ଭୁବନେଶ୍ୱର: କରୋନା ସଂକ୍ରମଣ ଭୟରେ ରାଜ୍ୟ ସରକାର ଗୁଡ୍ ଫ୍ରାଇଡେ, ଇଷ୍ଟର, ପଣାସଂକ୍ରାନ୍ତି, ଝାମୁ ଯାତ୍ରା, ଦଣ୍ଡଯାତ୍ରା ଓ ଶ୍ରୀରାମ ନବମୀ ପାଳନକୁ ସାରା ରାଜ୍ୟରେ ବାରଣ କରିଛନ୍ତି । ରାଜ୍ୟ ସ୍ୱତନ୍ତ୍ର ରିଲିଫ୍ କମିଶନର ଏ ନେଇ ଆଜି ବିଧିବଦ୍ଧ ବିଜ୍ଞପ୍ତି ଜାରି କରିଛନ୍ତି ।
ତଦନୁଯାୟୀ ଚର୍ଚ୍ଚ, ମନ୍ଦିର ଓ ପୂଜାସ୍ଥଳ ଆଦିଗୁଡ଼ିକରେ କମ୍ ସଂଖ୍ୟକ ଲୋକଙ୍କୁ ନେଇ କୋଭିଡ୍ ମାର୍ଗଦର୍ଶିକା ଆଧାରରେ ପୂଜାପାଠକୁ ଅନୁମତି ଦିଆଯାଇଛି ।
ତେବେ ଜିଲ୍ଲାପାଳ ଓ ମୁନିସିପାଲ କମିଶନରମାନେ ପୂଜାସ୍ଥଳ ଓ ମନ୍ଦିର, ଚର୍ଚ୍ଚ ଆଦିଗୁଡ଼ିକ ଉପରେ କଟକଣା ଲଗାଇବେ ବୋଲି କୁହାଯାଇଛି । ଏହି ଅଧିକାରୀମାନେ ମନ୍ଦିର ଚର୍ଚ୍ଚ ଆଦିଗୁଡ଼ିକରେ କେତେକ ସଂଖ୍ୟାରେ ଲୋକ ଉପସ୍ଥିତ ରହିବେ ସେ ସଂକ୍ରାନ୍ତରେ ନିଷ୍ପତ୍ତି ଗ୍ରହଣ କରିବେ । ତେବେ ଏହିସବୁ ସ୍ଥାନରେ କୋଭିଡ୍ ନିୟମ କଡ଼ାକଡ଼ି ପାଳନ ପାଇଁ କୁହାଯାଇଛି ।
କୌଣସିଠାରେ ଯଦି ଲୋକେ ନିୟମ ଉଲ୍ଲଙ୍ଘନ କରୁଥିବାର ନଜର ଆସେ ତେବେ ସେମାନଙ୍କ ବିରୁଦ୍ଧରେ ବିପର୍ଯ୍ୟୟ ପରିଚାଳନା ଆଇନ ୨୦୦୫ ଏବଂ ତତସମ୍ବନ୍ଧୀୟ ଆଇନ୍ ଆଧାରରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ଦେଶର ବିଭିନ୍ନ ସ୍ଥାନରେ କୋଭିଡର ଦ୍ୱିତୀୟ ଲହର ଦେଖିବାକୁ ମିଳୁଥିବାରୁ ତାହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏଭଳି କଟକଣା ଲଗାଇଛନ୍ତି । ପୂଜାସ୍ଥଳ ବ୍ୟତୀତ ଗତ ଫେବୃଆରୀ ମାସରେ ଜାରି କଟକଣା ବଳବତ୍ତର ରହିଥିବାରୁ ସାମାଜିକ, ରାଜନୈତିକ, କ୍ରୀଡ଼ା, ସାଂସ୍କୃତିକ କାର୍ଯ୍ୟକ୍ରମ ଆଦିଗୁଡ଼ିକରେ କୋଭିଡ ମାର୍ଗଦର୍ଶିକା ଅନୁଯାୟୀ ଲୋକେ ଉପସ୍ଥିତ ରହିବାକୁ କୁହାଯାଇଛି ।