Home General ରାଜ୍ୟରେ ୭୮ ଲକ୍ଷ ପେଟ୍ରୋଲ ଗାଡ଼ି

ରାଜ୍ୟରେ ୭୮ ଲକ୍ଷ ପେଟ୍ରୋଲ ଗାଡ଼ି

ଭୁବନେଶ୍ୱର : ରାଜ୍ୟରେ ୭୮ ଲକ୍ଷରୁ ଅଧିକ ପେଟ୍ରୋଲ ଚାଳିତ ଗାଡ଼ି ପଞ୍ଜିକରଣ ହୋଇଥିବା ବେଳେ ୧୩ ଲକ୍ଷରୁ ଅଧିକ ଡିଜେଲ ଚାଳିତ ଗାଡ଼ିକ ପଞ୍ଜିକୃତ ହୋଇଛି । ତେବେ ସିଏନ୍‍ଜିରେ ଚାଲୁଥିବା ମାତ୍ର ୨୬୮ଟି ଗାଡ଼ି ପଞ୍ଜିକରଣ ହୋଇଥିବା ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି ।

ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଦର୍ଶାଇଛନ୍ତି ଯେ ରାଜ୍ୟରେ ୭୮,୩୫,୪୪୬ଟି ପେଟ୍ରୋଲ ଗାଡ଼ି, ୧୩,୧୯,୨୨୫ଟି ଡିଜେଲ ଚାଳିତ ଗାଡ଼ି ପଞ୍ଜିକରଣ ହୋଇଛି । ଏହାଛଡ଼ା ୭୨୧୮ଟି ସିଏନ୍‍ଜି ହାଇବ୍ରିଡ୍‍ ଗାଡ଼ି ଓ ୨୦୩୨ଟି ଡିଜେଲ ହାଇବ୍ରିଡ୍‍ ଗାଡ଼ି ମଧ୍ୟ ପଞ୍ଜିକୃତ ହୋଇଛି । ତେବେ ଦୈନିକ ମୁଣ୍ଡପିଛା ଇନ୍ଧନ ବ୍ୟବହାର କେତେଥିଲା ଓ ନୂଆ ଆଇନ୍‍ ଲାଗୁ ପରେ ତାହା ବଢ଼ିଛି କି କମିଛି ସେ ସମ୍ପର୍କୀୟ ତଥ୍ୟ କେନ୍ଦ୍ର ସରକାରଙ୍କ ପରିସରଭୁକ୍ତ ବୋଲି ମନ୍ତ୍ରୀ ଦର୍ଶର୍ାଇଛନ୍ତି ।

ସେହିଭଳି ବିଧାୟକ ଚନ୍ଦ୍ରମଣି କହଁରଙ୍କ ଅନ୍ୟଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି ଯେ ସଡ଼କ ଦୁର୍ଘଟଣା କମାଇବା ପାଇଁ ବିଭାଗ ପକ୍ଷରୁ ମଦୁଆ ଗାଡ଼ିଚାଳକଙ୍କୁ ଧରିବା ତଥା ଦ୍ରୁତ ବେଗରେ ଗାଡ଼ି ଚଳାଉଥିବା ଡ୍ରାଇଭରମାନଙ୍କୁ ଧରିବା ପାଇଁ ନିୟମିତ ଯାଞ୍ଚ କରାଯାଉଛି । ନିୟମ ଉଲ୍ଲଙ୍ଘନକାରୀମାନଙ୍କ ଡ୍ରାଇଭିଂ ଲାଇସେନ୍ସ ୩ ମାସ ପାଇଁ ନିଲମ୍ବନ ହେଉଛି । ଦ୍ରୁତ ଗାଡ଼ିଚାଳକମାନଙ୍କୁ ଠାବ କରିବା ପାଇଁ ରାଜପଥରେ ୩୭ଟି ଇଣ୍ଟରସେପ୍ଟର ମୁତୟନ କରାଯାଇଥିବା ବେଳେ ଜରିମାନା ଆଦାୟ ପାଇଁ ଇ-ଚାଲାଣ ବ୍ୟବସ୍ଥା କାର୍ଯ୍ୟକାରୀ ହେଉଛି ।

ଛାତ୍ରଛାତ୍ରୀମାନଙ୍କୁ ଟ୍ରାଫିକ୍‍ ନିୟନ୍ତ୍ରଣ କାର୍ଯ୍ୟରେ କମିଶନରେଟ୍‍ ପୁଲିସ ସମେତ ୧୦ଟି ଜିଲ୍ଲାରେ ମୁତୟନ କରାଯାଇଛି । ଦୁର୍ଘଟଣାଜନିତ ମୃତ୍ୟୁ ହ୍ରାସ ପାଇଁ ରାଜ୍ୟ ସଡ଼କ ସୁରକ୍ଷା ଆକ୍ସନ ପ୍ଲାନ୍‍ ପ୍ରସ୍ତୁତ ହୋଇଛି । ସଡ଼କ ନିର୍ମାଣ ପୂର୍ବରୁ ଓ ପରେ ସଡ଼କର ନିରାପତ୍ତା ଯାଞ୍ଚ ହେଉଥିବା ବେଳେ ଆଗାମୀ ଦିନରେ ଖୋର୍ଦ୍ଧା ଓ ଚଣ୍ଡୀଖୋଲ ମଧ୍ୟରେ ସିସିଟିଭି ଲଗାଇବା ସହିତ ରାଜ୍ୟରେ ସଡ଼କ ସୁରକ୍ଷା ଉପରେ ସିଟିଜେନ୍‍ ରିପୋର୍ଟିଂର ପ୍ରଚଳନ ନିଷ୍ପତ୍ତି ହୋଇଛି ।