Home General ବୁଡି ଯିବ ଜମି ସାର୍ଟିଫିକେଟ ଟଙ୍କା

ବୁଡି ଯିବ ଜମି ସାର୍ଟିଫିକେଟ ଟଙ୍କା

ଭୁବନେଶ୍ୱର : ସହରାଞ୍ଚଳରେ ବହୁ ଆଡମ୍ବରରେ ବଣ୍ଟନ ହୋଇଥିବା ଜମି ସାର୍ଟିଫିକେଟ ଏବେ କାମରେ ଆସୁନାହିଁ । ପ୍ରମାଣପତ୍ର ପାଇଥିବା ଲୋକଙ୍କୁ ଜମି ମିଳୁନଥିବାବେଳେ ସେମାନେ ପଇଠ କରିଥିବା ଟଙ୍କା ବୁଡିଯିବା ଆଶଙ୍କାରେ ଚିନ୍ତାରେ ଅଛନ୍ତି ।

ରାଜ୍ୟର ସହରାଞ୍ଚଳର ବସ୍ତିଗୁଡିକରେ ବସବାସ କରୁଥିବା ଲୋକଙ୍କୁ ଜମିର ମାଲିକାନା ଦେବାପାଇଁ ଏହି ସାର୍ଟିଫିକେଟ ବଣ୍ଟନ ହୋଇଥିଲା । ପ୍ରଥମେ ଏଥିପାଇଁ ଘରୋଇ ସଂସ୍ଥା ସହାୟତାରେ ସର୍ଭେ କରାଯାଇଥିଲା । ପରେ ଜମି ପଟ୍ଟା ଦିଆଯାଇଥିଲା । ହେଲେ ଏଥିରେ ବିବାଦ ଦେଖା ଦେବାରୁ ପଟ୍ଟା ବଦଳରେ ଏହାକୁ ସାର୍ଟିଫିକେଟ କହି ବଣ୍ଟନ କରିଥିଲେ । ଏଥିପାଇଁ ବସ୍ତି ବାସିନ୍ଦାଙ୍କ ଠାରୁ ମୋଟା ଅଙ୍କର ଟଙ୍କା ସରକାରୀ ତହବିଲକୁ ଯାଇଥିଲା ।

ସରକାରୀ ତହବିଲକୁ ଟଙ୍କା ପଇଠ ସହ ଜାଗାଟିଏ ପାଇବାପାଇଁ ବସ୍ତିବାସିନ୍ଦାମାନେ ଭଲ ରକମର ହାତଗୁଞ୍ଜା ବି ଦେଇଥିଲେ । ମଞ୍ଚ ଉପରେ ନେତା-ଅଫିସରଙ୍କ ହାତରୁ ସାର୍ଟିଫିକେଟିଏ ଗ୍ରହଣ କରିଥିଲେ । ଏହାପରେ ଭାବିଥିଲେ ଜମିର ମାଲିକ ହେଲେ ଏବଂ ବ୍ୟାଙ୍କ୍‍ରୁ ଋଣ ଆଣି ସ୍ୱପ୍ନର ଘରଟିଏ କରିବେ । ହେଲେ ଏହି ସ୍ୱପ୍ନ ଏବେ ଧୂଳିସାତ ହେବାରେ ଲାଗିଛି ।

କାରଣ ସାର୍ଟିଫିକେଟରେ ଜମିର ଆକାର ଉଲ୍ଲେଖ ଥିଲେ ମଧ୍ୟ ସେମାନଙ୍କର ଜମିଟି ବସ୍ତି ଭିତରେ କେଉଁଠାରେ ରହିଛି ତାହା ଜାଣିପାରୁ ନାହାନ୍ତି । ଏପରିକି ସେମାନଙ୍କ ଜମିରେ ଏବେ କେଉଁମାନେ ଘର କରି ରହିଛନ୍ତି ତାହା ବି ଅଜଣା । ଯେଉଁମାନେ ଘର କରି ରହିଛନ୍ତି ସେମାନେ ଏବେ ସ୍ଥାନ ଛାଡିବାକୁ ନାରାଜ । ତେଣୁ ଜମି ଦଖଲକୁ କିଭଳି ନେବେ ସେହି ଚିନ୍ତାରେ ଏବେ ସାର୍ଟିଫିକେଟଧାରୀମାନେ ରହିଛନ୍ତି ।

ଏଣେ ଯେଉଁମାନେ ରହୁଥିବା ଜମିର ସାର୍ଟିଫିକେଟ ପାଇଛନ୍ତି ସେମାନଙ୍କୁ ଋଣ ଦେବାକୁ ବ୍ୟାଙ୍କ୍‍ ରାଜି ହେଉନାହିଁ । କାରଣ ଏହି ସାର୍ଟିଫିକେଟଟି ଜମିର ପ୍ରମାଣପତ୍ର ହୋଇନଥିବାରୁ କେଉଁ ଆଧାରରେ ଋଣ ଦେବେ ତାହା ବ୍ୟାଙ୍କ୍‍ କର୍ତ୍ତୃପକ୍ଷ ଜାଣିପାରୁ ନାହାନ୍ତି ।

ସବୁଠାରୁ ସମସ୍ୟା ହୋଇଛି ଯେଉଁବସ୍ତିରେ ଘର ମାଲିକ ଭଡାଟିଆଙ୍କ ନାଁରେ ସାର୍ଟିଫିକେଟ କରିଦେଇଛନ୍ତି । ସେଠାରେ ଏବେ ମହାଭାରତ ଅବସ୍ଥା । ଗୋଟିଏ ପଟେ ଭଡାଟିଆମାନେ ଲକ୍ଷାଧିକ ଟଙ୍କା ସରକାରଙ୍କ ନିକଟରେ ପଇଠ କରି ସାଟର୍ଠିଫିକେଟ ପାଇଥିବାବେଳେ ଘର ମାଲିକ ସେମାନଙ୍କୁ ଜମି ଚିହ୍ନଟ କରି ଦେବାକୁ ନାରାଜ । ଫଳରେ ଏଭଳି ଭାବେ ସାର୍ଟିଫିକେଟ ପାଇଥିବା ଅଧିକାଂଶ ଲୋକେ ନିଜ ପଇସା ବୁଡିବା ଆଶଙ୍କାରେ ରହିଛନ୍ତି । ଅନ୍ୟ ପକ୍ଷରେ ପୂର୍ବରୁ ଯେଭଳି ଭାବେ ଘର ମାଲିକଙ୍କୁ ଭଡା ଗଣୁଥିଲେ ଏବେ ସେଭଳି ଭାବେ ଭଡା ଗଣୁଛନ୍ତି ।

କେବଳ ରାଜଧାନୀ ନୁହେଁ ସାର୍ଟିଫିକେଟ ପାଇଥିବା ରାଜ୍ୟର ପ୍ରାୟ ସମସ୍ତ ପୌରାଞ୍ଚଳରେ ଏଭଳି ଅବସ୍ଥା । ପ୍ରଥମେ ସର୍ଭେ ଓ ପରେ ଆଡମ୍ବରପୂର୍ଣ୍ଣ ସଭା ଆୟୋଜନରେ ଯେଉଁମାନଙ୍କ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା ସେମାନେ ଏବେ ପଇସାଟିଏର ଲାଭ ନପାଇବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । (ତଥ୍ୟ)