Home Health ବଦଳିବ ନର୍ସଙ୍କ ପୋଷାକ

ବଦଳିବ ନର୍ସଙ୍କ ପୋଷାକ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ନର୍ସିଂ ଅଫିସରଙ୍କ ଡ୍ରେସ୍ କୋଡରେ ପରିବର୍ତ୍ତନ ଆଣିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।

ନିକଟରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏ ନେଇ ନର୍ସିଂ ନିର୍ଦ୍ଦେଶକଙ୍କୁ ଚିଠି ଲେଖାଯାଇଛି । ଓଡ଼ିଶା ନର୍ସିଂ କର୍ମଚାରୀ ସଂଘର ପ୍ରସ୍ତାବକୁ ବିଚାର କରି ଡ୍ରେସ୍ କୋଡ୍ ପରିବର୍ତ୍ତନ ପାଇଁ ନୀତିଗତ ଭାବେ ନିଷ୍ପତ୍ତି ନିଆଯାଇଛି ।

ବିଜ୍ଞପ୍ତି ଅନୁଯାୟୀ ନର୍ସିଂ ଅଫିସର/ସିନିୟର ନର୍ସିଂ ଅଫିସରଙ୍କ ଡ୍ରେସ୍ ର ରଙ୍ଗ ହାଲୁକା ରହିବ। ଆଇସିୟୁ/ଓଟି/ଲେବର ରୁମରେ କାମ କରୁଥିବା ମହିଳାମାନେ ସ୍କ୍ରବ୍ ସୁଟ୍ ପିନ୍ଧିଥିବା ବେଳେ ଜେନେରାଲ ୱାର୍ଡରେ ମହିଳାମାନେ ଶାଢ଼ି/ସଲୱାର ଓ କାମିଜ୍ (୩/୪ ସ୍ଲିଭ୍ ଟପ୍) ଏବଂ ପୁରୁଷମାନେ ସାର୍ଟ ଓ ଡିପ୍ ନେଭି ବ୍ଲୁ ରଙ୍ଗର ଫର୍ମାଲ୍ ଟ୍ରାଉଜର ପିନ୍ଧିବେ।

ସେହିପରି ଆସିଷ୍ଟାଣ୍ଟ ନର୍ସିଂ ସୁପରିଟେଣ୍ଡେଣ୍ଟ (ଏଏନଏସ)ଙ୍କ ଡ୍ରେସ୍ ରଙ୍ଗ ସିଆନ୍ ବ୍ଲୁ ରହିବ। ନର୍ସିଂ ଅଫିସରଙ୍କ ଭଳି ଆଇସିୟୁ/ଓଟି/ଲେବର ରୁମରେ କାର୍ଯ୍ୟରତ ଏଏନ୍ଏସ୍ ସ୍କ୍ରବ୍ ସୁଟ୍ ପିନ୍ଧିଥିବା ବେଳେ ମହିଳା ଆସିଷ୍ଟାଣ୍ଟ ନର୍ସିଂ ସୁପରିଣ୍ଟେଣ୍ଡେଣ୍ଟଙ୍କ ଡ୍ରେସ୍ କୋଡ୍ ଶାଢ଼ି/ସଲଓ୍ଵାର ଓ କମିଜ୍ ଏବଂ ପୁରୁଷମାନେ ଗଭୀର ନୀଳ ରଙ୍ଗର ଫର୍ମାଲ୍ ଟ୍ରାଉଜର ସହ ସାର୍ଟ ପିନ୍ଧିବେ।

ସେହିପରି ଡେପୁଟି ନର୍ସିଂ ସୁପରିଣ୍ଟେଣ୍ଡେଣ୍ଟ (ଡିଏନ୍ଏସ୍)/ନର୍ସିଂ ସୁପରିଟେଣ୍ଡେଣ୍ଟ୍ (ଏନ୍ ଏସ୍)ଙ୍କ ପୋଷାକର ରଙ୍ଗ ଧଳା ରହିବ। ଆଇସିୟୁ/ଓଟି/ଲେବର ରୁମ୍ ପାଇଁ ‘ସ୍କ୍ରବ୍ ସୁଟ୍’ ପିନ୍ଧିବା ବାଧ୍ୟତାମୂଳକ। ଜେନେରାଲ ୱାର୍ଡରେ ମହିଳାମାନେ ଶାଢ଼ି ପିନ୍ଧିଥିବା ବେଳେ ପୁରୁଷମାନେ ସାର୍ଟ ସହ ଡିପ୍ ନେଭି ନୀଳ ରଙ୍ଗର ଫର୍ମାଲ ଟ୍ରାଉଜର ପିନ୍ଧିବେ

ଧଳା ଏପ୍ରନର କଲାର ବେକ ଅଂଶ ସମସ୍ତଙ୍କ ପାଇଁ ଡିପ୍ ପର୍ପଲ୍ ସମ୍ବଲପୁରୀରେ ରହିବ ବୋଲି କୁହାଯାଇଛି। ଏହାବ୍ୟତୀତ ସାଧାରଣ ୱାର୍ଡରେ ସମସ୍ତ ନର୍ସିଂ ଅଫିସର ଓ ସିନିୟର ନର୍ସିଂ ଅଫିସରଙ୍କ ପାଇଁ ଧଳା ଅଧା ହାତର ଆପ୍ରନ୍ ରହିବ।

ଜେନେରାଲ ୱାର୍ଡରେ ସମସ୍ତ ଏଏନଏସ/ଡିଏନଏସ/ଏନଏସ ପାଇଁ ଏକ ପୂର୍ଣ୍ଣ ସ୍ଲିଭ୍ ଏପ୍ରନ୍ ବ୍ୟବସ୍ଥା କରାଯିବ ଏବଂ କ୍ୟାଡରର ସମସ୍ତ ଅଧିକାରୀଙ୍କ ୟୁନିଫର୍ମରେ ସେମାନଙ୍କ ନାମ ଏବଂ ପଦବୀ ଲେଖା ରହିବ ।

ନର୍ସିଂ ସୁପରିଣ୍ଟେଣ୍ଡେଣ୍ଟଙ୍କ ପାଇଁ ହସ୍ପିଟାଲର ଲୋଗୋ, ନାମ ଓ ପଦବୀ ସହ ଗାଢ଼ ବାଦାମୀ ରଙ୍ଗର ବ୍ୟାଜ୍ ଧାର୍ଯ୍ୟ କରାଯାଇଛି। ସହଜ ପରିଚୟ ପାଇଁ ଅଧିକାରୀଙ୍କ ନାମ ଓ ପଦବୀ ପ୍ରଦର୍ଶନ ପାଇଁ ନିର୍ଦ୍ଧାରିତ କରାଯାଇଛି।

ମହିଳା ନର୍ସିଂ ଅଫିସର, ବରିଷ୍ଠ ନର୍ସିଂ ଅଫିସର ଓ ଆସିଷ୍ଟାଣ୍ଟ ନର୍ସିଂ ସୁପରିଣ୍ଟେଣ୍ଡେଣ୍ଟ ଜେନେରାଲ ୱାର୍ଡ ଓ କାଜୁଆଲିଟି ସେବା ପାଇଁ ଶାଢ଼ି କିମ୍ବା ସଲୱାର ଓ କାମିଜ ପିନ୍ଧିପାରିବେ ଏବଂ ଡିଏନଏସ ଓ ଏନଏସ କ୍ୟାଡରମାନଙ୍କୁ କେବଳ ଏଭଳି ଡ୍ୟୁଟି ପାଇଁ ଶାଢ଼ି ପିନ୍ଧିବାକୁ କୁହାଯାଇଛି ।

ସାଧାରଣ ୱାର୍ଡରେ ଥିବା ସମସ୍ତ ଏଏନଏସ/ଡିଏନଏସ/ଏନଏସ ପାଇଁ ଏକ ପୂର୍ଣ୍ଣ ସ୍ଲିଭ୍ ଆପ୍ରନ୍ ବ୍ୟବସ୍ଥା କରାଯିବ ଏବଂ କ୍ୟାଡରର ସମସ୍ତ ଅଧିକାରୀଙ୍କ ୟୁନିଫର୍ମରେ ସେମାନଙ୍କ ନାମ ଓ ପଦବୀ ଲେଖା ରହିବ ବୋଲି ଚିଠିରେ ଉଲ୍ଲେଖ ରହିଛି।

ଏହା ପୂର୍ବରୁ ବିଜେପି ସରକାର ରାଜ୍ୟର ସରକାରୀ କୋଠା ଓ କାର୍ଯ୍ୟାଳୟଗୁଡ଼ିକୁ କମଳା ଓ ଲାଲ ରଙ୍ଗରେ ରଙ୍ଗିତ କରିବାକୁ ନିଷ୍ପତ୍ତି ନେଇଥିଲେ।

ସରକାରୀ ଓ ଅନୁଦାନପ୍ରାପ୍ତ ବିଦ୍ୟାଳୟର ନବମ ଓ ଦଶମ ଶ୍ରେଣୀରେ ପଢୁଥିବା ଛାତ୍ରଛାତ୍ରୀଙ୍କ ସ୍କୁଲ ୟୁନିଫର୍ମର ରଙ୍ଗକୁ ହାଲୁକା ବ୍ରାଉନ, ଚକୋଲେଟ ଓ ହଳଦିଆ ରଙ୍ଗର ମିଶ୍ରଣରେ ପରିବର୍ତ୍ତନ କରାଯାଇଛି।