Home General ଶୀତଳଭଣ୍ଡାରରେ କଂସେଇଖାନା

ଶୀତଳଭଣ୍ଡାରରେ କଂସେଇଖାନା

ଭୁବନେଶ୍ୱର : ରାଜଧାନୀରେ ମାଂସ ଦୋକାନୀଙ୍କ ସଂଖ୍ୟା ବଢୁଥିବାବେଳେ ମହାନଗର ନିଗମ ପକ୍ଷରୁ କଂସେଇଖାନାଟିଏ ତିଆରି ହୋଇପାରିଲା ନାହିଁ । ଫଳରେ ଲୋକେ ରାସ୍ତାକଡରେ, ନାଳ ନର୍ଦ୍ଦମା ଉପରେ ଅତ୍ୟନ୍ତ ଅପରିଷ୍କାର ପରିବେଶର କଟାଯାଉଥିବା ମାଂସ ଖାଉଛନ୍ତି ।

ମହାନଗର ନିଗମ ପକ୍ଷରୁ ମାଂସ ବ୍ୟବସାୟୀଙ୍କ ଲାଗି ଦୁଇଟି ସ୍ଥାନ ଚିହ୍ନଟ ହୋଇଛି । ଗୋଟିଏ ଘାଟିକିଆ ନିକଟରେ ଥିବାବେଳେ ଆଉ ଗୋଟିଏ ଚାରି ନମ୍ବର ମାର୍କେଟରେ ରହିଛି । ତେବେ ଏଠାରେ ମାଂସ ଦୋକାନୀଙ୍କୁ ଯେତିକି ସ୍ଥାନ ଯୋଗାଇ ଦିଆଯାଇଛି ତାହାଠାରୁ ଦୋକାନୀଙ୍କ ସଂଖ୍ୟା ଅଧିକ ହୋଇଥିବାରୁ ଯିଏ ଯେଉଁଠି ପାରୁଛି ସେଠାରେ ମାଂସ ବ୍ୟବସାୟ କରୁଛି । ଏହି ଦୁଇ ସ୍ଥାନ ବ୍ୟତିତ ସହରର ବିଭିନ୍ନ ସ୍ଥାନରେ ମାଂସ ବ୍ୟବସାୟୀମାନେ ସେମାନଙ୍କର ଅସ୍ଥାୟୀ ଦୋକାନୀ ଖୋଲିବାରେ ଲାଗିଛନ୍ତି ।

ତେବେ ବିଏମ୍‍ସି ପକ୍ଷରୁ କିଛିବର୍ଷ ତଳେ ରାଜଧାନୀର ଗାଢକଣ ଠାରେ ପ୍ରତିଷ୍ଠା ହୋଇଥିବା କଂସେଇଖାନାଟିରେ ଗୋଟିଏ ହେଲେ ପଶୁବଧ ହୋଇପାରିନଥିବାବେଳେ ଏହା ଖତ ହୋଇଯାଇଛି । ସହରରେ ମାଂସ ଦୋକାନ ସଂଖ୍ୟା ବଢି ଚାଲିଥିବାବେଳେ କଂସେଇଖାନା ପ୍ରତିଷ୍ଠା ହେଲେ ଆଉ ଖୋଲାମେଲାରେ ରାସ୍ତାକଡରେ ପଶୁବଧ ହୁଅନ୍ତା ନାହିଁ ଓ ଲୋକେ ଭଲ ମାନର ମାଂସ ପାଇପାରନ୍ତେ ବୋଲି ମତ ପ୍ରକାଶ ପାଉଛି ।

ତେବେ କଂସେଇଖାନା ନିର୍ମାଣ ପର୍ଯ୍ୟନ୍ତ ସହରରେ ମାଂସ ଦୋକାନଗୁଡିକରେ କଡାକଡି ମାନ ଯାଞ୍ଚ ସହିତ ସର୍ବସମ୍ମୁଖରେ ଯେଭଳି ପଶୁବଧ ନହେବ ସେ ଦିଗରେ କର୍ତ୍ତୃପକ୍ଷ ପଦକ୍ଷେପ ନେବାକୁ ଦାବି ହେଉଛି । କାରଣ ଏବେ ମାଂସଦୋକାନୀମାନେ ବ୍ୟବସାୟ ପାଇଁ ବିଭିନ୍ନ ଜନବସତି ମଝିରେ ଓ ଶିକ୍ଷାନୁଷ୍ଠାନ ଆଖପାଖରେ ସେମାନଙ୍କର ଦୋକାନ ଖୋଲିବାରେ ଲାଗିଛନ୍ତି । ଏହି ସ୍ଥାନରୁ ଲୋକ ପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ପ୍ରଶାସକମାନେ ମାଂସ ଖରିଦ କରୁଥିଲେ ମଧ୍ୟ ଏହାକୁ ସ୍ଥାନାନ୍ତର କେହି ପଦକ୍ଷେପ ଗ୍ରହଣ କରୁନାହାନ୍ତି ।

କେବଳ ମାଂସ ଦୋକାନ ନୁହେଁ, କୁକୁଡା ଓ ମାଛ ବ୍ୟବସାୟ ମଧ୍ୟ ସହରର ଗଳି କନ୍ଦିରେ ଅତ୍ୟନ୍ତ ଅସ୍ୱାସ୍ଥ୍ୟକର ପରିବେଶରେ ଚାଲିଛି । ସହର ମଧ୍ୟସ୍ଥଳରେ ଚାରି ନମ୍ବର ଅଞ୍ଚଳରେ ଥିବା ହୋଲସେଲ୍‍ ମାଛ ହାଟକୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ଦୀର୍ଘଦିନ ହେଲା ଯୋଜନା କରାଯାଉଥିଲେ ମଧ୍ୟ ତାହା ଫଳପ୍ରଦ ହୋଇପାରୁ ନାହିଁ । ଦିନକୁ ଦିନ ଏଠାରେ ପାଇକାରୀ ଓ ଖୁଚୁରା ବ୍ୟବସାୟୀଙ୍କ ସଂଖ୍ୟା ବଢି ବଢି ଚାଲିଥିବାବେଳେ ସ୍ଥାନ କମ୍‍ ପଡୁଛି ।

ସହରରେ ମାଂସ, କୁକୁଡା ଓ ମାଛ ବ୍ୟବସାୟକୁ ସୁବ୍ୟବସ୍ଥିତ କରାଯାଉନଥିବାରୁ ଅନେକ ସ୍ଥାନରେ ପୂତ୍ତି ଗନ୍ଧମୟ ପରିବେଶ ସୃଷ୍ଟି ହେଉଛି । ବିଭିନ୍ନ ଜନବସତି ଅଞ୍ଚଳରେ ନୂଆ ନୂଆ ଆମିଷ ଦୋକାନ ଖୋଲୁଥିବାବେଳେ ବିଏମ୍‍ସି ସ୍କ୍ୱାଡ୍‍ କିଭଳି ଏହାକୁ ଦେଖିପାରୁ ନାହିଁ ତାହା ଏବେ ସାଧାରଣରେ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି । ମାଂସ ଓ ମାଛ ବ୍ୟବସାୟୀଙ୍କ ଠାରୁ ଟିକସ ଆଦାୟ କରୁଥିବା ବିଏମ୍‍ସି ଏହିସବୁ ସ୍ଥାନର ସଫାସୁତୁରା ପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି । (ତଥ୍ୟ)