ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ଅଞ୍ଚଳରେ ବସବାସ କରୁଥିଲେ ଲୋକେ ସେମାନଙ୍କ ସମସ୍ୟା କାହାକୁ ଜଣାଇବେ ଜାଣିପାରୁ ନାହାନ୍ତି । ସରକାରଙ୍କର ବହୁ ଆଡମ୍ବରରେ ପ୍ରଚାରିତ ୧୯୨୯ ଫୋନ୍ ନମ୍ବରଟି ଏକ ପ୍ରକାର ଅଚଳ ହୋଇପଡିଥିବାବେଳେ ଅଧିକାଂଶ ୱାର୍ଡ ଅଫିସରଙ୍କର ଦେଖାଦର୍ଶନ ମିଳୁନାହିଁ ।
ରାଜଧାନୀବାସୀ ନିଜର ସମସ୍ୟାକୁ ୧୯୨୯ ନମ୍ବର ଯୋଗେ ଜଣାଇବାପାଇଁ କର୍ତ୍ତୃପକ୍ଷ ପ୍ରଚାର କରିଥିଲେ । ବ୍ୟାପକ ଅର୍ଥ ଶ୍ରାଦ୍ଧ କରି କାନ୍ଥବାଡରେ ବିଜ୍ଞାପନ ଦେଇଛନ୍ତି । ହେଲେ ନମ୍ବରକୁ ଫୋନ୍ କଲେ ଆଦୌ ଲାଗୁନାହିଁ । ଯଦି କୌଣସି ପ୍ରକାରେ ସଂଯୋଗ ହୋଇଯାଉଛି ତେବେ ସମସ୍ତେ ବ୍ୟସ୍ତ ଅଛନ୍ତି, ପରେ ଫୋନ୍ କରନ୍ତୁ ଉତ୍ତର ଆସୁଛି । ତେଣୁ ଲୋକେ ବିରକ୍ତ ହୋଇ ଆଉ ଫୋନ୍ କରୁନାହାନ୍ତି ।
ସେହିଭଳି ଲୋକଙ୍କ ସୁବିଧା ପାଇଁ ପ୍ରତି ୱାର୍ଡରେ ଗୋଟିଏ କରି ୱାର୍ଡ ଅଫିସ୍ ଖୋଲାଯାଇଥିଲା । ପ୍ରତି ୱାର୍ଡରେ ଜଣେ କରି ୱାର୍ଡ ଅଫିସର ନିଯୁକ୍ତ ହୋଇଥିଲେ । ୱାର୍ଡର ଭଲମନ୍ଦ ବୁଝିବା ତାଙ୍କ ଦାୟିତ୍ୱ । ହେଲେ ଏହି ଅଫିସର ଅଧିକାଂଶ ସ୍ଥାନରେ ୱାର୍ଡ ବୁଲୁ ନାହାନ୍ତି ତାଙ୍କୁ ୱାର୍ଡବାସୀ ଦେଖିବାକୁ ପାଉ ନାହାନ୍ତି । ଏପରିକି ୱାର୍ଡ ଅଫିସଟି କେଉଁଠାରେ ରହିଛି ତାହା ଅଧିକାଂଶ ୱାର୍ଡର ଲୋକେ ସଠିକ ଭାବେ ଜାଣିପାରୁ ନାହାନ୍ତି ।
ସେହିଭଳି ବିଦ୍ୟୁତ୍ ସମସ୍ୟା ହେଉ କିମ୍ବା ପରିମଳ ବିଏମ୍ସିକୁ ଫୋନ୍ଟିଏ କରିବାକୁ ସେଭଳି କୌଣସି ନମ୍ବର ନାହିଁ । ଯେଉଁ ଗୋଟିଏ ଦୁଇଟି ଲ୍ୟାଣ୍ଡଲାଇନ୍ ରହିଛି ତାହା ଅଧିକାଂଶ ସମୟରେ ବ୍ୟସ୍ତ । ତେଣୁ ଏଭଳି ସ୍ଥିତିରେ ସହରବାସୀ ନିଜର ସମସ୍ତ କାହାକୁ କିଭଳି ଜଣାଇବେ ତାହା ଜାଣିପାରୁ ନାହାନ୍ତି । ଏହାବାଦ୍ କର୍ତ୍ତୃପକ୍ଷ ବ୍ୟାପକ ଅର୍ଥ ବ୍ୟୟରେ ଯେଉଁ ସଫା ଆପ୍ ପ୍ରସ୍ତୁତ କରିଛନ୍ତି ତାହାକୁ ସମସ୍ତେ ବ୍ୟବହାର କରିବା ଏତେଟା ସହଜ ନୁହେଁ ।
ସହରରେ ଏବେ ପରିମଳ ବ୍ୟବସ୍ଥା ଧିରେ ଧିରେ ବିଗିଡିବାରେ ଲାଗିଛି । ଦାୟିତ୍ୱରେ ଥିବା ଠିକାସଂସ୍ଥାମାନେ ଅଧିକ ଲାଭ ଆଶାରେ କମ୍ ସଂଖ୍ୟକ ଲୋକ ନିୟୋଜିତ କରୁଛନ୍ତି । ଏମାନେ କୋଟି କୋଟି ଟଙ୍କାରେ ଟେଣ୍ଡର ହାତେଇ ନେଇଥିବାବେଳେ ସେମାନଙ୍କୁ ଜଗିବାକୁ ପ୍ରାୟତଃ କେହି ନାହାନ୍ତି । ଅବସ୍ଥା ଏଭଳି ହୋଇଛି ଯେ ବିଭିନ୍ନ ବାହାନା କରି ଦିନେ ଛାଡି ଦିନେ ଝାଡୁ ମାରୁଛନ୍ତି ।
ସହରରେ କେବଳ ଘରକୁ ଘର ବୁଲି ଅଳିଆ ସଂଗ୍ରହ କାର୍ଯ୍ୟଟି ସୁରୁଖୁରୁ ଚାଲିଥିବାବେଳେ ଷ୍ଟ୍ରିଟ୍ ଲାଇଟ୍ ଠାରୁ ଆରମ୍ଭ କରି ପରିମଳ ବ୍ୟବସ୍ଥା ବିଗିଡିବାରେ ଲାଗିଛି । ତେଣୁ ସାଧାରଣ ଲୋକେ ସେମାନଙ୍କର ସମସ୍ୟା ଓ ଅଭିଯୋଗ ଯେଭଳି ସଠିକ ଭାବେ ଜଣାଇପାରିବେ ତାହାର ତୁରନ୍ତ ବ୍ୟବସ୍ଥା କରାଯିବାକୁ ଦାବି ହେଉଛି । ଏପରିକି ପ୍ରତି ସପ୍ତାହରେ ଘରକୁ ଘର ବୁଲି ଲୋକଙ୍କ ଠାରୁ ପରିମଳ ସେବା ସଂକ୍ରାନ୍ତରେ ମତାମତ ସଂଗ୍ରହ କରାଗଲେ ସହରର ବାସ୍ତବ ଚିତ୍ର ପଦାକୁ ଆସିବ ବୋଲି ସହରବାସୀ ମତ ଦେଉଛନ୍ତି ।
ସେହିଭଳି ସହରର ବିଭିନ୍ନ ସ୍ଥାନରେ ଯେଭଳି ସରକାରଙ୍କ ପ୍ରଚାର ବିଜ୍ଞାପନ ଲାଗିଛି ଅନୁରୂପ ଭାବେ ୱାର୍ଡ ଦାୟିତ୍ୱରେ ଥିବା ଅଧିକାରୀଙ୍କ ସମେତ ଅନ୍ୟାନ୍ୟ ଜରୁରୀ ଅଧିକାରୀଙ୍କ ନାମ, ପଦବୀ ଓ ଫୋନ୍ ନମ୍ବର ସର୍ବସାଧାରଣ ସ୍ଥାନରେ ଲଗାଇବାକୁ ମତପ୍ରକାଶ ପାଉଛି । (ତଥ୍ୟ)