ଭୁବନେଶ୍ୱର : ସରକାରୀ କଳର ଦୁର୍ବଳତା, ନକରାତ୍ମକ ମନୋଭାବ ଏବଂ ସର୍ବୋପରି ସାଧାରଣ ଲୋକଙ୍କ ଅଭିଯୋଗ ଫଏସଲାରେ ଅହେତୁକ ବିଳମ୍ବ ଯୋଗଁ ବର୍ଷ ବର୍ଷ ଧରି ଓଡିଶାରେ ମାମଲା ସଂଖ୍ୟା ବଢିଚାଲିଛି । ଏବେ ବିଭିନ୍ନ ଆଇନ୍ ଅଦାଲତରେ ଓଡିଶାର ମାମଲା ସଂଖ୍ୟା ୨୦ଲକ୍ଷକୁ ଟପି ସାରିଲାଣି । ଏହି ଧାରା ଅବ୍ୟାହତ ରହିଲେ ୨୦୩୬ ବେଳକୁ ଓଡିଶା ଉପରେ ମାମଲା ବୋଝ ସଂଖ୍ୟା ପାଖାପାଖି ୪୦ଲକ୍ଷରେ ପହଞ୍ଚିଯିବ ବୋଲି ଆଇନ୍ ବିଶାରଦମାନେ ଆଶଙ୍କା କରୁଛନ୍ତି ।
ଅଭିଜ୍ଞ ଆଇନ୍ଜୀବୀମାନେ କହୁଛନ୍ତି ଯେ ଅଧିକ ସଂଖ୍ୟାରେ କୋର୍ଟ କଚେରୀ ଖୋଲିଗଲେ ଲୋକଙ୍କ ସମସ୍ୟାର ସମାଧାନ ହେବାନହିଁ । ବ୍ଲକ, ତହସିଲ, ଥାନା ଠାରୁ ଆରମ୍ଭକରି ରାଜ୍ୟ ସଚିବାଳୟ ପର୍ଯ୍ୟନ୍ତ ବିଭିନ୍ନ ସରକାରୀ ଦପ୍ତରରେ ତଳୁ ଉପର ପର୍ଯ୍ୟନ୍ତ ଅଧିକାରୀମାନଙ୍କ ସକରାତ୍ମକ ମନୋଭାବ ରହିଲେ ଅଭିଯୋଗ ଶୁଣାଣି ଓ ଫଏସଲା ଶୀଘ୍ର ହୋଇପାରିବ ଏବଂ ଏହା କରାଯାଇ ପାରିଲେ ହିଁ ରାଜ୍ୟରେ ମାମଲା ସଂଖ୍ୟା ହ୍ରାସ ହେବ ।
ଭାରତ ସରକାରଙ୍କ ଏନ୍ସିଆରବି ରିପୋର୍ଟର ତଥ୍ୟ ମୁତାବକ ବର୍ଷକୁ ବର୍ଷ ଓଡିଶାରେ ମାମଲା ବୋଝ ବଢି ଚାଲିଥିବାବେଳେ ଫଏସଲା ହାର ଅତି ନଗଣ୍ୟ ରହୁଛି । ସବୁଠାରୁ ଉଦବେଗଜନକ କଥା ହେଉଛି ଯେ ସମ୍ବେଦନଶୀଳ ଅପରାଧିକ ମାମଲାଗୁଡିକରେ ଦଣ୍ଡବିଧାନ ହାର ଅତି କମ୍ ରହୁଛି । ବିଶେଷକରି ମହିଳାମାନଙ୍କ ପ୍ରତି ଘଟୁଥିବା ଅପରାଧଗୁଡିକର ଫଏସଲା ହାର ୫ ପ୍ରତିଶରୁ କମ୍ ରହୁଥିବାବେଳେ ଦଣ୍ଡବିଧାନ ହାର ବି ୧୦ ପ୍ରତିଶତରୁ କମ୍ ରହୁଛି । ସଂଖ୍ୟାଧିକ ସରକାରୀ ମାମଲାରେ ସରକାର ହାରିବା ସହିତ ଅପଦସ୍ତ ମଧ୍ୟ ହେଉଛନ୍ତି ।
୨୦୨୩ ଆରମ୍ଭ ବେଳକୁ ଓଡିଶାରେ ମହିଳାମାନଙ୍କ ପ୍ରତି ଘଟୁଥିବା ଅପରାଧିକ ମାମଲାରେ ୧ଲକ୍ଷ ୭୦ହଜାର ବିଚାରପ୍ରତୀକ୍ଷାରେ ଥିବାବେଳେ ଏବେ ଏହି ସଂଖ୍ୟା ୨ଲକ୍ଷକୁ ଟପି ସାରିଲାଣି । ସେହିଭଳି ଶିଶୁମାନଙ୍କ ପ୍ରତି ଘଟୁଥିବା ଅପରାଧ ସଂକ୍ରନ୍ତୀୟ ମାମଲାରୁ ଅନ୍ୟୁନ ୨୨ହଜାର ବିଚାର ପ୍ରତୀକ୍ଷାରେ ରହିଛି । ପୁରୁଣା ଆଇପିସି ମାମଲା ସଂଖ୍ୟା ଓଡିଶାରେ ପ୍ରାୟ ୯ଲକ୍ଷରୁ ଅଧିକ ରହିଛି । ଏନସିଆରବିର ସର୍ବଶେଷ ରିପୋର୍ଟ ଅନୁଯାୟୀ ଏଭଳି ଅପରାଧିକ ମାମଲାରେ ରାଜ୍ୟରେ ଦଣ୍ଡବିଧାନ ହାର ମାତ୍ର ୧୧.୯ ପ୍ରତିଶତ ଥିବାବେଳେ ଜାତୀୟ ସ୍ତରରେ କିନ୍ତୁ ତାହା ୫୪.୨ ପ୍ରତିଶତ ରହୁଛି ।
ଅର୍ଥନୈତିକ ଅପରାଧ ଏବଂ ବିଶେଷକରି ଦୁର୍ନୀତି ନିବାରଣ ମାମଲାରେ ମଧ୍ୟ ଫଏସଲା ଓ ଦଣ୍ଡବିଧାନ ସଂଖ୍ୟା ଉତ୍ସାହଜନକ ନୁହେଁ । ତେବେ ଭିଜିଲାନ୍ସ ମାମଲାରେ ଦଣ୍ଡ ବିଧାନ ହାର ଜାତୀୟ ସ୍ତରରେ ୩୯.୬ ପ୍ରତିଶତ ଥିବାବେଳେ ଓଡିଶାରେ ତାହା ୩୬.୪ ପ୍ରତିଶତ ବୋଲି ଏନସିଆରବି ରିପୋର୍ଟ କହୁଛି । ମୋଟାମୋଟି ଭାବେ ବିଚାର ପ୍ରତୀକ୍ଷାରେ ଥିବା ଭିଜିଲାନ୍ସ ମାମଲାରୁ ବର୍ଷରେ ମାତ୍ର ୬.୪ ପ୍ରତିଶତ ଫଏସଲା ହେଉଥିବାବେଳେ ୯୩.୬ ପ୍ରତିଶତ ପରବର୍ତ୍ତୀ ବର୍ଷକୁ ବାକିଆ ମାମଲା ଭାବେ ଯାଉଛି । ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ପ୍ରତି ଘଟୁଥିବା ଅପରାଧ କ୍ଷେତ୍ରରେ ଓଡିଶାରେ ମାମଲା ଫଏସଲା ହାର ବାର୍ଷିକ ୩ ପ୍ରତିଶତରୁ କମ୍ ରହୁଥିବାବେଳେ ଦଣ୍ଡବିଧାନ ହାର ବି ୨୦ ପ୍ରତିଶତ ହେଉନାହିଁ ।
ଅନ୍ୟ ପକ୍ଷରେ ତହସିଲରୁ ଆରମ୍ଭକରି ବୋର୍ଡ ଅଫ୍ ରେଭିନ୍ୟୁ ପର୍ଯ୍ୟନ୍ତ ବିଭିନ୍ନ ରାଜସ୍ୱ ଦପ୍ତରରେ ଜମିଜମା ସଂକ୍ରାନ୍ତୀୟ ୧୨ଲକ୍ଷରୁ ଅଧିକ ମାମଲା ବିଚାର ପ୍ରତୀକ୍ଷାରେ ରହିଛି । ରାଜ୍ୟସ୍ୱ ଦପ୍ତର ଏବଂ ଆଇନ୍ ଅଦାଲତଗୁଡିକରେ କେଉଁ ମାମଲା ୧୦ବର୍ଷ ଗଡିଲାଣି ତ ଆଉ କିଏ ୩୦ବର୍ଷ ବିତିଲେ ବି ସରୁନାହିଁ । ବିଳମ୍ବିତ ବିଚାର ପ୍ରକ୍ରିୟା, ଦୁର୍ବଳ ତଦନ୍ତ, ସାକ୍ଷ୍ୟ ପ୍ରମାଣ ଉପସ୍ଥାପନ କରିବାରେ ଅବହେଳା ଏବଂ ସର୍ବୋପରି ମାମଲା ପରିଚାଳନାରେ ତ୍ରୁଟିବିଚ୍ୟୁତି ଯୋଗୁଁ ସଂଖ୍ୟାଧିକ ମାମଲାରେ ସରକାର ହାରିବା ସହ ମାମଲା ସଂଖ୍ୟା ବଢୁଛି । (ତଥ୍ୟ)