Home General ଭାରତ ରତ୍ନ ତାଲିକାରେ ଓଡିଶାରୁ କେହି ନାହିଁ

ଭାରତ ରତ୍ନ ତାଲିକାରେ ଓଡିଶାରୁ କେହି ନାହିଁ

ଭୁବନେଶ୍ୱର : ସତୁରୀବର୍ଷ ଭିତରେ ଓଡିଶାର ଜଣେ ହେଲେ କେହି ବିଶିଷ୍ଟ ବ୍ୟକ୍ତି ଭାରତ ରତ୍ନ ସମ୍ମାନରେ କେନ୍ଦ୍ର ସରକାରଙ୍କ ଦ୍ୱାରା ସମ୍ମାନିତ ହୋଇନାହାନ୍ତି । ତେବେ ଓଡିଶାର ବିଭିନ୍ନ ବରପୁତ୍ରଙ୍କର ଜୟନ୍ତୀ ଓ ଶ୍ରାଦ୍ଧୋତ୍ସବ ବେଳକୁ ଭାରତ ରତ୍ନ ଦାବି ଉଠିଥାଏ । ଏମିତିକି ରାଜ୍ୟ ବିଧାନସଭାରେ ବି ଏ ପ୍ରସଙ୍ଗରେ ଦାବି ହୁଏ ।

୧୯୫୪ ମସିହାରେ ଭାରତ ସରକାର ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତ ରତ୍ନ ପ୍ରଦାନ ଆରମ୍ଭ କରିଥିଲେ । ସେତେବେଳେ ବିଶିଷ୍ଟ ବୈଜ୍ଞାନିକ ସି ଭି ରମଣ, ଦାର୍ଶନିକ ସର୍ବପଲ୍ଲୀ ରାଧାକ୍ରିଷ୍ଣନ ଓ ଖାତନାମା ସ୍ୱାଧୀନତା ସଂଗ୍ରାମୀ ଚକ୍ରବର୍ତ୍ତୀ ରାଜଗୋପାଳଚାରୀଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା ।

ରାଜନୀତି, ସମାଜସେବା, ସାହିତ୍ୟ, ସଂସ୍କୃତି ଆଦି ବିଭିନ୍ନ କ୍ଷେତ୍ରର ଅନେକ ବ୍ୟକ୍ତି ବିଶେଷଙ୍କୁ ଜୀବିତାବସ୍ଥାରେ ଏମିତିକି ମରୋଣତ୍ତର ଭାବେ ଭାରତ ରତ୍ନ ପ୍ରଦାନ କରାଯାଇଛି । ପଣ୍ଡିତ ଜବାହରଲାଲ ନେହେରୁ, ଇନ୍ଦିରା ଗାନ୍ଧୀ, ରାଜୀବ ଗାନ୍ଧୀଙ୍କ ସମେତ ଗୋବିନ୍ଦ ବଲ୍ଲଭ ପନ୍ତ, ବିଧାନ ଚନ୍ଦ୍ର ରାଏ, ପୁରୁଷୋତ୍ତମ ଦାସ ଟଣ୍ଡନ, ଲତା ମଙ୍ଗେସନର, ବିସ୍‍ମିଲ୍ଲା ଖାଁ, ଭୀମସେନ୍‍ ଯୋଶୀ, ସଚିନ ତେନ୍ଦୁଲକର, ସି.ଏନ.ଆର. ରାଓ, ମଦ ମୋହନ ମାଲବ୍ୟ, ଭୂପେନ ହଜାରିକା, ପ୍ରଣବ ମୁଖାର୍ଜୀ, ଚୌଧୁରୀ ଚରଣ ସିଂହ, ଅଟଳ ବିହାରୀ ବାଜପେୟୀ, ନାନାଜୀ ଦେଶମୁଖ, ଏମ.ଏସ୍‍.ସ୍ୱାମୀନାଥନ, ପି.ଭି.ନରସିଂହରାଓ, ସର୍ଦ୍ଦାର ବଲ୍ଲଭପାଇ ପଟେଲ, କର୍ପୁରୀ ଠାକୁର, ଲାଲକୃଷ୍ଣ ଆଡଭାନୀଙ୍କ ଭଳି ବହୁ ବ୍ୟକ୍ତିବିଶେଷ ଭାରତ ରତ୍ନ ସମ୍ମାନରେ ସମ୍ମାନିତ ହୋଇଛନ୍ତି ।

ତେବେ ଏଯାବତ୍‍ ଓଡିଶାର କୌଣସି କ୍ଷେତ୍ରରୁ ଜଣେହେଲେ ବ୍ୟକ୍ତି ବିଶେଷଙ୍କୁ ଭାରତ ରତ୍ନ ପ୍ରଦାନ ପାଇଁ କେନ୍ଦ୍ର ସରକାର ଯୋଗ୍ୟ ବିବେଚନା କରିନାହାନ୍ତି । ବିଭିନ୍ନ ସମୟରେ ଉତ୍କଳଗୌରବ ମଧୁସୂଦନ ଦାସ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, ବ୍ୟାସକବି ଫକୀରମୋହନ, ବିଜୁ ପଟ୍ଟନାୟକ, ହରେକୃଷ୍ଣ ମହତାବ, ନବକୃଷ୍ଣ ଚୌଧୁରୀ, କୁନ୍ତଳା କୁମାରୀ ସାବଜ, ଚନ୍ଦ୍ରଶେଖର ବେହେରା, ଆଚାର୍ଯ୍ୟ ହରିହର, ଆଇଜାକ ସାନ୍ତ୍ରା ଆଦିଙ୍କୁ ମରୋଣତ୍ତର ଭାରତରତ୍ନ ପ୍ରଦାନ ଲାଗି ଦାବି ହୋଇ ଆସୁଛି ।

ଅତୀତରେ ଓଡିଶାରେ ର୍ନିବାଚନବେଳେ ବି ବାରମ୍ବାର ଭାରତ ରତ୍ନ ପ୍ରସଙ୍ଗ ଉଠିଛି । ଏବେ ଓଡିଆ ଝିଅ ଦ୍ରୌପଦୀ ମୁର୍ମୁ ଭାରତର ରାଷ୍ଟ୍ରପତି ଥିବାରୁ ଏବଂ କେନ୍ଦ୍ର ଓ ରାଜ୍ୟରେ ବିଜେପି ସରକାର ଥିବା ଦୃଷ୍ଟିରୁ ଓଡିଶା ଶୀଘ୍ର ଭାରତ ରତ୍ନ ପାଇବ ବୋଲି ଅନେକ ଆଶାବାନ୍ଧି ବସିଛନ୍ତି । ଏମିତିକି ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠାର୍ଜନ କରିଥିବା କିଛି ଜୀବିତ ବ୍ୟକ୍ତିଙ୍କ ନାମ ମଧ୍ୟ ଏଥିପାଇଁ ଚର୍ଚ୍ଚା ହେଉଛି ।

ଚଳିତବର୍ଷ ମା’ ରମାଦେବୀ ଓ ହରେକୃଷ୍ଣ ମହତାବଙ୍କ ୧୨୫ତମ ଜନ୍ମବାର୍ଷିକୀ ପାଳନ ହେଉଥିବା ପରିପ୍ରେକ୍ଷୀରେ ବିଭିନ୍ନ ମହଲରୁ ଏହି ଦୁଇ ବିଭୂତିଙ୍କୁ ଭାରତ ରତ୍ନ ପ୍ରଦାନ ଲାଗି ଦାବି ଉଠୁଛି । ବିଶେଷକରି କେନ୍ଦ୍ର ସରକାର ମହିଳା ସଶକ୍ତିକରଣ ଉପରେ ଗୁରୁତ୍ୱ ଦେଉଥିବାରୁ ସ୍ୱାଧୀନତା ସଂଗ୍ରାମ, ସମାଜସେବା ଓ ତ୍ୟାଗର କ୍ଷେତ୍ରରେ ଅନନ୍ୟ ସ୍ଥାନ ସୃଷ୍ଟି କରିଥିବା ମା’ ରମାଦେବୀଙ୍କୁ ଏହି ସମ୍ମାନ ପ୍ରଦାନ କରାଗଲେ ତାହା ବିବାଦରୁ ଉର୍ଦ୍ଧ୍ୱରେ ରହିବ ବୋଲି ବହୁ ଶିକ୍ଷାବିତ୍‍, ସମାଜସେବୀ ଓ ଦଳମତ ନିର୍ବିଶେଷରେ ରାଜନେତା ମତବ୍ୟକ୍ତ କରୁଛନ୍ତି ।

ଅନ୍ୟ ପକ୍ଷରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ହରେକୃଷ୍ଣ ମହତାବଙ୍କ ୧୨୫ତମ ଜନ୍ମବାର୍ଷିକୀ ପାଇଁ ବ୍ୟାପକ କାର୍ଯ୍ୟକ୍ରମ ଆରମ୍ଭ କରିଥିବାରୁ ଡକ୍ଟର ମହତାବଙ୍କୁ ମରଣୋତ୍ତର ଭାରତ ରତ୍ନ ମିଳିପାରେ ବୋଲି ତାଙ୍କ ଅନୁଗାମୀମାନେ ଆଶା କରୁଛନ୍ତି । ଏଯାବତ୍‍ କିନ୍ତୁ ଓଡିଶା ସରକାର ବିଧିବଦ୍ଧ ଭାବେ ରାଜ୍ୟର କାହା ନାମ ଭାରତ ରତ୍ନ ପାଇଁ ସୁପାରିଶ୍‍ କରିନାହାନ୍ତି । (ତଥ୍ୟ)