Home General ଓଡ଼ିଶାର ସାମୁଦ୍ରିକ ପରମ୍ପରାର ଅନୁସନ୍ଧାନ

ଓଡ଼ିଶାର ସାମୁଦ୍ରିକ ପରମ୍ପରାର ଅନୁସନ୍ଧାନ

ଭୁବନେଶ୍ଵର: ଅଲ୍ ଥିଙ୍ଗ୍ସ ଓଡ଼ିଶା ପକ୍ଷରୁ ‘ସେଫ ଓଡିଶା ଫର ହର’ ମୁଖ୍ୟାଳୟରେ ଆୟୋଜିତ ‘ଓଡ଼ିଶା ମନସ୍କ’ର ଚତୁର୍ଥ ସଂସ୍କରଣରେ ‘ସାମୁଦ୍ରିକ ଇତିହାସ ଓ ଓଡ଼ିଆ ପରିଚୟ ନିର୍ମାଣ’ ଶୀର୍ଷକ ଏକ ଅନ୍ତରଙ୍ଗ ଓ ଚିନ୍ତାପ୍ରବଣ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପୃଷ୍ଠଭୂମିରୁ ଆସିଥିବା ଅଂଶଗ୍ରହଣକାରୀ ଏକାଠି ହୋଇ ଓଡ଼ିଶାର ସମୃଦ୍ଧ ସାମୁଦ୍ରିକ ଐତିହ୍ୟର ସଂରକ୍ଷଣ ଓ ପ୍ରୋତ୍ସାହନ ନିମନ୍ତେ ସେମାନଙ୍କ ଜୀବନ ଅନୁଭୂତି, ଅନୁଧ୍ୟାନଜନିତ ଜ୍ଞାନ ଓ ପ୍ରସ୍ତାବ ବାଣ୍ଟିଥିଲେ।

ଐତିହାସିକ ଆହ୍ୱାନର ମୁକାବିଲା କରିବା ସହ ଓଡ଼ିଆମାନେ ସେମାନଙ୍କ ସାମୁଦ୍ରିକ ଅତୀତରେ ଅନୁଭବ କରୁଥିବା ଗୌରବ ଏବଂ ଏହି ପରମ୍ପରା ସହିତ ସମ୍ପର୍କ ହ୍ରାସ ଉପରେ ଆଲୋକପାତ କରାଯାଇଥିଲା। ଅଂଶଗ୍ରହଣକାରୀମାନେ ଓଡ଼ିଶାର ସାମୁଦ୍ରିକ ଇତିହାସ ଏହାର ସାଂସ୍କୃତିକ ପରିଚୟ ସହିତ କିପରି ଜଡ଼ିତ ରହିଛି ସେ ସମ୍ପର୍କରେ ଆଲୋକପାତ କରିବା ସହ ବୁଝାମଣାରେ ଥିବା ବ୍ୟବଧାନକୁ ଦୂର କରିବା ପାଇଁ ଆନ୍ତଃପୀଢି ଜ୍ଞାନ ହସ୍ତାନ୍ତରର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ ।

ଓଡ଼ିଶାର ଐତିହାସିକ ବାଣିଜ୍ୟ ମାର୍ଗ ମହାନଦୀ ଓ ବଙ୍ଗୋପସାଗରରୁ ବାଲି, ଜାଭା, ସୁମାତ୍ରା, ମଳୟ ଓ ଶ୍ରୀଲଙ୍କା ଭଳି ଦେଶ ସହ ସଂଯୋଗ କରିଥିଲା। ଏହି ବାଣିଜିକ ବିନିମୟ ସାଂସ୍କୃତିକ, ରୋଷେଇ ଏବଂ ଅର୍ଥନୈତିକ ସମ୍ପର୍କକୁ ପ୍ରୋତ୍ସାହିତ କରିଥିଲା । ଏହି ଚମତ୍କାର ଅତୀତ ସତ୍ତ୍ୱେ ଓଡ଼ିଶାର ସାମୁଦ୍ରିକ ଇତିହାସ ଅଣଲିଖିତ ହୋଇ ରହିଛି, ଯେଉଁଥିରେ ଆନୁଷ୍ଠାନିକ ରେକର୍ଡ ପରିବର୍ତ୍ତେ ମୌଖିକ ପରମ୍ପରା ମାଧ୍ୟମରେ ଖଣ୍ଡବିଖଣ୍ଡିତ ବିବରଣୀ ବଞ୍ଚି ରହିଛି।

ସାଂସ୍କୃତିକ ସମାନତା- ସ୍ଥାନ, କଳା ଓ ପାତ୍ରକୁ ନେଇ ଗଠିତ ଧାରଣା- ଓଡ଼ିଶାର ବିଶ୍ୱସ୍ତରୀୟ ପ୍ରଭାବକୁ ପ୍ରତିଫଳିତ କରିଥାଏ। ତେବେ ଏହି ପ୍ରସଙ୍ଗରେ ଗବେଷଣା ଓ ଶିକ୍ଷାର ଅଭାବକୁ ନେଇ ବିଶେଷଜ୍ଞମାନେ କ୍ଷୋଭ ପ୍ରକାଶ କରିବା ସହ ଶୃଙ୍ଖଳିତ ଦସ୍ତାବିଜିକରଣ ଓ ପ୍ରସାର ପାଇଁ ଆହ୍ୱାନ ଦେଇଛନ୍ତି।

ସମଗ୍ର ଓଡ଼ିଶାରେ ସାମୁଦ୍ରିକ ପରମ୍ପରାକୁ ଓଡିଶାର ସବୁ ଅଂଚଳରେ ସମାନ ମାନ୍ୟତା ନ ମିଳିବା ଏଠାରେ ଅଲୋଚିତ ହୋଇଥିଲା । ଉପକୂଳବର୍ତ୍ତୀ ଅଞ୍ଚଳରେ ବୋଇତ ବନ୍ଦାଣ ଓ ବାଲିଯାତ୍ରା ଭଳି ପର୍ବ ପାଳନ କରାଯାଉଥିବା ବେଳେ ପଶ୍ଚିମାଞ୍ଚଳରେ ଏହି ପରମ୍ପରା ସହ ପରିଚୟ ଯଥେଷ୍ଟ କମ । ପଶ୍ଚିମ ଓଡ଼ିଶାରେ ସାମୁଦ୍ରିକ ଐତିହ୍ୟକୁ ଲୋକପ୍ରିୟ କରିବା ପାଇଁ ସାମ୍ପ୍ରତିକ ପ୍ରୟାସ ସତ୍ତ୍ୱେ ଏହି ଅସମାନତା ଅଧିକ ସମାବେଶୀ ଉତ୍ସବର ଆବଶ୍ୟକତାକୁ ପ୍ରତିଫଳିତ କରୁଛି।

ଶିକ୍ଷାପାଠ୍ୟକ୍ରମରେ ସାମୁଦ୍ରିକ ଇତିହାସର ଅନୁପସ୍ଥିତିକୁ ମଧ୍ୟ ଅଂଶଗ୍ରହଣକାରୀମାନେ ଉଲ୍ଲେଖ କରିଥିଲେ। ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ଏହି ପରମ୍ପରାକୁ ବିଦ୍ୟାଳୟ ପାଠ୍ୟକ୍ରମରେ ସାମିଲ କରିବା ଦ୍ୱାରା ଯୁବପିଢ଼ି ନିଜ ଐତିହ୍ୟକୁ ନେଇ ଗର୍ବ କରିବାକୁ ପ୍ରେରଣା ପାଇପାରିବେ। ତପୋଇର ଲୋକକାହାଣୀ ଭଳି ଆଉ କିଛି କାହାଣୀ ସୃଷ୍ଟି କରି ଐତିହାସିକ ଶିକ୍ଷା ସହିତ ଲୋକକଥାକୁ ମିଶ୍ରଣ କରିବାର ଉପକରଣ ଭାବରେ ସୁପାରିଶ କରାଯାଇଥିଲା ।

ଏକଦା ଗୁରୁତ୍ୱପୂର୍ଣ୍ଣ ବାଣିଜ୍ୟ ସ୍ଥଳୀ ମହାନଦୀ ଏବେ ପ୍ରଦୂଷଣ ଓ ଅବହେଳାର ସମ୍ମୁଖୀନ ହେଉଛି। ଓଡ଼ିଶାର ସାମୁଦ୍ରିକ ପରମ୍ପରାକୁ ସଂରକ୍ଷିତ ରଖିବାରେ ନଦୀ ସଂରକ୍ଷଣ ଉପରେ ଗୁରୁତ୍ୱ ଦେଇ ବୋଇତ ବନ୍ଦାଣ ଭଳି ସାଂସ୍କୃତିକ ଉତ୍ସବକୁ ପରିବେଶଗତ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ଲାଟଫର୍ମରେ ପରିଣତ କରିବାକୁ ଫୋରମ୍ ଆହ୍ୱାନ ଦେଇଛି।

ଓଡ଼ିଶାର ସାମୁଦ୍ରିକ ଇତିହାସ ବାଣିଜ୍ୟ ବେପାର କାହାଣୀ ଠାରୁ ଅଧିକ; ଏହା ସାଂସ୍କୃତିକ ଗୌରବ ଏବଂ ବୈଶ୍ୱିକ ପ୍ରଭାବର ପ୍ରତୀକ । ଶିକ୍ଷା, ଉତ୍ସବ ଏବଂ ସଂରକ୍ଷଣ ପ୍ରୟାସ ମାଧ୍ୟମରେ ଏହି ପରମ୍ପରାକୁ ପୁନରୁଦ୍ଧାର କରିବା ଦ୍ୱାରା ଓଡ଼ିଆମାନେ ସେମାନଙ୍କ ମୂଳ ସହିତ ପୁନର୍ବାର ଯୋଡ଼ି ହୋଇପାରିବେ ଏବଂ ଭବିଷ୍ୟତ ପିଢ଼ିକୁ ସେମାନଙ୍କ ଐତିହ୍ୟକୁ ସ୍ମରଣ ଏବଂ ସଂରକ୍ଷଣ କରିବାକୁ ପ୍ରେରଣା ଦେଇପାରିବେ ।

ଅତୀତକୁ ପୁନରୁଦ୍ଧାର କରିବା କେବଳ ପୂର୍ବପୁରୁଷଙ୍କୁ ସମ୍ମାନ ଦେବା ନୁହେଁ ବରଂ ଭବିଷ୍ୟତ ପାଇଁ ଏକ ଶକ୍ତିଶାଳୀ ଏବଂ ଗର୍ବିତ ଓଡ଼ିଆ ପରିଚୟ ସୃଷ୍ଟି କରିବ ବୋଲି ଓଡ଼ିଶା ମନସ୍କ ଅଂଶଗ୍ରହଣକାରୀମାନେ ଗୁରୁତ୍ୱାରୋପ କରି କହିଥିଲେ ।