Home Agriculture ଅଧିକ ଦର ଦେଉଛନ୍ତି ଘରୋଇ ସଂସ୍ଥା

ଅଧିକ ଦର ଦେଉଛନ୍ତି ଘରୋଇ ସଂସ୍ଥା

ଭୁବନେଶ୍ୱର : ରାଜ୍ୟରୁ ଦୁଗ୍ଧ ସଂଗ୍ରହ କରୁଥିବା ଘରୋଇ ସଂସ୍ଥାଗୁଡିକ ସରକାରୀ ସଂସ୍ଥା ଓମ୍‍ଫେଡ୍‍ ତୁଳନାରେ ଚାଷୀଙ୍କୁ ଅଧିକ ଅର୍ଥ ପ୍ରଦାନ କରୁଛନ୍ତି । କେଉଁ ସଂସ୍ଥା ଲିଟର ପ୍ରତି ଅଧିକ ୨ଟଙ୍କା ପ୍ରଦାନ କରୁଛି ତ ଆଉ କିଏ ୪ରୁ ୬ଟଙ୍କା ଦେଉଛି । ଖୋଦ୍‍ ରାଜ୍ୟ ମତ୍ସ୍ୟ ଓ ପ୍ରାଣିସମ୍ପଦ ମନ୍ତ୍ରୀ ନିକଟରେ ବିଧାନସଭାରେ ଏହି ସୂଚନା ଦେଇଛନ୍ତି ।

ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ ଚାଷୀଙ୍କ ଠାରୁ ଓମଫେଡ୍‍ ସହିତ ପ୍ରଗତି ମିଲ୍କ ଓ ମିଲ୍କ ମନ୍ତ୍ର ନାମକ ଦୁଇଟି ସଂସ୍ଥା ଦୈନିକ ଦୁଗ୍ଧ ସଂଗ୍ରହ କରୁଛନ୍ତି । ଓମଫେଡ୍‍ର ଦୁଗ୍ଧ ସଂଗ୍ରହ ପରିମାଣ ୫.୪୦ ଲକ୍ଷ କିଲୋରୁ ଅଧିକ ଥିବାବେଳେ ପ୍ରଗତି ସଂସ୍ଥା ୩.୧୫ଲକ୍ଷ ଲିଟର ଏବଂ ମିଲ୍କ ମନ୍ତ୍ରୀ ୧ଲକ୍ଷ ଲିଟର ଦୁଗ୍ଧ ସଂଗ୍ରହ କରୁଛି । ଓମଫେଡ୍‍ ଦୁଗ୍ଧ ଚାଷୀଙ୍କୁ କ୍ଷୀର ଲିଟର ପ୍ରତି ୩୪ ରୁ ୩୬ ଟଙ୍କା ପ୍ରଦାନ କରୁଥିବାବେଳେ ପ୍ରଗତି ମିଲ୍କ ଲିଟର ପ୍ରତି ଦେଉଛି ୪୦ ଟଙ୍କା । ସେହିଭଳି ମିଲ୍କ ମନ୍ତ୍ର ଦେଉଛି ଲିଟର ପ୍ରତି ୩୬ ଟଙ୍କା । ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ପ୍ରଶ୍ନର ଉତ୍ତରରେ ପ୍ରାଣି ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ବିଧାନସଭାରେ ଏହି ସୂଚନା ଦେଇଛନ୍ତି ।

ସୂଚନା ଅନୁଯାୟୀ ରାଜ୍ୟରେ ଦୈନିକ ମୁଣ୍ଡପିଛା ୩୦୦ ମିଲିଗ୍ରାମ ଦୁଗ୍ଧ ଆବଶ୍ୟକ ଥିବାବେଳେ ୨୦୨୨-୨୩ ବର୍ଷରେ ରାଜ୍ୟରେ ୨୪୭୬.୪୨ ହଜାର ମେଟ୍ରିକ ଟନ୍‍ ଦୁଗ୍ଧ ଉତ୍ପାଦନ ହୋଇଛି । ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ସବୁଠାରୁ ଆଗରେ ରହିଛି କଟକ ଜିଲ୍ଲାରେ । ଏହି ଜିଲ୍ଲାରୁ ୩୭୩ ହଜାର ଟନ୍‍ ଦୁଗ୍ଧ ଉତ୍ପାଦନ ହୋଇଥିବାବେଳେ ପୁରୀରୁ ୨୧୮, ଜଗତ୍‍ସିଂହପୁରରୁ ୨୧୬, କେନ୍ଦ୍ରାପଡାରୁ ୧୩୫, ଯାଜପୁରରୁ ୧୨୯, ଭଦ୍ରକରୁ ୧୨୩, ବାଲେଶ୍ୱରରୁ ୧୧୯, ବଲାଙ୍ଗିରରୁ ୧୦୯, ଖୋରଧାରୁ ୧୦୭, ବରଗଡରୁ ୧୦୪ ହଜାର ମେଟ୍ରିକ ଟନ୍‍ ଦୁଗ୍ଧ ଉତ୍ପାଦନ ହୋଇଥିଲା ।

ତେବେ ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ସବୁଠାରୁ ପଛରେ ରହିଛି ଦେବଗଡ ଜିଲ୍ଲା । ଏହି ଜିଲ୍ଲାରେ ଦୁଗ୍ଧ ଉତ୍ପାଦନ ୧୦ହଜାର ମେଟ୍ରିକ ଟନ୍‍ ଛୁଇଁ ପାରିନାହିଁ । ଅନ୍ୟ ସମସ୍ତ ଜିଲ୍ଲାରେ ଦୁଗ୍ଧ ଉତ୍ପାଦନ ଦୁଇ ଅଙ୍କରେ ସୀମିତ ଥିବା ମନ୍ତ୍ରୀଙ୍କ ଉତ୍ତରରୁ ଜଣାପଡିଛି ।

ତେବେ ରାଜ୍ୟରେ ଦୁଗ୍ଧ ଉତ୍ପାଦନ ବୃଦ୍ଧି ଲାଗି ରାଜ୍ୟ ସରକାର ଅନେକଗୁଡିକ ପଦକ୍ଷେପ ଗ୍ରହଣ କରିଥିବା ମନ୍ତ୍ରୀ ଦର୍ଶାଇଛନ୍ତି । ସେଥି ମଧ୍ୟରେ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଅନ୍ୟତମ । ଏଥିରେ ଗୋପାଳନ ସହିତ ମଇଁଷି ପାଳନ ପାଇଁ ଚାଷୀମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି । ଏଥି ସହିତ ମାଈ ବାଛୁରୀ ପାଳନ ଯୋଜନା, ଗୋ-ବୀମା ଯୋଜନା, ସବୁଦିନିଆ ଘାସ ଚାଷ, ଆଜୋଲା ଚାଷ, ସବୁଜ ଘାସ ଉଦ୍ୟୋଗୀ କାର୍ଯ୍ୟକ୍ରମ ଆଦି କାର୍ଯ୍ୟକାରୀ ହେଉଛି । ସେହିଭଳି ୨୦୧୯-୨୦ ରୁ ୨୦୨୪-୨୫ ବର୍ଷ ମଧ୍ୟରେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ମାଧ୍ୟମରେ ୧୩୬ ଜଣଙ୍କ ଗୋପାଳନ ପାଇଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିବାବେଳେ ୨୦୨୩-୨୪ ବର୍ଷରେ ମଇଁଷି ପାଳନ ପାଇଁ ୩୩୭ଜଣଙ୍କୁ ସହାୟତା ଯୋଗାଇ ଦିଆଯାଇଛି । (ତଥ୍ୟ)