ଭୁବନେଶ୍ୱର : ରାଜ୍ୟ ସରକାର ରୋଗୀମାନଙ୍କୁ ଚିକିତ୍ସାଳୟରେ ଔଷଧଠାରୁ ଆରମ୍ଭ କରି ବିଭିନ୍ନ ପରୀକ୍ଷା ନିରୀକ୍ଷା ମାଗଣାରେ ଯୋଗାଇ ଦେଉଥିବାବେଳେ ଖୋଦ୍ ରାଜଧାନୀରେ କିନ୍ତୁ ଡାକ୍ତରଖାନା ଚାରିପଟେ ଘରୋଇ କ୍ଲିନିକ ସଂଖ୍ୟା ବଢିବାରେ ଲାଗିଛି । ଏଠାକୁ କିଭଳି ରୋଗୀମାନେ ଅଧିକ ସଂଖ୍ୟାରେ ଯିବେ ସେ ଦିଗରେ ଡାକ୍ତରଙ୍କ ଠାରୁ ଆରମ୍ଭକରି ଡାକ୍ତରଖାନାରେ ପଇଁତରା ମାରୁଥିବା ଦଲାଲମାନେ ଉଦ୍ୟମ ଚଳାଉଛନ୍ତି ।
ରାଜଧାନୀର ସବୁଠାରୁ ବଡ ଚିକିତ୍ସାଳୟ ହେଉଛି କ୍ୟାପିଟାଲ ହସ୍ପିଟାଲ । ରାଜଧାନୀ ସମେତ ପୁରୀ, ଖୋରଧା, ନୟାଗଡ ଆଦି ଜିଲ୍ଲାର ରୋଗୀମାନେ ଏହା ଉପରେ ନିର୍ଭରଶୀଳ । ଡାକ୍ତରଖାନା ପରିସରରେ ମାଗଣା ଔଷଧ ବିତରଣ ପାଇଁ ଦୁଇ ଦୁଇଟି ନିରାମୟ କେନ୍ଦ୍ର, ମାଗଣା ରକ୍ତ ଓ ଅନ୍ୟାନ୍ୟ ପରୀକ୍ଷାପାଇଁ ନିଦାନ କେନ୍ଦ୍ର ସମେତ ପିପିପି ମୋଡ୍ରେ ଏକ୍ସରେ, ଅଲଟ୍ରାସାଉଣ୍ଡ, ସିଟିସ୍କାନ ଆଦି ସେବା ବିନା ମୂଲ୍ୟରେ ଯୋଗାଇ ଦିଆଯାଉଛି । ରୋଗୀମାନେ କିଭଳି ଉତ୍ତମ ସେବା ପାଇବେ ସେଥିପାଇଁ ଏହି ଡାକ୍ତରଖାନରେ ଦୁଇବେଳା ଆଉଟଡୋର ଖୋଲୁଛି ।
ଏତେ ସବୁ ସତ୍ୱେ କ୍ୟାପିଟାଲ ହସ୍ପିଟାଲ ଚାରିପାଖରେ ନୂଆ ନୂଆ ନର୍ସିଂହୋମ୍, ବିଭିନ୍ନ ପରୀକ୍ଷା କେନ୍ଦ୍ର, ଔଷଧ ଦୋକାନ ଆଦି ଖୋଲିବାରେ ଲାଗିଛି । ଏଠାକୁ ଢେର ଅଧିକ ରୋଗୀ ବି ଆସୁଛନ୍ତି । ତେବେ ସବୁକିଛି ମାଗଣାରେ ମିଳୁଥିବା କ୍ୟାପିଟାଲ ହସ୍ପିଟାଲ ପାଚେରୀ କଡରେ ଏଗୁଡିକ କାହିଁକି ଏତେ ସଂଖ୍ୟାର ଖୋଲୁଛି ଏଠାକୁ କେଉଁମାନେ ଆସୁଛନ୍ତି ସେ ସଂକ୍ରାନ୍ତରେ କେହି ତର୍ଜମା କରୁନାହାନ୍ତି । ଏପରିକି ଏହିସବୁ ଘରୋଇ ଚିକିତ୍ସାକେନ୍ଦ୍ରରେ କେଉଁ କେଉଁ ଡାକ୍ତର ଆସି କେତେବେଳେ ରୋଗୀ ଦେଖୁଛନ୍ତି ତାହାର ସୂଚନା ବି ସରକାର ସଂଗ୍ରହ କରୁନାହାନ୍ତି ।
ତେବେ ଯାହା ଜଣାଯାଇଛି କ୍ୟାପିଟାଲ ହସ୍ପିଟାଲକୁ ରୋଗୀମାନେ ହିଁ ଏହିସବୁ ଘରୋଇ ଚିକିତ୍ସାକେନ୍ଦ୍ର, ପରୀକ୍ଷାକେନ୍ଦ୍ର ଆଦିର ବଡ ହିତାଧିକାରୀ । ଡାକ୍ତରଖାନରେ ଧାଡିରେ ଛିଡା ନହୋଇ ରୋଗୀମାନେ କିଭଳି ଘରୋଇ କ୍ଲିନିକକୁ ଆସିବେ ଦଲାଲମାନେ ତାହାର ବ୍ୟବସ୍ଥା କରିଦେଉଛନ୍ତି । ବାରମ୍ବାର ପୁଲିସ୍ ଏମାନଙ୍କ ଧରୁଥିଲେ ମଧ୍ୟ ନୂଆ ନୂଆ ରୂପରେ ଆସି ଦଲାଲି କରୁଛନ୍ତି । ପ୍ରାୟତଃ ପ୍ରତ୍ୟେକ ଘରୋଇ ନର୍ସିଂହୋମ୍ର ଦଲାଲମାନେ କ୍ୟାପିଟାଲ ହସ୍ପିଟାଲରେ ସକ୍ରିୟ ରହୁଛନ୍ତି ।
ସେହିଭଳି ନାମୀ ଦାମୀ ଘରୋଇ ଡାକ୍ତରଖାନାର ଡାକ୍ତରମାନେ କ୍ୟାପିଟାଲ ହସ୍ପିଟାଲ ପାଖରେ ଆସି ପ୍ରାୟତଃ ରୋଗୀ ଦେଖୁନାହାନ୍ତି । ତେଣୁ କ୍ୟାପିଟାଲ ହସ୍ପିଟାଲ ଆଖପାଖରେ ରହୁଥିବା ଡାକ୍ତରମାନେ ହିଁ ଏଠାରେ ରୋଗୀ ଦେଖୁଛନ୍ତି । ତେଣୁ ସରକାରୀ ଡାକ୍ତରଖାନରୁ ରୋଗୀମାନେ କିଭଳି ଏହିସବୁ ଘରୋଇ ଚିକିତ୍ସାଳୟକୁ ଆସିବେ ସେ କ୍ଷେତ୍ରରେ ସେମାନଙ୍କର ବଡ ଭୂମିକା ରହୁଛି ।
କେବଳ କ୍ୟାପିଟାଲ ହସ୍ପିଟାଲ ନୁହେଁ, ରାଜଧାନୀ ବିଭିନ୍ନ ସ୍ଥାନରେ ଓ ରାଜ୍ୟର ପ୍ରାୟ ପ୍ରତ୍ୟେକ ସରକାରୀ ଡାକ୍ତରଖାନା ନିକଟରେ ଏଭଳି ଦୃଶ୍ୟ ଦେଖିବାକୁ ମିଳୁଛି । ଏଥିଯୋଗୁଁ ସରକାର ଯୋଗାଉଥିବା ମାଗଣା ଚିକିତ୍ସାସେବା ବାଟବଣା ହେଉଥିବାବେଳେ ଘରୋଇ ଚିକିତ୍ସାଳୟ ଓ ପରୀକ୍ଷାକେନ୍ଦ୍ରଗୁଡିକର ରୋଗୀ ଶୋଷଣ ପ୍ରକିୟା ବଢି ବଢି ଚାଲିଛି । ତେଣୁ ରାଜ୍ୟ ସରକାର ଡାକ୍ତରଖାନା ନିକଟରେ ଥିବା ଏହିସବୁ ଘରୋଇ ଚିକିତ୍ସାଳୟ ଓ ପରୀକ୍ଷାକେନ୍ଦ୍ରରେ ଅର୍ତିକିତ ଚଢଉ କଲେ ବହୁ ଘଟଣା ପଦାକୁ ଆସିବ ବୋଲି ରୋଗୀମାନେ ମତ ଦେଉଛନ୍ତି । (ତଥ୍ୟ)