ଭୁବନେଶ୍ୱର : ଛାଡଖାଇରେ ମାଛ, ମାଂସ ଦର ଚିନ୍ତାକୁ ବଳିଯାଇଛି ପିଆଜ ରସୁଣର ଦର । ବଜାରରେ ଏବେ ପିଆଜ କିଲୋ ୭୦ରୁ ୮୦ ଟଙ୍କାରେ ବିକ୍ରି ହେଉଥିବାବେଳେ ରସୁଣ କିଲୋ ୩୫୦ଟଙ୍କାକୁ ଟପିଯାଇଛି । ଛାଡଖାଇ ବଜାରରେ ଏହା ଆହୁରି ବଢିବ ବୋଲି ବ୍ୟବସାୟୀମାନେ ଆଶଙ୍କା କରୁଛନ୍ତି ।
ଛାଡଖାଇରେ ସାଧାରଣତଃ ମାଛ, ମାଂସର ଦର ଉଚ୍ଚା ରହିଥାଏ । ଲୋକେ ଦରବୃଦ୍ଧିକୁ ନେଇ ଚିନ୍ତାରେ ରହିବା ସହିତ ବେପାରୀଙ୍କ ସହିତ ମୁଲଚାଲ କରିଥାନ୍ତି । ହେଲେ ଚଳିତବର୍ଷ ମାଛ, ମାଂସ ଦର ଅପେକ୍ଷା ଖାଉଟିଙ୍କୁ ପିଆଜ, ରସୁଣ ଭଳି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦର ବାଧୁଛି । କାର୍ତ୍ତିକ ମାସରେ ଅଧିକାଂଶ ଲୋକେ ପିଆଜ ରସୁଣ ଛାଡିଥିବାବେଳେ କାର୍ତ୍ତିକ ପରର ଦରବୃଦ୍ଧି ସେମାନଙ୍କୁ ବାଧିଲାଣି ।
ବଜାରରେ ଏବେ ପିଆଜର ଖୁଚୁରା ମୂଲ୍ୟ ୭୦ ଟଙ୍କାକୁ ଟପିଗଲାଣି । ପିଆଜ ଆମଦାନୀ କେନ୍ଦ୍ର ମହାରାଷ୍ଟ୍ରର ନାସିକରେ ପିଆଜ ଦରବୃଦ୍ଧିର ପ୍ରଭାବ ଓଡିଶା ବଜାରରେ ପଡିଛି । ସେଠାରେ ପିଆଜ ଦର କିଲୋପ୍ରତି ୪୦ରୁ୪୫ଟଙ୍କା ହୋଇଥିବାରୁ ଗାଡିଭଡାକୁ ମିଶାଇ ଓଡିଶା ବଜାରରେ ଦର ୭୦ ଟଙ୍କା ଟପିଲାଣି । ପିଆଜ ଆମଦାନୀ ମଧ୍ୟ ହ୍ରାସ ପାଇବାରେ ଲାଗିଛି । ଯଦି ଏହା ଜାରିରୁହେ ତେବେ ଛାଡଖାଇ ବଜାରରେ ପିଆଜ କିଲୋ ୮୦ ଟଙ୍କା ଛୁଇଁବ ବୋଲି ବ୍ୟବସାୟୀମାନେ ମତ ଦେଉଛନ୍ତି ।
ଉଲ୍ଲେଖନୀୟ ଯେ ଓଡିଶାରେ ବାର୍ଷିକ ପିଆଜ ଚାହିଦା ପ୍ରାୟ ୪ଲକ୍ଷ ମେଟ୍ରିକ ଟନ୍ ଥିବାବେଳେ ପ୍ରାୟତଃ ସମପରିମାଣର ପିଆଜ ଓଡିଶାରେ ଫଳୁଛି । ତେବେ ଠିକଣା ରକ୍ଷଣା ବେକ୍ଷଣ ଅଭାବରୁ ଓଡିଶା ବର୍ଷସାରା ପିଆଜ ପାଇଁ ନାସିକ ଉପରେ ନିର୍ଭରଶୀଳ ହେଉଥିବାବେଳେ ସେଠାକାର ବ୍ୟବସାୟୀମାନେ ଓଡିଶା ବଜାରର ଦର ନିର୍ଦ୍ଧାରଣ କରୁଛନ୍ତି ।
ପିଆଜ ଭଳି ଓଡିଶା ବଜାରରେ ରସୁଣର ଦର ମଧ୍ୟ ହୁ ହୁ ହୋଇ ବଢି କିଲୋପିଛା ୩୫୦ ଟଙ୍କାକୁ ଟପିଗଲାଣି । ଆମଦାନୀ କମ୍ ଥିବାରୁ ଦର ବୃଦ୍ଧି ଘଟୁଥିବା ବ୍ୟବସାୟୀମାନେ କହୁଥିବାବେଳେ ଆଗାମୀ ଦିନରେ ଏହା ୪୦୦ ଟଙ୍କା ଛୁଇଁବ ବୋଲି ମତ ଦେଉଛନ୍ତି । ଏହାର ପ୍ରଭାବରେ ହୋଟେଲରେ ଏବେ ଖାଦ୍ୟ ସାମଗ୍ରୀର ଦର ବଢିବାରେ ଲାଗିଛି ।
ଛାଡଖାଇରେ ଆମିଷ ଖାଦ୍ୟ ପ୍ରସ୍ତୁତ ପାଇଁ ପିଆଜ ଓ ରସୁଣ ନିହାତି ଆବଶ୍ୟକ ଥିବାରୁ ଏହି ଦୁଇ ସାମଗ୍ରୀର ଦରବୃଦ୍ଧି ଏବେ ଗାଁ ଗହଳରେ ଛାଡଖାଇକୁ ଫିକା କରିବ ବୋଲି ମତ ପ୍ରକାଶ ପାଉଛି । ଏପରିକି ସହରାଞ୍ଚଳ ଲୋକେ ଦରବୃଦ୍ଧି ଯୋଗୁଁ ପିଆଜ ଓ ରସୁଣ ବ୍ୟବହାର କମାଇ ଦେଇଛନ୍ତି । ତେବେ ଉଭୟ ସାମଗ୍ରୀ ପାଇଁ ଓଡିଶା ଅନ୍ୟ ରାଜ୍ୟ ଉପରେ ନିର୍ଭର କରୁଥିବାରୁ ସେଠାରେ ଦର ହ୍ରାସ ସହିତ ଅଧିକ ସାମଗ୍ରୀ ଆମଦାନୀ ହେଲେ ଯାଇ ଓଡିଶାର ଖାଉଟିମାନେ ଆଶ୍ୱସ୍ତ ହେବେବୋଲି ବ୍ୟବସାୟୀମାନେ ମତ ଦେଉଛନ୍ତି । (ତଥ୍ୟ)