ଭୁବନେଶ୍ୱର : ସାରା ବିଶ୍ୱରେ ତମାଖୁ ସେବନ ମୃତ୍ୟୁର ଏକ ପ୍ରମୁଖ କାରଣ ଅଟେ, ଯାହା କର୍କଟ, ହୃଦ ରୋଗ, ଏବଂ ଶ୍ୱାସ ଜନିତ ରୋଗର କାରଣ ହୋଇଥାଏ। ଭାରତରେ ତମାଖୁ ଯୋଗୁଁ ପ୍ରତିବର୍ଷ ପ୍ରାୟ ୧୩ ଲକ୍ଷ ଲୋକ ପ୍ରାଣ ହରାଉଛନ୍ତି । ଏହା କେବଳ ତମାଖୁ ସେବନକାରୀକୁ କ୍ଷତି ପହଞ୍ଚାଏ ନାହିଁ ବରଂ ପରୋକ୍ଷ ଧୂଆଁର ଶିକାର ହେଉଥିବା ଲୋକମାନଙ୍କ ସ୍ୱାସ୍ଥ୍ୟକୁ ମଧ୍ୟ ପ୍ରଭାବିତ କରିଥାଏ । ତମାଖୁ ଛାଡିବା ଦ୍ଵାରା ସ୍ୱାସ୍ଥ୍ୟରେ ଯଥେଷ୍ଟ ଉନ୍ନତି ଘଟେ ଏବଂ ଏହାର ଦୀର୍ଘସ୍ଥାୟୀ କୁପରିଣାମକୁ ରୋକିବାରେ ସମର୍ଥ ହୋଇଥାଏ ।
ତମାଖୁ ମୁକ୍ତ ଯୁବ ଅଭିଯାନ ୨. ୦ ହେଉଛି କେନ୍ଦ୍ର ସରକାରଙ୍କର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ଆରମ୍ଭ ହୋଇଥିବା ୬୦ ଦିନିଆ ଅଭିଯାନ ଯାହା ଯୁବକମାନଙ୍କୁ ତମାଖୁ ସେବନ ଛାଡିବାକୁ କିମ୍ବା ପ୍ରତିରୋଧ କରିବାକୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ଆରମ୍ଭ ହୋଇଛି । ଏହି ଉପଲକ୍ଷେ ପିପୁଲସ୍ କଲଚରାଲ ସେଣ୍ଟର ( ପିକକ୍) ଦ୍ଵାରା ରାଜ୍ୟ ସରକାରଙ୍କର ଜନସ୍ୱାସ୍ଥ୍ୟ ବିଭାଗର ଅଣ ସଂକ୍ରମକ ରୋଗ (ଏନସିଡି) ସେଲ ତଥା ତମାଖୁ ନିୟନ୍ତ୍ରଣ ସେଲ୍, ସହଯୋଗରେ ଏକାମ୍ରହାଟ ଫାଟକ ଠାରୁ ମାଷ୍ଟର କ୍ୟାଣ୍ଟିନ ଛକ ପର୍ଯ୍ୟନ୍ତ ଏକ ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଥିଲା ।
ଏହି ଅବସରରେ ପ୍ରଥମେ ଏକ ଜନସଚେତନତା ସଭା ଏକାମ୍ର ହାଟ ଆମ୍ଫିଥିଏଟରରେ ଆୟୋଜନ କରାଯାଇଥିଲା। ପିପୁଲ୍ସ୍ କଲଚରାଳ ସେଣ୍ଟର (ପିକକ୍) ର ସମ୍ପାଦକ ଶ୍ରୀ ରଂଜନ କୁମାର ମହାନ୍ତି, ଏହି ସଭାକୁ ଉଦବୋଧନ କରି ଏହାର ଉଦ୍ଦେଶ୍ୟ ସମ୍ପର୍କରେ ଅବଗତ କରାଇଥିଲେ । ଏହାପରେ ଜନସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ଡକ୍ଟର ନୀଳକଣ୍ଠ ମିଶ୍ର ଓ ଅଲମ୍ପିୟାନ ଅନୁରାଧା ବିଶ୍ଵାଳ ପତାକା ଉତ୍ତୋଳନ କରି ପଦଯାତ୍ରାର ଶୁଭାରମ୍ଭ କରିଥିଲେ ।
ଏହି ପଦଯାତ୍ରାରେ ଜନସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଡକ୍ଟର କ୍ଷେତ୍ରମୋହନ କଣ୍ଡା, ଜଣ ସ୍ୱାସ୍ଥ୍ୟ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଡଃ ବସନ୍ତ କୁମାର ପ୍ରଧାନ , ରାଜ୍ୟ ତମାଖୁ ମୁକ୍ତ ସେଲର ଡଃ ଗିରିଜା ଶଙ୍କର ମିଶ୍ର, ରାଜ୍ୟ ଏନସିଡି ସେଲ ର ଡଃ ଲଳିତ କୁମାର ସାହୁ, ପ୍ରମୁଖ ଯୋଗଦେଇଥିଲେ ।
ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ହେଲେ ପିକକ୍ ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଶ୍ରୀମତୀ ଅନୁରାଧା ମହାନ୍ତି, ଏନସିଡିର ସହକାରୀ ପରିଚାଳକ ଡଃ ସତ୍ୟବ୍ରତ ଶତପଥୀ, ତମାଖୁ ନିୟନ୍ତ୍ରଣ ସେଲର କାର୍ଯ୍ୟକ୍ରମ ସହାୟକ ଡଃ ଶୁଭ୍ରଜିତ ପତି, ଓ ରାଜ୍ୟ ଏପିଡର୍ମାଟୋଲୋଜିଷ୍ଟ୍ ସେଲର ଡଃ ସୁନିତା ଜେନା ।
ବକ୍ତାମାନେ ତମାଖୁରୁ ଦୂରେଇ ଏକ ସୁସ୍ଥ ଜୀବନଯାପନ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ ଏକ ତମାଖୁମୁକ୍ତ ପିଢୀପାଇଁ ଯୁବକମାନଙ୍କୁ ଆହ୍ଵାନ ଦେଇଥିଲେ । ସେମାନେ ଯୁବକମାନଙ୍କୁ ତମାଖୁ ସେବନରୁ ଦୂରେଇ ରହିବାକୁ ଏବଂ ସେମାନଙ୍କ ସମ୍ପ୍ରଦାୟରେ ସଚେତନତା ସୃଷ୍ଟି କରିବାକୁ ପଦକ୍ଷେପ ନେବାକୁ ଉତ୍ସାହିତ କରିଥିଲେ ଏବଂ ଏକ ସୁସ୍ଥ, ତମାଖୁମୁକ୍ତ ଜୀବନଶୈଳୀ ଗ୍ରହଣ କରିବାକୁ ପ୍ରୋତ୍ସାହିତ କରିଥିଲେ । ଏଥି ସହିତ ଯୁବକ ମାନେ ତମାଖୁ ଠାରୁ ନିଜକୁ ଦୂରେଇ ରଖିବାକୁ ଶପଥପାଠ ଗ୍ରହଣ କରିଥିଲେ ॰
ଏହି କାର୍ଯ୍ୟକ୍ରମରେ ବାଲିଅନ୍ତା ବ୍ଲକର ବେଣ୍ଟପୁରର ବାଣେଶ୍ବର ମହାବିଦ୍ୟାଳୟ, ମଦନପୁର କଲେଜ, ଖୋର୍ଦ୍ଧା, ଦେବରାୟ କଲେଜ, ଆଇଏମଏସ ଓ ବିଏମସି, ବାଲିଅନ୍ତାର ବାରିଜଙ୍ଗ ଓ ପୁରୁଣାଝିଇଣ୍ଟିର ୨୫୦ ରୁ ଅଧିକ ଯୁବକ ଅଂଶଗ୍ରହଣ କରିଥିଲେ। ଜ୍ୟୋତିଶଙ୍କର ମହାନ୍ତି, ରତ୍ନା ଦାଶ, ପୂଜା ପଣ୍ଡା, ଅଳ୍ପନା ଦାସ ପ୍ରମୁଖ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।