Home Education ଦାୟିତ୍ୱରେ ରହିବେ ଚାରି କୁଳପତି

ଦାୟିତ୍ୱରେ ରହିବେ ଚାରି କୁଳପତି

ଭୁବନେଶ୍ୱର : ଆଇନ୍‍ଗତ ବିବାଦ ଯୋଗୁଁ ନୂଆ କୁଳପତି ନିଯୁକ୍ତିରେ ବିଳମ୍ବ ଘଟିବା ଆଶଙ୍କା ଥିବାରୁ ଚଳିତ ମାସରେ ଅବସରଗ୍ରହଣ କରୁଥିବା ୪ଜଣ କୁଳପତିଙ୍କୁ ସେମାନଙ୍କ ଉତ୍ତରାଧିକାରୀ ନିଯୁକ୍ତି ପର୍ଯ୍ୟନ୍ତ ଦାୟିତ୍ୱରେ ରଖାଯାଇପାରେ । ଏ ସଂକ୍ରାନ୍ତରେ ବିଧିବଦ୍ଧ ବିଜ୍ଞପ୍ତି ଖୁବ୍‍ଶୀଘ୍ର ପ୍ରକାଶ ପାଇବ ବୋଲି କୁହାଯାଉଛି ।

ଚଳିତ ନଭେମ୍ବର ମାସରେ ଉତ୍କଳ ବିଶ୍ୱବିଦ୍ୟାଳୟ, ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ, ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ଓ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର କୁଳପତିମାନଙ୍କ କାର୍ଯ୍ୟକାଳ ଶେଷ ହେଉଛି । ପୂର୍ବରୁ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ, ଖଲିକୋଟ ବିଶ୍ୱବିଦ୍ୟାଳୟର କୁଳପତିଙ୍କ କାର୍ଯ୍ୟକାଳ ଶେଷହୋଇ ଯିବାପରେ ଫକୀରମୋହନ ବିଶ୍ୱବିଦ୍ୟାଳୟର କୁଳପତିଙ୍କୁ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ଓ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୁଳପତିଙ୍କୁ ଖଲିକୋଟ ବିଶ୍ୱବିଦ୍ୟାଳୟର କୁଳପତି ଭାବେ ଅତିରିକ୍ତ ଦାୟିତ୍ୱରେ ରଖାଯାଇଛି । ଏହାଛଡା କେନ୍ଦୁଝରର ଧରଣୀଧର ବିଶ୍ୱବିଦ୍ୟାଳୟ ଓ ଜୟପୁରର ବିକ୍ରମଦେବ ବିଶ୍ୱବିଦ୍ୟାଳୟ ସୃଷ୍ଟିହେବା ପରଠାରୁ ଏଯାବତ୍‍ କୁଳପତି ଦେଖିନାହାନ୍ତି । ଏହି ବିଶ୍ୱବିଦ୍ୟାଳୟଗୁଡିକର କୁଳପତି ପଦବୀ ସବୁ ନିୟମିତ ଭିତ୍ତିରେ କେବେ ପୂରଣ ହେବ ତାହା କେହି କହିପାରୁ ନାହାନ୍ତି ।

ଓଡିଶା ସରକାର ୨୦୨୦ ମସିହାରେ ବିଶ୍ୱବିଦ୍ୟାଳୟ ଆଇନ୍‍ରେ ଯେଉଁ ସଂଶୋଧନ ଆଣିଥିଲେ ତାହା ଏବେ ବଳବତ୍ତର ରହିଛି । ତେବେ ଏ ପ୍ରସଙ୍ଗରେ ସୁପ୍ରିମ୍‍କୋର୍ଟରେ ମାମଲା ବିଚାରାଧିନ ଥିବା ଏବଂ ଅଦାଲତଙ୍କ ଅନ୍ତରୀଣ ଆଦେଶ ପରିପ୍ରେକ୍ଷୀରେ ନୂଆ କୁଳପତି ଚୟନ କରାଗଲେ ତାହା ଅଦାଲତ ଅବମାନନା ମାମଲା ଆଡକୁ ସରକାରଙ୍କୁ ଟାଣିବାର ଆଶଙ୍କା ରହିଛି ।

୨୦୨୫ ବର୍ଷରେ ରେଭେନ୍ସା ବିଶ୍ୱବିଦ୍ୟାଳୟ, ମଦୁସୂଦନ ଆଇନ୍‍ ବିଶ୍ୱବିଦ୍ୟାଳୟ, ଫକୀରମୋହନ ବିଶ୍ୱବିଦ୍ୟାଳୟ, ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟର କୁଳପତିମାନଙ୍କ କାର୍ଯ୍ୟକାଳ ଶେଷ ହେବ । ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ ପାଇଁ ନୂଆ କୁଳପତି ଚୟନ ପ୍ରକ୍ରିୟା ଆରମ୍ଭ ହୋଇଥିଲେ ମଧ୍ୟ ତାହା ବି ଅନିଶ୍ଚିତତା ଘେରରେ ରହିଛି ।

ଉଚ୍ଚଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀମାନେ ଏହି ସମସ୍ୟାକୁ ସ୍ୱୀକାର କରୁଥିଲେ ମଧ୍ୟ ଆଇନ୍‍ ଅଦାଲତର ପ୍ରତିବନ୍ଧକ ଯୋଗୁଁ ସେମାନଙ୍କ ଅସହାୟତା ପ୍ରକାଶ କରି ଏ ସଂକ୍ରାନ୍ତରେ କୁଳାଧିପତିଙ୍କ କାର୍ଯ୍ୟାଳୟ ନିଷ୍ପତ୍ତି ଗ୍ରହଣ କରିବ ବୋଲି କହୁଛନ୍ତି ।

୨୦୨୦ର ସଂଶୋଧିତ ବିଶ୍ୱବିଦ୍ୟାଳୟ ଆଇନ୍‍ରେ କୁଳପତି ଓ ବିଶ୍ୱବିଦ୍ୟାଳୟର ଶିକ୍ଷକ ଓ ଅଣଶିକ୍ଷକ ନିଯୁକ୍ତି ଘେନି ଯେଉଁ ନୂଆ ଚୟନ ପ୍ରକ୍ରିୟା ରହିଛି ତାହା ଏବେ ଆଇନ୍‍ ଅଦାଲତର ବିବାଦ ଘେରରେ । ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ଏ ପ୍ରସଙ୍ଗରେ ସୁପ୍ରିମ୍‍କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ସମସ୍ୟାର ସମାଧାନ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୂର୍ବରୁ ରାଜ୍ୟ ସରକାରଙ୍କୁ ପତ୍ରଲେଖି ବିବାଦୀୟ ସଂଶୋଧିତ ଆଇନ୍‍କୁ ପ୍ରତ୍ୟାହାର କରିନେଲେ ୟୁଜିସି ମାମଲା ଅକାମୀ ହୋଇଯିବ ବୋଲି ଦର୍ଶାଇଥିଲେ ମଧ୍ୟ ରାଜ୍ୟ ସରକାର ଏହି ଆଇନ ପ୍ରତ୍ୟାହାର ଲାଗି ଏଯାବତ୍‍ ଅଧ୍ୟାଦେଶ ଜାରି କରିନାହାନ୍ତି କିମ୍ବା ବିଧାନସଭାରେ ବି ବିଧେୟକ ଆଣିନାହାନ୍ତି । ତେଣୁ ଓଡିଶାର ବିଶ୍ୱବିଦ୍ୟାଳୟଗୁଡିକରେ କୁଳପତି ଚୟନ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଥିବାବେଳେ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ନିଯୁକ୍ତି ହୋଇପାରୁନଥିବାରୁ ବିଶ୍ୱବିଦ୍ୟାଳୟଗୁଡିକର ଅଧ୍ୟାପନା, ଗବେଷଣା ଓ ପ୍ରଶାସନ କ୍ଷେତ୍ରରେ ଗୁରୁତର ସମସ୍ୟା ଉପୁଜୁଛି ଏବଂ ଓଡିଶାର ବିଶ୍ୱବିଦ୍ୟାଳୟଗୁଡିକ ଉଚ୍ଚ ଗ୍ରେଡର ନାକ୍‍ ମାନ୍ୟତା ହାସଲରୁ ମଧ୍ୟ ବଞ୍ଚିତ ହେଉଛନ୍ତି । (ତଥ୍ୟ)