ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା (ପିଏମକେଭିୱାଇ) ଅଧିନରେ ଚଳାଯାଉଥିବା ବିଭିନ୍ନ ରୋଜଗାର ଭିତ୍ତିକ ସ୍ୱତନ୍ତ୍ର ପ୍ରକଳ୍ପରେ ତାଲିମ ନେବାପାଇଁ ଓଡିଶାର ଯୁବକ ଯୁବତୀ ସେତେଟା ଆଗ୍ରହ ପ୍ରକାଶ କରୁନାହାନ୍ତି । ଆଠବର୍ଷ ମଧ୍ୟରେ ସ୍ୱତନ୍ତ୍ର ତାଲିମଧାରୀଙ୍କ ସଂଖ୍ୟା ୬ହଜାରରୁ କମ୍ ରହିଛି ।
ତାଲିମ ପାଇଲା ପରେ ତୁରନ୍ତ କର୍ମସଂସ୍ଥା ପାଇବାପାଇଁ ପିଏମକେଭିୱାଇରେ କେନ୍ଦ୍ର ସରକାର ୩୩ ପ୍ରକାରର ତାଲିମ ସ୍ୱତନ୍ତ୍ର ପ୍ରକଳ୍ପ ଜରିଆରେ ପ୍ରଦାନ କରୁଛନ୍ତି । ଏଥିରେ ସିଲାଇ ଶିକ୍ଷା ଠାରୁ ଆରମ୍ଭ କରି ମୋବାଇଲ ଫୋନ୍ ମରାମତି, ସୋଲାର ପିଭି ମେକାନିକ୍, ସିସିଟିଭି ମେକାନିକ, ଗହଣା ପ୍ରସ୍ତୁତ, ଡିଟିଏଚ୍ ଲଗାଇବା ତାଲିମ, ବିଦ୍ୟୁତ୍ ମରାମତି, ବିୟୁଟି ଥେରାପିଷ୍ଟ ଆଦି ବିଭିନ୍ନ ତାଲିମ ରହିଛି ।
ହେଲେ ଓଡିଶାର ଯୁବକ ଯୁବତୀମାନେ ଏଥିପ୍ରତି ସେତେଟା ଆଗ୍ରହୀ ନୁହନ୍ତି । କାରଣ ୨୦୧୭-୧୮ବର୍ଷରୁ ବର୍ତ୍ତମାନ ସୁଦ୍ଧା ଏହି ଯୋଜନାରେ ମାତ୍ର ୫୯୯୮ ଜଣ ତାଲିମ ପାଇଛନ୍ତି । ୨୦୧୯-୨୦ ବର୍ଷରେ ସର୍ବାଧିକ ୩୨୨୩ ଜଣ ତାଲିମ ପାଇଥିବାବେଳେ ୨୦୨୨-୨୩ ବର୍ଷରେ ଜଣେ ହେଲେ କେହି କୌଣସି ବର୍ଗରେ ତାଲିମ ପାଇନଥିଲେ । ତେବେ ୨୦୨୩-୨୪ ବର୍ଷରେ ୩୬୭ ଜଣ ତାଲିମ ପାଇଛନ୍ତି । ଏଥିରେ ସର୍ବାଧିକ ୨୦୨ ଜଣ ସୁରକ୍ଷାକର୍ମୀ ତାଲିମ ନେଇଥିବାବେଳେ ୯୦ ଜଣ ସୌରଶକ୍ତି ପିଭି ସ୍ଥାପନ ତାଲିମ ନେଇଛନ୍ତି । ୬୦ ଜଣ ରବର ନର୍ସରୀରେ କାମକରିବାର ତାଲିମ ପାଇଛନ୍ତି । ସେହିଭଳି ୨୦୨୪-୨୫ ବର୍ଷରେ ଦୁଇଟି ବିଭାଗରେ ମାତ୍ର ୭୯ଜଣ ତାଲିମ ନେଇଥିବା ଜଣାଯାିଛି । ଏଥି ମଧ୍ୟରେ ସୋଲାର ପିଭି ସ୍ଥାପନ ପାଇଁ ୩୦ ଜଣ ତାଲିମ ନେଇଥିବାବେଳେ ୪୯ଜଣ କଲସେଣ୍ଟରେ କାର୍ଯ୍ୟ କରିବାର ତାଲିମ ପାଇଛନ୍ତି ।
ଏହି ସୂଚନାରୁ ଜଣାଯାଇଛି ଯେ ବିଗତ ୫ବର୍ଷ ଧରି ଏହି କେନ୍ଦ୍ରୀୟ ତାଲିମ ଯୋଜନାରେ ଜଣେ ହେଲେ କେହି ସିଲାମ ତାଲିମ ପାଇ ନାହାନ୍ତି । ସେହିଭଳି ବିୟୁଟି ଥେରାପିଷ୍ଟ, ସିସିଟିଭି ଟେକ୍ନିସିଆନ, ଡିଟିଏଚ୍ ସେଟଅପ୍ ବକ୍ସ ସ୍ଥାପନ, ମୋବାଇଲ ଫୋନ୍ ମରାମତି ଆଦିରେ ଜଣେ ହେଲେ କେହି ତାଲିମ ପାଇ ନାହାନ୍ତି ।
ଇତି ମଧ୍ୟରେ ପିଏମକେଭିୱାଇ ୪.୦ରେ ସମଗ୍ର ଦେଶରେ ଦେଢ କୋଟି ଯୁବକ ଯୁବତୀଙ୍କୁ ତାଲିମ ପ୍ରଦାନ ପାଇଁ ଲକ୍ଷ୍ୟ ରଖାଯାଇଛି । ଏହି କାର୍ଯ୍ୟକ୍ରମ ୨୦୨୨-୨୩ ରୁ ୨୦୨୫-୨୬ ପର୍ଯ୍ୟନ୍ତ କାର୍ଯ୍ୟ ହେଉଛି । ବଜାରରେ ନିଯୁକ୍ତି ଚାହିଦାକୁ ଦୃଷ୍ଟିରେ ରଖି ଯୁବକ ଯୁବତୀମାନଙ୍କୁ ବିଭିନ୍ନ ତାଲିମ ପ୍ରଦାନର ଲକ୍ଷ୍ୟ ରଖାଯାଇଛି । ଶିଳ୍ପସଂସ୍ଥା ଓ ଶିକ୍ଷାନୁଷ୍ଠାନ ସହିତ ପରାମର୍ଶ କରି ବର୍ତ୍ତମାନ ଚଳାଯାଉଥିବା ବିଭିନ୍ନ ତାଲିମ ସହିତ ନୂଆ ନୂଆ ତାଲିମ ପ୍ରଦାନ ପାଇଁ କେନ୍ଦ୍ର ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି ।
ଉଲ୍ଲେଖନୀୟ ଯେ କେନ୍ଦ୍ର ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟ ୨୦୧୫ ମସିହାର ତାହାର ଫ୍ଲାଗସିପ୍ ଯୋଜନା ଭାବେ ପିଏମକେଭିୱାଇକୁ କାର୍ଯ୍ୟକ।।ରୀ କରୁଛନ୍ତି । ଏହି ଯୋଜନାରେ ସମଗ୍ର ଦେଶରେ ସ୍ୱଳ୍ପ ମିଆଦୀ ତାଲିମ ସହିତ ଦକ୍ଷତା ବୃଦ୍ଧି ପାଇଁ ଯୁବକ ଯୁବତୀମାନଙ୍କୁ ତାଲିମ ଦେବାର ବ୍ୟବସ୍ଥା ରହିଛି । (ତଥ୍ୟ)