Home General ଅଧାରେ ରହିଗଲା ହାଟ ସ୍ଥାନାନ୍ତର

ଅଧାରେ ରହିଗଲା ହାଟ ସ୍ଥାନାନ୍ତର

ଭୁବନେଶ୍ୱର : ରାଜଧାନୀର ପ୍ରମୁଖ ହାଟଗୁଡିକର ସ୍ଥାନାନ୍ତର ଯୋଜନା ଅଧାରେ ରହିଯାଇଛି । ଏକ ନମ୍ବର ପାଇକାରୀ ପରିବା ହାଟକୁ ଭଗବାନପୁର ଉଠାଇନେବାକୁ ଯୋଜନା ହୋଇଥିବାବେଳେ ଚାରି ନମ୍ବର ପାଇକାରୀ ମାଛ ହାଟକୁ କୁଆଖାଇ ନଦୀପଠା ନିକଟକୁ ନେବାପାଇଁ ସ୍ଥିର କରାଯାଇଥିଲା ।

ସହରର କେନ୍ଦ୍ରସ୍ଥଳ ଏକ ନମ୍ବର ଅଞ୍ଚଳରେ ରହିଛି ରାଜଧାନୀର ସର୍ବବୃହତ୍‍ ପାଇକାରୀ ପରିବା ହାଟ । ରାଜଧାନୀର ଆଖପାଖ ଅଞ୍ଚଳ ସହିତ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଏପରିକି ରାଜ୍ୟ ବାହାରୁ ଦୈନିକ ଏଠାରୁ ଟ୍ରକ ଟ୍ରକ ପରିବା ଆସୁଛି । ୧୯୫୭ ମସିହାରୁ ଚାରି ଏକର ଜମି ଉପରେ ଥିବା ଏହି ପରିବାହାଟର କଳେବର ବୃଦ୍ଧି ପାଇବାରେ ଲାଗିଛି ।

ସହରର ଜନସଂଖ୍ୟା ସହିତ ପରିବା ବ୍ୟବସାୟ ବଢି ଚାଲିଥିବାରୁ ଏଠାକୁ ଦୈନିକ ପ୍ରାୟ ୨ଶହ ଭାରିଯାନ ଆସୁଛି । ତେଣୁ ପରିବାହାଟ ଧିରେ ଧିରେ ସରକାରୀ କ୍ୱାଟର୍ସ ସମ୍ମୁଖ ଓ ଗଳିକନ୍ଦିକୁ ବଢିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ହାଟ ବ୍ୟବସାୟୀ ସଂଘ ପାଇକାରୀ ପରିବା ବଜାରକୁ ସ୍ଥାନାନ୍ତର ପାଇଁ ଦାବି କରିଥିବାବେଳେ ୨୦୧୮ମସିହାରେ ଓଡିଶା ଉଚ୍ଚ ନ୍ୟାୟାଳୟ ମଧ୍ୟ ଏହାକୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ଜମି ଚିହ୍ନଟ କରିବାକୁ କହିଥିଲେ ।

ତଦନୁଯାୟୀ ରାଜଧାନୀ ଉପକଣ୍ଠରେ ଥିବା ଭଗବାନପୁର ଅଞ୍ଚଳରେ ୧୦ ଏକର ଜମି ଚିହ୍ନଟ ହୋଇଥିଲା । ରାଜପଥ ପାଶ୍ୱର୍ରେ ଏହି ସ୍ଥାନଟି ଥିବାରୁ ବିଭିନ୍ନ ସ୍ଥାନରୁ ଆସୁଥିବା ପରିବା ଗାଡି ଚଳାଚଳରେ କୌଣସି ଅସୁବିଧା ହେବନାହିଁ ବୋଲି କୁହାଯାଇଥିଲା । ୨୦୨୨ ମସିହାରେ ଏଥିପାଇଁ ଜୋରସୋରେ ପ୍ରକ୍ରିୟା ଆରମ୍ଭ ହୋଇଥିଲା ।

ହେଲେ ବର୍ତ୍ତମାନ ଏହି ଯୋଜନାଟି ଏକ ପ୍ରକାର ଅଧାବାଟରେ ରହିଯାଇଛି । ପୂର୍ବଭଳି ଏକ ନମ୍ବର ଅଞ୍ଚଳର ଗଳିକନ୍ଦିରେ ହୋଲେସେଲ୍‍ ପରିବା ବଜାର ଚାଲିଛି । ଯାନବାହାନ ଭିଡ ସାଙ୍ଗକୁ ପରିବା ବ୍ୟବସାୟୀମାନେ ପସରା ଖୋଲିବା ଯୋଗୁଁ ହାଟ ଆଖପାଖରେ ଥିବା ସରକାରୀ କ୍ୱାଟର୍ସର ଲୋକେ ସହଜରେ ଘରୁ ବାହାରି ପାରୁନାହାନ୍ତି । ଏପରିକି ମନ୍ତ୍ରୀ, ଅଫିସରଙ୍କ ଘର ସମ୍ମୁଖରେ ଗାଡି ରଖି ଲୋକେ ହାଟକୁ ଯାଉଥିବାରୁ ସେମାନେ ସମସ୍ୟାରେ ପଡୁଛନ୍ତି ।

ଏକ ନମ୍ବର ପରିବା ହାଟ ଭଳି ଚାରିନମ୍ବର ଅଞ୍ଚଳରେ ଥିବା ସହରର ପାଇକାରୀ ମାଛ ହାଟ ସ୍ଥାନାନ୍ତର ପ୍ରକ୍ରିୟା ମଧ୍ୟ ଅଧାବାଟରେ ରହିଯାଇଛି । ପାଇକାରୀ ମାଛ ହାଟ ଯୋଗୁଁ ଦୈନିକ ଶତାଧିକ ଭାରିଯାନ ଆସି ଚାରିନମ୍ବର ଅଞ୍ଚଳର ଗଳିକନ୍ଦିରେ ଭିଡ ଜମାଉଛନ୍ତି । ମାଛହାଟରୁ ବାହାରୁଥିବା ବର୍ଜ୍ୟ ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ପରିବେଶ ପ୍ରଦୂଷଣ ବଢିବାରେ ଲାଗିଛି ।

ଏହାକୁ ଦୃଷ୍ଟିରେ ରଖି ସହର ମଝିରେ ଥିବା ପାଇକାରୀ ମାଛ ହାଟକୁ ସହର ବାହାରକୁ ଉଠାଇ ନେବାକୁ ଯୋଜନା ହୋଇଥିଲା । ଏଥିପାଇଁ କୁଆଖାଇ ନଦୀପଠା ଅଞ୍ଚଳରେ ସ୍ଥାନ ଚିହ୍ନଟ ହୋଇଥିଲା । ହେଲେ କୌଣସି କାରଣରୁ ଏହି ଯୋଜନାଟି ବି ଅଧାବାଟରେ ରହିଗଲା । ମୋଟାମୋଟି ଭାବେ ସହରବାସୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ହାଟ ସ୍ଥାନାନ୍ତର ପାଇଁ ହୋଇଥିବା ଯୋଜନା ଅଧାବାଟରେ ରହିବା ଯୋଗୁଁ ଲୋକେ ନାହିଁନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଓ ସହରର ବିଭିନ୍ନ ସ୍ଥାନରେ ନୂଆ ନୂଆ ପରିବା ଓ ମାଛ ହାଟ ଖୋଲିବାରେ ଲାଗିଛି । (ତଥ୍ୟ)