ଭୁବନେଶ୍ୱର : ରାଜ୍ୟରୁ ୯୦ଟି ଦୈନିକ ଓଡିଆ ଖବରକାଜ ପ୍ରକାଶ ପାଉଥିବାବେଳେ ଦୈନିକ ଇଂରାଜୀ ଖବରକାଗଜର ସଂଖ୍ୟା ୧୯ଟି ରହିଛି । ଏଥି ସହିତ ୧୦୯ଟି ସାପ୍ତାହିକ, ପାକ୍ଷିକ ଓ ମାସିକ ଭଳି ପତ୍ରିକା ପ୍ରକାଶିତ ହେଉଥିବା ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ।
ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଏକ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ରାଜ୍ୟରୁ ଦୈନିକ, ସାପ୍ତାହିକ, ପାକ୍ଷିକ, ମାସିକ ପତ୍ର ପତ୍ରିକା ସହିତ ବିଭିନ୍ନ ଇଲେକଟ୍ରୋନିକ ଏବଂ ୱେବ ମିଡିଆକୁ ମିଶାଇ ମୋଟ ୩୨୮ଟି ଗଣମାଧ୍ୟମ ସଂସ୍ଥା ରହିଛି । ଏଥି ମଧ୍ୟରେ ୧୦ଟି ନିଉଜ ଚ୍ୟାନେଲ, ୮ଟି ମନୋରଞ୍ଜନ ଚ୍ୟନେଲ, ୭ଟି ଏଫ୍ଏମରେଡିଓ ଓ ୬୧ଟି ୱେବ ମିଡିଆ ରହିଛି ।
ସେହିଭଳି ମୁଖ୍ୟମନ୍ତ୍ରୀ ଦର୍ଶାଇଛନ୍ତି ଯେ ରାଜ୍ୟରେ ସର୍ବମୋଟ୍ ୯୦୯୪ ଜଣ ସାମ୍ବାଦିକ ତାଲିକାଭୁକ୍ତ ହୋଇଛନ୍ତି । ଏଥି ମଧ୍ୟରେ ଖୋରଧା ଜିଲ୍ଲାରେ ସର୍ବାଧିକ ୧୮୩୭ ଜଣ ଥିବାବେଳେ ଝାରସୁଗୁଡାରେ ୮୨ଜଣ ଅଛନ୍ତି । ଗଞ୍ଜାମରେ ଦ୍ୱିତୀୟ ସର୍ବାଧିକ ୫୨୯ଜଣ ସାମ୍ବାଦିକ ଥିବାବେଳେ ଯାଜପୁରରେ ୪୯୧ ଜଣ, କଟକରେ ୪୬୮ଜଣ ରହିଛନ୍ତି । ସବୁଠାରୁ କମ୍ ମାତ୍ର ୪୩ଜଣ ସାମ୍ବାଦିକ ଦେବଗଡ ଜିଲ୍ଲାରେ ଥିବା ମୁଖ୍ୟମନ୍ତ୍ରୀ ଦର୍ଶାଇଛନ୍ତି ।