ଭୁବନେଶ୍ୱର : ରାଜ୍ୟର ପର୍ଯ୍ୟଟନସ୍ଥଳୀଗୁଡିକରେ ଏବେ ନିଶାଡିଙ୍କ ଉତ୍ପାତ । ଏମାନଙ୍କଙ୍କ ଯୋଗୁଁ ଲୋକେ ନିଜ ପରିବାର ସହିତ ବିଭିନ୍ନ ପର୍ଯ୍ୟଟନସ୍ଥଳୀ ଯିବାକୁ ପଛଘୁଞ୍ଚା ଦେଲେଣି । ତେଣୁ ପର୍ଯ୍ୟଟନ ଋତୁ ସରିବା ପର୍ଯ୍ୟନ୍ତ ପର୍ଯ୍ୟଟନସ୍ଥଳୀ ଆଖପାଖରେ ଥିବା ମଦଦୋକାନଗୁଡିକୁ ବନ୍ଦ ରଖିବା ସହିତ ଲୋକେ ଯେଭଳି ସେଠାରେ ମଦ ପିଇ ଉତ୍ପାତ ନକରିବେ ତାହା ଉପରେ ଦୃଷ୍ଟି ଦେବାକୁ ନିଶାମୁକ୍ତ ଆନ୍ଦୋଳନର କର୍ମକର୍ତ୍ତାମାନେ ଦାବି କରିଛନ୍ତି ।
ରାଜ୍ୟର ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ ଏବେ ଧିରେ ଧିରେ ଲୋକଙ୍କ ଆଗମନ ହେବାରେ ଲାଗିଛି । ନିଜ ପରିବାର ସହିତ ଲୋକେ ଛୁଟି କଟାଇବାକୁ ଯାଉଥିବେଳେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ବିଭିନ୍ନ ସ୍ଥାନକୁ ବୁଲାଇବାକୁ ନିଆଯାଉଛି । ରାଜ୍ୟ ବାହାରର ପର୍ଯ୍ୟଟକମାନେ ମଧ୍ୟ ବିଭିନ୍ନ ପର୍ଯ୍ୟଟନସ୍ଥଳକୁ ବୁଲିବାକୁ ଆସୁଛନ୍ତି ।
ତେବେ ଅଧିକାଂଶ ପର୍ଯ୍ୟଟନସ୍ଥଳୀରେ ମଦୁଆମାନେ ଆଡ୍ଡା ଜମାଉଛନ୍ତି । ସର୍ବ ସମ୍ମୁଖରେ ମଦ ପିଇ ଉତ୍ପାତ କରିବା ସହିତ ଆଖପାଖର ଲୋକଙ୍କ ଉପରକୁ ନିଶାରେ ମଦ ବୋତଲ ଫୋପାଡିବାକୁ ବି ପଛାଉ ନାହାନ୍ତି । ପର୍ଯ୍ୟଟନସ୍ଥଳୀରେ ବ୍ୟାପକ ପୁଲିସ୍ ବ୍ୟବସ୍ଥା ନଥିବାରୁ ମହିଳାମାନେ ନିଜକୁ ଅସୁରକ୍ଷିତ ମଣିବା ସହିତ ଏହି ମଦୁଆଙ୍କ ବିରୁଦ୍ଧରେ ପ୍ରାୟତଃ କେହି ମୁହଁ ଖୋଲୁନାହାନ୍ତି ।
ବିଭିନ୍ନ ସଂଗଠନ, ଦପ୍ତର, କ୍ଲବ ଆଦିର ଯୁବକମାନେ ଦଳ ଦଳ ହୋଇ ଯେଉଁଠାକୁ ପିକନିକ୍ କରିବାକୁ ଯାଉଛନ୍ତି ସେଠାରେ ମଦ ପିଇ ମାତାଲ ହେବା ସହିତ କାନଫଟା ଡିଜେ ବଜାଇ ଉତ୍ପାତ କରୁଛନ୍ତି । ଏମାନଙ୍କ ଆଖପାଖରେ ବଣଭୋଜି କରୁଥିବା ସ୍କୁଲ ଓ କଲେଜ ପିଲାମାନଙ୍କ ଉପରେ ଏହାର ଗୁରୁତର ପ୍ରଭାବ ପଡିବାରେ ଲାଗିଛି । କେତେକ ପର୍ଯ୍ୟଟନସ୍ଥଳୀରେ ସରକାର ରସିଦ କାଟି ଏମାନଙ୍କୁ ଅନୁମତି ଦେଉଥିବାବେଳେ ମଦ ପିଇବାକୁ କିନ୍ତୁ ବାରଣ କରୁନାହାନ୍ତି ।
ରାଜଧାନୀ ମଧ୍ୟରେ ଥିବା ଜୟଦେବବାଟିକା, ନିକଟରେ ଥିବା ଡେରାସ, ନନ୍ଦନକାନନ ବଟାନିକାଲପାର୍କ, ଅଂଶୁପାଆଦି ପର୍ଯ୍ୟଟନସ୍ଥଳୀକୁ ଏବେ ବୁଲିବାକୁ କିମ୍ବା ବଣଭୋଜି କରିବାକୁ ଆସୁଥିବା ମାତାଲମାନଙ୍କ ସଂଖ୍ୟା ଅଧିକ । ଆଖପାଖରେ ଥିବା ମଦ ଦୋକାନରୁ ଏମାନେ ସହଜରେ ମଦ ପାଇଯାଉଥିବାବେଳେ ଚାହିଦାକୁ ଦେଖି ସେହିସବୁ ସ୍ଥାନରେ ଚୋରା ମଦ ବି ଉପଲବ୍ଧ ହେଉଛି । ରାଜ୍ୟର ପ୍ରାୟ ଅଧିକାଂଶ ପର୍ଯ୍ୟଟନସ୍ଥଳୀରେ ସମାନ ଅବସ୍ଥା ।
ତେଣୁ ପର୍ଯ୍ୟଟନ ଋତୁ ସରିବା ପର୍ଯ୍ୟନ୍ତ ପର୍ଯ୍ୟଟନସ୍ଥଳୀ ନିକଟରେ ଥିବା ମଦ ଦୋକାନଗୁଡିକୁ ବନ୍ଦ ରଖିବାପାଇଁ ମତପ୍ରକାଶ ପାଉଛି । ଏଥି ସହିତ ପରିବାର ସହିତ ମହିଳାମାନେ ଯାଉଥିବା ପର୍ଯ୍ୟଟନସ୍ଥଳୀରେ ଲୋକେ ଯେଭଳି ମଦ୍ୟପାନ କରିମାତାଲ ନହେବେ ତାହା ଉପରେ ସତର୍କ ଦୃଷ୍ଟି ରଖିବାକୁ ଦାବି ହେଉଛି । ସରକାରଙ୍କ ନିୟନ୍ତ୍ରଣରେ ଯେଉଁସବୁ ପର୍ଯ୍ୟଟନସ୍ଥଳୀ ରହିଛି ଓ ସେଠାରେ ବଣଭୋଜି ପାଇଁ ସରକାରଙ୍କୁ ପାଉଣା ଦେବାକୁ ପଡୁଛି ସେଠାରେ ମଦ୍ୟପାନ ଓ ଧୂପମାନ ଉପରେ କଡା କଟଣା ଲଗାଇବାକୁ ମତପ୍ରକାଶ ପାଉଛି । ଏପରିକି ରସିଦ କାଟିବା ସମୟରେ ଲୋକେ ଯେଭଳି ସେଠାରେ ନିଶା ସେବନ ନକରିବେ ସେଥିପାଇଁ ସେମାନଙ୍କ ଠାରୁ ଲିଖିତ ପ୍ରତିଶ୍ରୁତି ରଖିବାକୁ ନିଶା ନିବାରଣ କର୍ମୀମାନେ ମତ ଦେଉଛନ୍ତି ।
ଏଥି ସହିତ ପର୍ଯ୍ୟଟନକେନ୍ଦ୍ରଗୁଡିକରେ ଯେଭଳି ପଲିଥିନ୍ ମୁକ୍ତ ପାଇଁ ସରକାରୀ ସ୍ତରରେ ଅଭିଯାନ ଆରମ୍ଭ ହୋଇଥିଲା ଅନୁରୂପ ଭାବେ ନିଶାମୁକ୍ତ ପାଇଁ ଅଭିଯାନ ଚଳାଇବାକୁ ମତପ୍ରକାଶ ପାଉଛି । (ତଥ୍ୟ)