Home News in Odia ମଦୁଆ ଡ୍ରାଇଭର ଦୁର୍ଘଟଣାର ବଡ କାରଣ

ମଦୁଆ ଡ୍ରାଇଭର ଦୁର୍ଘଟଣାର ବଡ କାରଣ

ଭୁବନେଶ୍ୱର : ମଦୁଆ ଗାଡି ଚାଳକଙ୍କ ବେପରୁଆ ଗାଡି ଚାଳନା ଯୋଗୁଁ ରାଜ୍ୟରେ ସଡକ ଦୁର୍ଘଟଣା ଜନିତ ମୃତ୍ୟୁସଂଖ୍ୟା ବଢିବାରେ ଲାଗିଛି । ଏଥି ସହିତ ଅନଭିଜ୍ଞ ଗାଡିଚାଳକମାନେ ବି ଦୁର୍ଘଟଣା ବୃଦ୍ଧିର କାରଣ ପାଲଟିଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ ଗତ ତିନି ବର୍ଷ ମଧ୍ୟରେ ରାଜ୍ୟରେ ସଡକ ଦୁର୍ଘଟଣାରେ ୧୬,୨୮୭ ଜଣ ବ୍ୟକ୍ତି ପ୍ରାଣ ହରାଇଲେଣି । ଏହି ସମୟରେ ଦୁର୍ଘଟଣାରେ ୩୦ହଜାରରୁ ଅଧିକ ଆହତ ହୋଇଛନ୍ତି । ତେବେ ମଦୁଆ ଓ ବେପରୁଆ ଗାଡି ଚାଳକଙ୍କୁ ରାସ୍ତା ଉପରେ ଧରିବାପାଇଁ ପରିବହନ ଠାରୁ ପୁଲିସ୍‍ ପର୍ଯ୍ୟନ୍ତ ଯେତେ ଜାଲ ବିଛାଇଲେ ବି ସେମାନଙ୍କୁ ଧରିବା ସହଜ ହେଉନାହିଁ ।

ମଦ ପିଇ ଦ୍ରୁତ ଗତିରେ ଗାଡି ଚଳାଉଥିବା ଡ୍ରାଇଭରଙ୍କୁ ଧରିବାପାଇଁ ସ୍ପିଡ୍‍ ଡିଟେକସନ ରାଡାର ଓ ବ୍ରିଥ୍‍ ଆନାଲାଇଜର ଗଞ୍ଜା ଯାଇଥିବା ୩୭ଟି ଯାନ ରାଜପଥରେ ମୁତୟନ କରାଯାଇଛି । ତେବେ ଏହା ସମୁଦ୍ରକୁ ଶଙ୍ଖେ ଭଳି ହୋଇଛି । ମଦୁଆ ଚାଳକମାନଙ୍କୁ ଧରିବା ଏମାନଙ୍କ ପକ୍ଷେ ଏତେଟା ସହଜ ନୁହେଁ । ଯେଉଁଠାରେ ଜୋରଦାର ଯାଞ୍ଚ ହେଉଛି ସେଠାରେ କେତେକ ମଦୁଆ ଗାଡିଚାଳକ ଧରା ପଡୁଛନ୍ତି ଏବଂ ଜୋରିମାନା ଦେଇ ଖସୁଛନ୍ତି ।

ତେବେ ରାଜପଥ ପାଶ୍ୱର୍ରେ ସହଜରେ ମଦ ଉପଲବ୍ଧ ହେଉଥିବାରୁ ଗାଡି ଚାଳକମାନେ ନିଶାସକ୍ତ ହେଉଛନ୍ତି । ମଦ ଓ ଅନ୍ୟାନ୍ୟ ନିଶା ସେବନ କରି ଗାଡି ଚଳାଇବାରେ ଲାଗିଛନ୍ତି । ଏହି ଚାଳକମାନେ ଏତେ ଚାଲାକ ହୋଇଛନ୍ତି ଯେ ଦୂରରୁ ଯାଞ୍ଚ ଗାଡିକୁ ଦେଖି ରାସ୍ତାକଡରେ ଛିଡା ହୋଇଯାଉଛନ୍ତି ନହେଲେ ସୁନା ପିଲା ଭଳି ଗାଡି ଚଳାଇ ଖସିଯାଉଛନ୍ତି । ପରିବହନ ଓ ପୁଲିସ୍‍ ଅଧିକାରୀମାନେ ଏମାନଙ୍କୁ ଏତେ ସହଜରେ ଠାବ କରିପାରୁ ନାହାନ୍ତି ।

ସେହିଭଳି ଅନଭିଜ୍ଞ ଗାଡିଚାଳନା ଏବେ ଦୁର୍ଘଟଣାର ଅନ୍ୟତମ କାରଣ ହୋଇଛି । ଘରୋଇ ଗାଡି ଚାଳନା ସଂସ୍ଥାଗୁଡିକ ୮/୧୦ ଦିନ ଗାଡି ଚାଳନା ପରେ ଲାଇସେନ୍ସ ଧରାଇ ଦେଉଥିବାବେଳେ ଆଉ କିଛି ଯୁବକ ଅଳ୍ପଦିନ ଗାଡିରେ ଯିବାପରେ ଡ୍ରାଇଭର ସାଜୁଛନ୍ତି । ଏମାନଙ୍କୁ ଦୁର୍ଘଟଣାର ମୁକାବିଲା କରିବା ଏବଂ ଅନ୍ୟାନ୍ୟ ବୈଷୟିକ ତାଲିମ ପ୍ରଦାନ କରାଯାଉ ନାହିଁ । ସରକାରୀ ତାଲିମ କେନ୍ଦ୍ରରେ ଯେଭଳି ପାଠପଢା ସହିତ ଗାଡିଚାଳନା ଶିକ୍ଷାଦିଆଯାଉଛି ତାହା ବାହାରେ ନାହିଁ ।

ସେହିଭଳି ଲାଇସେନ୍ସ ପ୍ରଦାନ କ୍ଷେତ୍ରରେ ମଧ୍ୟ ପୂର୍ବଭଳି ଧାରା ଜାରି ରହିଛି । ଯଦିଓ ସ୍ୱୟଂଚାଳିତ ଗାଡି ଚାଳନା ପରୀକ୍ଷା ଆରମ୍ଭ ହୋଇଛି ତଥାପି ପୂର୍ବଭଳି ଦଲାଲ ରାଜ୍ୟରୁ ପରିବହନ ବ୍ୟବସ୍ଥା ମୁକୁଳି ପାରିନାହିଁ । ରାଜ୍ୟର ୧୦ଟି ଆରଟିଓ ଅଫିସରେ ନିୟମିତ ଆରଟିଓ ନଥିବାରୁ ସ୍ଥିତି ସୁଧୁରିବା ବଦଳରେ ଧିରେ ଧିରେ ବିଗିଡିବାରେ ଲାଗିଛି । ପରିବହନ ଅଧିକାରୀଙ୍କୁ ଆରଟିଓ ଚଉକିର ମୋହ ଏଭଳି ଗ୍ରାସ କରିଛି ଯେ ଦୁଇଟି ପଦୋନ୍ନତି ପାଇ ଯୁଗ୍ମ କମିଶନର ପାହ୍ୟାରେ ପହଞ୍ଚିଥିଲେ ମଧ୍ୟ ଆରଟିଓ ଚଉକିକୁ ଛାଡି ପାରୁନାହାନ୍ତି । ଫଳରେ ଭୁବନେଶ୍ୱର, କଟକ ସମେତ ରାଜ୍ୟର ୧୦ଟି ଆରଟିଓ ପଦବୀ ଅତିରିକ୍ତ ଦାୟିତ୍ୱରେ ଚଳାଯାଉଛି ।

ତୁରନ୍ତ ନିୟମିତ ଆରଟିଓ ନିଯୁକ୍ତି ସହିତ ଯାଞ୍ଚ ପ୍ରକ୍ରିୟାକୁ କଡାକଡି କରିବାପାଇଁ ମତ ପ୍ରକାଶ ପାଉଛି । ବିଶେଷରି ଘରୋଇ ପ୍ରଶିକ୍ଷଣ କେନ୍ଦ୍ରଗୁଡିକ ଉପରେ ତୀକ୍ଷ୍ଣ ନଜର ରଖିବାକୁ ପରିବହନ ବିଶେଷଜ୍ଞମାନେ ମତ ଦେଉଛନ୍ତି । (ତଥ୍ୟ)