Home General ଏଥର ସ୍ଥାୟୀ ବ୍ୟାରିକେଡ୍‍

ଏଥର ସ୍ଥାୟୀ ବ୍ୟାରିକେଡ୍‍

ଭୁବନେଶ୍ୱର : ବିଶିଷ୍ଟ ବ୍ୟକ୍ତିମାନଙ୍କ ଗସ୍ତବେଳେ ନିରାପତ୍ତା ପାଇଁ ରାଜଧାନୀର ରାସ୍ତାଘାଟରେ ପୂର୍ବରୁ ଯେଭଳି କାଠ ଓ ବାଉଁଶର ବାଡ ଦିଆଯାଉଥିଲା ଏବେ ତାହାକୁ ବଦଳାଇ ସ୍ଥାୟୀ ଲୁହାବାଡର ବ୍ୟବସ୍ଥା କରାଯାଉଛି । ଏଥିପାଇଁ ରାଜଧାନୀର ବିଭିନ୍ନ ଅଞ୍ଚଳରେ ଏବେ ଫୁଟ୍‍ପାଥ୍‍ର ଟାଇଲ୍‍ ଭାଙ୍ଗି ବ୍ୟାପକ କାମ ଚାଲିଛି ।

ଗତ ସରକାର ସମୟରେ ଜୟଦେବଭବନ ସମେତ କେତେକ ଅଞ୍ଚଳରେ ନିରାପତ୍ତା ପାଇଁ ରାସ୍ତାରେ ସୁଉଚ୍ଚ ଲୁହା ଗ୍ରିଲ୍‍ମାନ ବସାଯାଇଥିଲା । ମହାତ୍ମାଗାନ୍ଧୀ ମାର୍ଗରେ ମଧ୍ୟ ଲୁହା ଗ୍ରିଲ୍‍ କେତେକ ସ୍ଥାନରେ ବସିଥିଲା । ଏହି ଅଞ୍ଚଳରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ରହୁଥିବାରୁ ତାଙ୍କ ସରକାରୀ ବାସଭବନ ସମେତ ଆଖପାଖ ଅଞ୍ଚଳରେ ବି ସ୍ଥାୟୀ ଲୁହାବାଡ ବ୍ୟବସ୍ଥା ହୋଇଛି । ଅବଶ୍ୟ ପୂର୍ବରୁ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବାବେଳେ ବିମାନବନ୍ଦର ନିକଟବର୍ତ୍ତୀ ତାଙ୍କ ଘର ସାମ୍ନାରେ ଥିବା ସରକାରୀ ଜାଗାରେ ଲୁହାବାଡ ମଧ୍ୟ ବସାଯାଇଥିଲା ।

ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସମେତ ବିଶିଷ୍ଟ ବ୍ୟକ୍ତିମାନଙ୍କ ଭୁବନେଶ୍ୱର ଗସ୍ତବେଳେ ନିରାପତ୍ତା ପାଇଁ ବ୍ଲୁ ବୁକ୍‍ର ମାର୍ଗନିର୍ଦ୍ଦେଶିକା ମୁତାବକ ରାସ୍ତାଘାଟରେ ବ୍ୟାପକ ବ୍ୟାରିକେଡ୍‍ ନିର୍ମିତ ହୋଇଥାଏ । ସବୁ ଅଞ୍ଚଳ ପାଇଁ ଲୁହା ବ୍ୟାରିକେଡ୍‍ ନଥିବାରୁ ହଜାର ହଜାର ସଂଖ୍ୟାର ଗଛ କଟାଯାଇ ବହ୍ଲା ଏବଂ ବାଉଁଶରେ ବ୍ୟାରିକେଡ୍‍ ବାନ୍ଧି ତାହାକୁ ଚୂନ ଧଉଳାଯିବାର ପରମ୍ପରା ଥିଲା । ତେବେ କେନ୍ଦ୍ର ସରକାର ମା’ ପାଇଁ ଗଛଟିଏ ନାରା ଦେଉଥିବାବେଳେ ନେତାମାନଙ୍କ ଗସ୍ତପାଇଁ ଗଛକଟା ଘେନି କେତେକ ମହଲ ଆପତ୍ତି ଉଠାଉଥିଲେ । ଏହି ସମସ୍ୟାର ସ୍ଥାୟୀ ସମାଧାନପାଇଁ ବହ୍ଲା ଓ ବାଉଁଶ ବଦଳରେ ଏଣିକି ସ୍ଥାୟୀ ଲୁହା ବ୍ୟାରିକେଡ୍‍ ବ୍ୟବସ୍ଥା ହେଉଛି ।

ଏବେ ରାଜଭବନ ଚକରୁ ଜନତା ମଇଦାନ ପର୍ଯ୍ୟନ୍ତ ଲୁହା ବ୍ୟାରକେଡ୍‍ ପୋତା କାମ ଆରମ୍ଭ ହୋଇଛି । ପରବର୍ତ୍ତୀ ପର୍ଯ୍ୟାୟରେ ଏହା ଅନ୍ୟ ଅଞ୍ଚଳରେ ବି କରାଯିବ । ଫଳରେ ଫୁଟ୍‍ପାଥରୁ ଯିଏ ଯେଉଁଠି ଆଉ ସାଧାରଣ ଦିନରେ ରାସ୍ତାକୁ ଓହ୍ଲାଇ ପାରିବେ ନାହିଁ । ତେବେ ରାସ୍ତାକଡରେ ଯେଉଁମାନଙ୍କର ସରକାରୀ ଓ ବେସରକାରୀ ଘରମାନ ରହିଛି ତାହାର ଫାଟକ ସମ୍ମୁଖରେ ବ୍ୟାରିକେଡ୍‍ ଲାଗିବନାହିଁ ।

ପୂର୍ତ୍ତ ଏବଂ ନଗର ଉନ୍ନୟନ ବିଭାଗର ଯନ୍ତ୍ରୀମାନେ କହୁଛନ୍ତି ଯେ ସ୍ଥାୟୀ ଲୁହା ବ୍ୟାରିକେଡ୍‍ ବ୍ୟବସ୍ଥା କରାଯିବା ପରେ ବହ୍ଲା ବାଉଁଶ ବାବଦ ବ୍ୟୟଭାର ବନ୍ଦହୋଇଯିବ । ତେବେ ବସାଯାଉଥିବା ବ୍ୟାରିକେଡ୍‍ଗୁଡିକୁ କଳଙ୍କି ଲାଗିବାରୁ ରୋକିବାପାଇଁ ତାହା ଦେହରେ ରସାୟନିକ ପ୍ରଲେପ ସହିତ ନିମୟିତ ରଙ୍ଗ ଦିଆଯିବ ।

ଲୁହା ବ୍ୟାରିକେଡ୍‍ ବସାଇବାପାଇଁ ଏକକାଳୀନ ଅଧିକ ଖର୍ଚ୍ଚ ହେଉଥିବାବେଳେ ଦୀର୍ଘକାଳୀନ ଭିତ୍ତିରେ କିନ୍ତୁ ଏହା ଉପଯୋଗୀ ହେବ । ବ୍ୟାରିକେଡ୍‍ ବସାଇବାପାଇଁ ଫୁଟ୍‍ପାଥ୍‍ ଉପରେ ଥିବା ଯେଉଁସବୁ ଟାଇଲ୍‍ ଭାଙ୍ଗିରୁଜି ଯିବ ତାହାକୁ ମଧ୍ୟ ବଦଳାଇବାପାଇଁ ବ୍ୟବସ୍ଥା ହେବ । ତେବେ ଏହି ରାସ୍ତାରେ ମେଟ୍ରୋରେଳ ପ୍ରକଳ୍ପ ଲାଗି ମାଟି ପରୀକ୍ଷାପାଇଁ ଖୋଳା ତଡା ଯୋଗୁଁ ପିଚୁରାସ୍ତା ଅନେକ ସ୍ଥାନରେ ଖାଲଖମାରେ ଭର୍ତ୍ତିହୋଇ ଯାଉଛି । ବିଶେଷକରି ରାତିରେ ଓ ବର୍ଷା ସମୟରେ ଏହି ଖାଲଖମା ଯୋଗୁଁ ଦୁର୍ଘଟଣାମାନ ଘଟୁଛି । ମାଟିପରୀକ୍ଷା ନାମରେ ରାସ୍ତାଉପରେ ମାସାଧିକକାଳ ଧରି ବାଡ ବୁଲାଇ ଆବଦ୍ଧ କରାଯିବା ଫଳରେ ଟ୍ରାଫିକ ସମସ୍ୟା ମଧ୍ୟ ଉତ୍କଟତର ହେଉଛି । ଏହି ସମସ୍ୟାର ତ୍ୱରିତ ସମାଧାନପାଇଁ ବିଭିନ୍ନ ମହଲରୁ ଦାବି ଉଠୁଛି । (ତଥ୍ୟ)