Home General ଗାନ୍ଧୀ ପ୍ରକଳ୍ପରେ ବିକୃତ ଓ ଫଟାମୂର୍ତ୍ତି ନିର୍ମାଣ

ଗାନ୍ଧୀ ପ୍ରକଳ୍ପରେ ବିକୃତ ଓ ଫଟାମୂର୍ତ୍ତି ନିର୍ମାଣ

ଭୁବନେଶ୍ୱର : ଗାନ୍ଧୀ ସ୍ମୃତି ପ୍ରକଳ୍ପ ଲାଗି ରାଜ୍ୟ ସରକାର ବରାଦ କରିଥିବା ଲକ୍ଷଲକ୍ଷ ଟଙ୍କା ବରବାଦ କରି ନିମ୍ନମାନର ଓ ବିକୃତ ଗାନ୍ଧୀ ପ୍ରତିମୂର୍ତ୍ତି ନିର୍ମାଣ କରାଯାଇ ଦୁଇବର୍ଷ ଧରି ଘୋଡ଼ାଇ ରଖାଯାଇଛି । ଏହି ପ୍ରତିମୂର୍ତ୍ତି ଉନ୍ମୋଚିତ ହେବା ପୂର୍ବରୁ ଏଥିରେ ପାଟ ସୃଷ୍ଟି ହୋଇଛି । ପ୍ରତିୂମର୍ତ୍ତି ନିକଟ ଦେଇ ପ୍ରତିଦିନ ଶହଶହ ଛାତ୍ରଛାତ୍ରୀ ବିଦ୍ୟାଳୟକୁ ଯିବା ଆସିବା କରୁଥିବା ଯୋଗୁ ଏହି ପ୍ରତିମୂର୍ତ୍ତି କେତେବେଳେ ଭୁଶୁଡ଼ି କି ପ୍ରକାର ସମସ୍ୟା ସୃଷ୍ଟି କରିବ ସେଥିଘେନି ଡେଲାଙ୍ଗ-ବେରବୋଇ ଅଞ୍ଚଳର ଲୋକେ ଆତଙ୍କିତ ।

ଏଠାରେ ଉଲ୍ଲେଖନୀୟ ଯେ ୧୯୩୮ ମାର୍ଚ୍ଚ ୨୫ରୁ ୩୧ ପର୍ଯ୍ୟନ୍ତ ବେରବୋଇର ଗାଁ ଗହିରରେ ଅନୁଷ୍ଠିତ ହୋଇଥିବା ସେବା ସଂଘ ସମ୍ମିଳନୀରେ ମହାତ୍ମା ଗାନ୍ଧୀ, କସ୍ତୂରବା, ସର୍ଦ୍ଦାର ବଲ୍ଳଭଭାଇ ପଟେଲ୍‍, ଡ. ରାଜେନ୍ଦ୍ର ପ୍ରସାଦ, ମୌଲାନା ଆଜାଦ, ଆଚାର୍ଯ୍ୟ କୃପାଳିନୀ, ମହାଦେବ ଦେଶାଇ, ପ୍ରଫୁଲ୍ଲ ଘୋଷଙ୍କ ସମେତ ସେ ସମୟର ବହୁ ଆଗଧାଡ଼ିର ନେତା ଯୋଗ ଦେଇଥିଲେ । ଏହି ସପ୍ତାହ ବ୍ୟାପି କାର୍ଯ୍ୟକ୍ରମ ପାଇଁ ସେମାନେ ବେରବୋଇ ଗାଁ ଗହିରରେ ତିଆରି କରାଯାଇଥିବା ପତ୍ର କୁଡ଼ିଆଗୁଡ଼ିକରେ ଅବସ୍ଥାପନ କରିଥିଲେ ।

ଏହି ଅବସରରେ ଅନୁଷ୍ଠିତ ଏକ କୃଷି ଓ ଗ୍ରାମ୍ୟ ଶିଳ୍ପ ପ୍ରଦର୍ଶନୀକୁ ଗାନ୍ଧୀଜୀ ଉଦ୍‍ଘାଟନ କରିଥିଲେ । ବେରବୋଇର ଏହି ଅଧିବେଶନର ପରିଚାଳନାରେ ପଣ୍ଡିତ କୃପାସିନ୍ଧୁ ହୋତା, ସୁନାମଣି ଦେବୀ, ଆଚାର୍ଯ୍ୟ ହରିହର, ମା’ରମାଦେବୀ, ଗୋପବନ୍ଧୁ ଚୌଧୁରୀ ଆଦିଙ୍କ ପ୍ରମୁଖ ଭୂମିକା ରହିଥିଲା । ଏହି କାର୍ଯ୍ୟକ୍ରମରେ ସ୍ୱେଚ୍ଛାସେବକ ଭାବେ ସେତେବେଳର ମନ୍ତ୍ରୀ ନିତ୍ୟାନନ୍ଦ କାନୁନ୍‍ଗୋଙ୍କ ସମେତ ବହୁ ବିଶିଷ୍ଟ ସଂଗ୍ରାମୀ ଅଂଶଗ୍ରହଣ କରିଥିଲେ । ସଂପୂର୍ଣ୍ଣ ଜନଆଧାରିତ ଢାଞ୍ଚାରେ ବେରବୋଇ ସମ୍ମିଳନୀ ହୋଇଥିଲା ଏବଂ ଏଠି ଦେଶର ସ୍ୱାଧୀନତା ସଂଗ୍ରାମ ଓ ଭାରତର ଆର୍ôଥକ, ସାମାଜିକ, ନୈତିକ ଓ ସାଂସ୍କୃତିକ ବିକାଶ ଘେନି ନୀଳ ନକ୍ସା ପ୍ରସ୍ତୁତ ହୋଇଥିଲା । ସେବେଠାରୁ ବେରବୋଇକୁ ସାଧାରଣ ଲୋକେ ଗାନ୍ଧୀ ପୀଠ ଭାବେ ବରଣ କରିଆସୁଛନ୍ତି ।

ବେରବୋଇରେ ପରବର୍ତ୍ତୀ ସମୟରେ ଗାନ୍ଧୀ ଦର୍ଶନର ମୌଳିକ ବିଦ୍ୟାଳୟ ଏବଂ କସ୍ତୂରବା ଗାନ୍ଧୀ ଜାତୀୟ ସ୍ମାରକୀ ଟ୍ରଷ୍ଟରେ ମାତୃମଙ୍ଗଳ କେନ୍ଦ୍ର ଆଦି ପ୍ରତିଷ୍ଠା କରାଯାଇଥିଲା । ୧୯୪୨ର ଭାରତ ଛାଡ଼ ଆନ୍ଦୋଳନକୁ ଗତିଶୀଳ କରାଇବାରେ ବେରବୋଇ ଅଧିବେଶନର ବିଶେଷ ଗୁରୁତ୍ୱ ରହିଥିଲା । ସ୍ଥାନୀୟ ଲୋକଙ୍କ ସହଭାଗିତାରେ ଏଠାରେ ଗାନ୍ଧୀ ସ୍ମୃତି କମିଟି ଗଢ଼ାଯାଇ ବିଭିନ୍ନ ରଚନାତ୍ମକ କାର୍ଯ୍ୟକ୍ରମ ସହିତ ଗାନ୍ଧୀ ଦର୍ଶନର ପ୍ରଚାର-ପ୍ରସାର କାମ ମଧ୍ୟ ଚାଲିଛି ।

ଗାନ୍ଧୀଜୀ ଯେଉଁ ସ୍ଥାନରେ ବେରବୋଇ ଗାଁ ଗହିରରେ ୭ଦିନ ଧରି ପତ୍ର କୁଡ଼ିଆରେ ରହୁଥିଲେ ସେଠାରେ ଏକ ମଣ୍ଡପ ନିର୍ମାଣ ସହ ଛୋଟ ପ୍ରତିମୂର୍ତ୍ତି ବସାଯାଇଥିଲା । ପରବର୍ତ୍ତୀ ସମୟରେ ଏଠାରେ ଗାନ୍ଧୀଜୀଙ୍କର ଏକ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ରହିଆସିଛି । ତେବେ ସାରା ବିଶ୍ୱରେ ଗାନ୍ଧୀ-୧୫୦ ବାର୍ଷିକୀ ପାଳନ ହେଉଥିବା ବେଳେ ରାଜ୍ୟ ସ୍ତରୀୟ କମିଟିର କେତେକ ସଦସ୍ୟଙ୍କ ପ୍ରସ୍ତାବ କ୍ରମେ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ଗାନ୍ଧୀପୀଠଗୁଡ଼ିକର ବିକାଶ ଲାଗି ଯେଉଁ ପରିକଳ୍ପନା କରାଯାଇଥିଲା ସେଥିରେ ବେରବୋଇ ପ୍ରକଳ୍ପ ଅନ୍ତର୍ଭୁକ୍ତ ଥିଲା ।

ବର୍ଷବର୍ଷ ଧରି ଏହି ପ୍ରକଳ୍ପ କାମ ସରୁନଥିବା ବେଳେ ଏଠାରେ ଥିବା ବହୁ ଗଛ କିନ୍ତୁ ସରକାର କାଟି ଦେଇଛନ୍ତି । ଏଠାରେ ସ୍ଥାପନ ପାଇଁ ଏକ ଗାନ୍ଧୀ ମୂର୍ତ୍ତି ନିର୍ମାଣ କରାଯାଇ ପ୍ରାୟ ଦୁଇବର୍ଷ ଧରି ଜରିକନା ଗୁଡ଼ାଇ ରଖାଯାଇଛି । ତେବେ ଦେଖାଯାଉଛି ଯେ ନିର୍ମିତ ହୋଇଥିବା ପ୍ରତିୂମର୍ତ୍ତିକୁ କେବଳ ବିକୃତ ନୁହେଁ, ଏହା ନିମ୍ନମାନର ହୋଇଥିବାରୁ ଉନ୍ମୋଚନ ପୂର୍ବରୁ ଫାଟିଗଲାଣି । ଏହି ପ୍ରକଳ୍ପ ଲାଗି ରାଜ୍ୟ ସରକାର କେତେ ଅର୍ଥ ବରାଦ କରିଛନ୍ତି ଏବଂ ତାହା କେଉଁ ଭାବରେ ଖର୍ଚ୍ଚ ହୋଇଛି ସ୍ଥାନୀୟ ଲୋକ ସେ ସଂପର୍କରେ ହିସାବ ମାଗୁଥିବା ବେଳେ ନିମ୍ନମାନର କାର୍ଯ୍ୟ ସହ ବିକୃତ ପ୍ରତିମୂର୍ତ୍ତି ନିର୍ମାଣରେ ସଂପୃକ୍ତ ବ୍ୟକ୍ତି ବିଶେଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହେଉଛି । (ତଥ୍ୟ)