛି ।

ପୁରୀ, ଭୁବନେଶ୍ୱର, ଘଟଗାଁ, ସମ୍ବଲପୁର, ତିର୍ତ୍ତୋଲ, ଯାଜପୁର ଆଦିର ତୀର୍ଥସ୍ଥଳୀମାନଙ୍କରେ ପୂଜା ପାଇଁ ଓ ପ୍ରସାଦ ପ୍ରସ୍ତୁତି ଲାଗି ବ୍ୟବହୃତ ହେଉଥିବା ନଡିଆରୁ ଅନେକ ବି ଅନ୍ୟ ରାଜ୍ୟର ବୋଲି ଜଣାପଡିଛି । ସର୍ବାଧିକ ମାନସିକ ନଡିଆ ଘଟଗାଁର ମା’ ତାରିଣୀଙ୍କ ନିକଟକୁ ବିଭିନ୍ନ ମାଧ୍ୟମରେ ଆସୁଥିବାବେଳେ ଏହି ନଡିଆଗୁଡିକୁ ଭୋଗ ଲଗାଇବା ପରେ ସେଥିରୁ ମନ୍ଦିର ପ୍ରଶାସନ ତେଲ ପ୍ରସ୍ତୁତ କଲେ ରାଜ୍ୟରେ ତାହାର ଚାହିଦା ବୃଦ୍ଧି ପାଆନ୍ତା ବୋଲି ଶ୍ରଦ୍ଧାଳୁମାନେ କହୁଛନ୍ତି । କୃଷି ବିଶେଷଜ୍ଞମାନେ କହୁଛନ୍ତି ଯେ ମହାବାତ୍ୟା ପରେ ପରେ ଫନି ଯୋଗୁଁ ରାଜ୍ୟର ନଡିଆ ଚାଷ ବିଶେଷଭାବେ କ୍ଷତିଗ୍ରସ୍ତ ହୋଇଥିବାବେଳେ ସୁଧାର ପାଇଁ ପ୍ରୟାସ ଚାଲିଛି । (ତଥ୍ୟ)