Home Education ବିଶ୍ୱବିଦ୍ୟାଳୟରେ ନିଯୁକ୍ତି ବାଟ ଖୋଲିବ

ବିଶ୍ୱବିଦ୍ୟାଳୟରେ ନିଯୁକ୍ତି ବାଟ ଖୋଲିବ

ଭୁବନେଶ୍ୱର : ଓଡିଶା ବିଶ୍ୱବିଦ୍ୟାଳୟ ଆଇନ୍‍ରେ ପୁର୍ନବାର ସଂଶୋଧନ ଆଣିବାପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିବାରୁ ଏବେ ବିଶ୍ୱବିଦ୍ୟାଳୟଗୁଡିକର କୁଳପତି, ଶିକ୍ଷକ ଓ ଅଣଶିକ୍ଷକ ପଦବୀଗୁଡିକରେ ନିଯୁକ୍ତି ପାଇଁ ବାଟ ଖୋଲିଯିବ ।

ଏଠାରେ ଉଲ୍ଲେଖନୀୟ ଯେ ବିଶ୍ୱବିଦ୍ୟାଳୟ ଆଇନ୍‍ରେ ୨୦୨୦ ମସିହାରେ ଯେଉଁ ସଂଶୋଧନ ଆଣିଥିଲେ ତାହାକୁ କେନ୍ଦ୍ର କରି ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ମାମଲା ଚାଲିବା ପରିପ୍ରେକ୍ଷୀରେ ନୂଆ ନିଯୁକ୍ତି ସମ୍ଭବପର ହେଉନଥିଲା । ଏମିତିକି ବହୁ ବିଶ୍ୱବିଦ୍ୟାଳୟର କୁଳପତି ପଦବୀ ଖାଲି ପଡିଥିବାବେଳେ ତାହା ମଧ୍ୟ ପୂରଣ ହୋଇନପାରିବାରୁ ସରକାରୀ ବିଶ୍ୱବିଦ୍ୟାଳୟଗୁଡିକର ସ୍ଥିତି ଦିନକୁ ଦିନ ଦୟନୀୟ ହେବାରେ ଲାଗିଥିଲା । ଗୋଟିଏ ପଟେ ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡିକୁ ବିଶ୍ୱସ୍ତରୀୟ କରିବାପାଇଁ ବୟାନବାଜି ଚାଲିଥିବାବେଳେ ଅନ୍ୟ ପକ୍ଷରେ ଏଗୁଡିକ ବସ୍ତୁତଃ ନିସ୍ୱ ହୋଇ ଚାଲିଥିଲେ ।

୨୦୨୦ର ଆଇନ୍‍ ସଂଶୋଧନ ଯୋଗୁଁ ରାଜ୍ୟର ସରକାରୀ ବିଶ୍ୱବିଦ୍ୟାଳୟଗୁଡିକରେ ଶିକ୍ଷକ ନିଯୁକ୍ତି ଘେନି ଚୟନ ପ୍ରକ୍ରିୟା ବିଶ୍ୱବିଦ୍ୟାଳୟଗୁଡିକ ହାତରୁ କାଢିନେଇ ଓଡିଶା ଲୋକସେବା ଆୟୋଗ ଉପରେ ନ୍ୟସ୍ତ କରାଯାଇଥିଲା । ସେହିଭଳି ଅନ୍ୟ କର୍ମଚାରୀ ପଦବୀ ପୂରଣ ପାଇଁ ଚୟନ ଭାର ଅନ୍ୟ ସରକାରୀ ସଂସ୍ଥାଗୁଡିକୁ ଦିଆଯାଇଥିଲା ।

ସମଗ୍ର ଦେଶରେ ବିଶ୍ୱବିଦ୍ୟାଳୟଗୁଡିକ ପାଇଁ ନିଯୁକ୍ତି ପ୍ରକ୍ରିୟା ସଂକ୍ରାନ୍ତରେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ମାର୍ଗ ନିର୍ଦ୍ଦେଶିକା ଜାରି କରିଥାନ୍ତି । ତେବେ ଓଡିଶା ସରକାରଙ୍କ ନୂଆ ଆଇନ୍‍ର ଧାରା ୟୁଜିସି ମାର୍ଗଦର୍ଶିକାର ପରିପନ୍ଥୀ ହୋଇଥିବାରୁ ଏ ପ୍ରସଙ୍ଗରେ ୟୁଜିସି ସୁପ୍ରିମ୍‍କୋର୍ଟରେ ମାମଲା ଦାୟର କରିଛନ୍ତି । ଏହି ମାମଲା ଉପରେ ସୁପ୍ରିମ୍‍କୋର୍ଟ ଯେଉଁ ଟିପ୍ପଣୀ ଦେଇଛନ୍ତି ତାହା ଯୋଗୁଁ ଆଉ ଲୋକସେବା ଆୟୋଗ ମାଧ୍ୟମରେ ନିଯୁକ୍ତି ପାଇଁ ସରକାର ଆଗେଇ ପାରୁନାହାନ୍ତି କିମ୍ବା ଆୟୋଗ ମଧ୍ୟ ଏ ସଂକ୍ରାନ୍ତରେ ରିସ୍କ ନେଉନାହାନ୍ତି ।

ଏଭଳି ଗୋଳମାଳିଆ ସ୍ଥିତି ଯୋଗୁଁ ରାଜ୍ୟର ଅନ୍ୟୁନ ୮ଟି ବିଶ୍ୱବିଦ୍ୟାଳୟର କୁଳପତି ପଦବୀ ଖାଲିପଡିଛି । କେଉଁଠି ଭାରପ୍ରାପ୍ତ କୁଳପତି ଦାୟିତ୍ୱ ତୁଲାଉଛନ୍ତି ତ ଆଉ କେଉଁଠି କାର୍ଯ୍ୟକାଳ ସରିବାପରେ ବି ପୁରୁଣା କୁଳପତିମାନଙ୍କୁ ତାଙ୍କ ଦାୟିତ୍ୱରେ ରଖାଯାଉଛି । କେନ୍ଦୁଝର ଓ ଜୟପୁରରେ ଥିବା ବିଶ୍ୱବିଦ୍ୟାଳୟରେ ମୂଳରୁ କୁଳପତି ନାହାନ୍ତି ।

ଏହି ସମସ୍ୟା ଘେନି ବାରମ୍ବାର ଗଣମାଧ୍ୟମରେ ଚର୍ଚ୍ଚା ହେବା ସହିତ ବିଧାନସଭାରେ ବି ଉଦ୍‍ବେଗପ୍ରକାଶ ପାଉଛି । ଆଇନ୍‍ ବିଶାରଦ ଓ ଶିକ୍ଷାବିତ୍‍ମାନେ ଏଭଳି ସ୍ଥିତିରେ ରାଜ୍ୟ ସରକାର ତାଙ୍କ ସଂଶୋଧିତ ଆଇନ୍‍କୁ ପ୍ରତ୍ୟାହାର କରିନେଇ ପୂର୍ବ ପ୍ରଚଳିତ ଆଇନ୍‍କୁ କାର୍ଯ୍ୟକାରୀ କଲେ ୟୁଜିସି ମାମଲା ପ୍ରତ୍ୟାହାର କରିନେଇପାରେ ଏବଂ ତା ହେଲେ ଯାଇ ନିଯୁକ୍ତି ପ୍ରକ୍ରିୟା ସହଜ, ସରଳ ଓ ସ୍ୱଚ୍ଛ ହୋଇପାରିବ ବୋଲି ମତଦେଇ ଆସୁଛନ୍ତି । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଏ ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କୁ ଚିଠି ଲେଖି ବିବାଦୀୟ ଆଇନ୍‍ରେ ସଂଶୋଧନ ପାଇଁ ପୂର୍ବରୁ ଅନୁରୋଧ କରିଛନ୍ତି ।

ଏବେ ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡିକରେ ପ୍ରାୟ ୬୦ ପ୍ରତିଶତ ଶିକ୍ଷକ ଓ ୭୫ ପ୍ରତିଶତ ଅଣଶିକ୍ଷକ ପଦବୀ ଖାଲି ପଡିବା ଫଳରେ ବିଶ୍ୱବିଦ୍ୟାଳୟଗୁଡିକରେ ଅଧ୍ୟାପନା, ଗବେଷଣା, ପରୀକ୍ଷା ପରିଚାଳନା ଓ ପ୍ରଶାସନିକ କାର୍ଯ୍ୟ ଗୁରୁତର ଭାବେ ବ୍ୟାହତ ହେଉଛି । ତେବେ ଆଇନ୍‍ରେ ସଂଶୋଧନ ପାଇଁ ରାଜ୍ୟ ସରକାର ଯେଉଁ ପ୍ରସ୍ତାବ ରଖିଛନ୍ତି ତାହା ଯେତେଶୀଘ୍ର କାର୍ଯ୍ୟକାରୀ ହେବ ସେତେଶୀଘ୍ର ବିବାଦର ଅନ୍ତ ଘଟିବ ବୋଲି ଆଶା କରାଯାଉଛି । (ତଥ୍ୟ)