ଭୁବନେଶ୍ୱର : ରାଜ୍ୟରେ ୧ଲକ୍ଷ ୪୦ହଜାରରୁ ଅଧିକ ତୃତୀୟ ଓ ଚତୁର୍ଥଶ୍ରେଣୀ ସରକାରୀ କର୍ମଚାରୀ ପଦବୀ ଖାଲି ପଡିଥିବାବେଳେ ସରକାରୀ ଚାକିରିରେ ଥାଇ ମୃତ୍ୟୁବରଣ କରିଥିବା ପ୍ରାୟ ୫ହଜାର କର୍ମଚାରୀଙ୍କ ଉତ୍ତରାଧିକାରୀଙ୍କୁ ଅନୁକମ୍ପାମୂଳକ ନିଯୁକ୍ତି ମିଳିପାରୁନାହିଁ । ଏଥିଘେନି ପ୍ରଚଳିତ ଆଇନ୍ରେ ସଂଶୋଧନ ଆଣିବାଲାଗି ବାରମ୍ବାର ଦାବି ହେଉଥିଲେ ମଧ୍ୟ ତାହା ଉପରେ ଗୁରୁତ୍ୱ ନଦେଇ ଅଦାଲତଙ୍କ ରାୟ ଆଧାରରେ ଚାକିରି ଦିଆଯାଉଥିବାରୁ ମାମଲା ସଂଖ୍ୟା ବଢିବାରେ ଲାଗିଛି ।
ସରକାରୀ ଚାକିରିରେ ଥାଇ ମୃତ୍ୟୁବରଣ କରୁଥିବା କର୍ମଚାରୀଙ୍କ ପରିବାରର ଆର୍ଥିକ ଦୁଃସ୍ଥିତିକୁ ବିଚାରକୁ ନେଇ ଜଣେ ଉତ୍ତରାଧିକାରୀଙ୍କୁ ତୃତୀୟ କିମ୍ବା ଚତୁର୍ଥଶ୍ରେଣୀ ଚାକିରିରେ ନିଯୁକ୍ତି ଦେବାଲାଗି ୧୯୯୦ ମସିହାରେ ରାଜ୍ୟ ସରକାର ସ୍ୱତନ୍ତ୍ର ଆଇନ୍ ପ୍ରଣୟନ କରିଥିଲେ । ଏହି ଆଇନ୍ ମଧ୍ୟ ବିଭିନ୍ନ ଅର୍ଦ୍ଧ ସରକାରୀ ସଂସ୍ଥା ପାଇଁ ଲାଗୁହୋଇ ଆସୁଥିଲା । ୧୯୯୦ମସିହାରେ ସାଧାରଣ ପ୍ରଶାସନ ବିଭାଗ ଏଭଳି ଏକ ଆଇନ୍ ପ୍ରଣୟନ କରିବା ପୂର୍ବରୁ ଶ୍ରମ ବିଭାଗର ଏକ ମାର୍ଗଦର୍ଶିକା ଆଧାରରେ ଅନୁକମ୍ପାମୂଳକ ନିଯୁକ୍ତି ଦିଆଯାଉଥିଲା ।
ତେବେ ୧୯୯୯ ମସିହାରୁ ରାଜ୍ୟ ସରକାର ଆର୍ଥିକ ନିଅଣ୍ଟିଆ ସ୍ଥିତି ଆଳରେ ମିତବ୍ୟୟିତା ନୀତି ଅବଲମ୍ବନ କରି ବହୁ ମଞ୍ଚୁରୀପ୍ରାପ୍ତ ପଦ ପଦବୀ ଉଚ୍ଛେଦ କରିବା ସହିତ ନିଯୁକ୍ତି ଓ ପଦୋନ୍ନତି ଉପରେ କଟକଣା ଜାରି କରିଥିଲେ । ପ୍ରାୟ ୨୫ବର୍ଷ ଧରି ଏଭଳି କଟକଣା ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବରେ ବଳବତ୍ତର ରହିଆସିଛି । କୌଣସି ବିଭାଗରେ ପଦ ପଦବୀ ଖାଲିପଡିଲେ ଏହା ପୂରଣ ପାଇଁ ସରକାରଙ୍କ ଅନୁମୋଦନ ଆବଶ୍ୟକ ପଡୁଛି । ଏମିତିକି ବିଶ୍ୱବିଦ୍ୟ।।ଳୟଗୁଡିକରେ ବି ସରକାରଙ୍କ ବିନାନୁମୋଦନରେ ଖାଲି ପଦବୀ ପୂରଣ ହୋଇପାରୁ ନାହିଁ । ଏ ପରିପ୍ରେକ୍ଷୀରେ ଅନୁକମ୍ପାମୂଳକ ନିଯୁକ୍ତିର କ୍ଷେତ୍ରକୁ ଇଚ୍ଛାକୃତଭାବେ ସଙ୍କୁଚିତ କରି ବର୍ଷ ବର୍ଷ ଧରି କର୍ତ୍ତୃପକ୍ଷ ଗଡାଇ ଚାଲୁଛନ୍ତି ।
୧୯୯୦ର ଅନୁକମ୍ପାମୂଳକ ନିଯୁକ୍ତି ଆଇନ୍ ୨୦୧୬ମସିହାରେ ସଂଶୋଧିତ ହୋଇଥିଲା । ପରବର୍ତ୍ତୀ ସମୟରେ ୨୦୨୦ରେ ଅନ୍ୟଏକ ନୂଆ ଆଇନ୍ ଅଣାଯାଇ ଏଥିରେ ଏତେ କଟକଣା ଖଞ୍ଜି ଦିଆଗଲା ଯେ ଅନୁକମ୍ପାମୂଳକ ନିଯୁକ୍ତି ଆଉ ସହଜରେ ମିଳୁନାହିଁ । କେବଳ ସେତିକି ନୁହେଁ, ୨୦୨୦ର ନୂଆ ଆଇନ୍ ଆସିବା ପୂର୍ବରୁ ଯେତେ ଅନୁକମ୍ପାମୂଳକ ଆବେଦନ ବର୍ଷ ବର୍ଷ ଧରି ପ୍ରତୀକ୍ଷାରେ ଥିଲା ସେସବୁକୁ ପୁରୁଣା ଆଇନ୍ ଆଧାରରେ ଫଏସଲା ନକରି ନୂଆ ଆଇନ୍ ଆଧାରରେ ନିଷ୍ପତ୍ତି ନେବାକୁ ବ୍ୟବସ୍ଥା କରାଯିବାରେ ଏହା ବିରୁଦ୍ଧରେ ଅନେକ ମାମଲା ରୁଜୁ ହେଲା ଏବଂ ହାଇକୋର୍ଟ ମଧ୍ୟ ପିଛିଲା ତାରିଖରୁ ଏହା କାର୍ଯ୍ୟକାରୀ ହୋଇପାରିବ ନାହିଁ ଓ ସମ୍ପୃକ୍ତ କର୍ମଚାରୀଙ୍କ ମୃତ୍ୟୁବେଳକୁ ଯେଉଁ ଆଇନ୍ ବଳବତ୍ତର ଥିଲା ସେହି ଆଇନ୍ ଆଧାରରେ ଅନୁକମ୍ପାମୂଳକ ନିଯୁକ୍ତି ଦେବାକୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏମିତିକି ସୁପ୍ରିମକୋର୍ଟ ବି ଓଡିଶା ପ୍ରସଙ୍ଗରେ ମଳୟାନନ୍ଦ ସେଠୀ ମାମଲାରେ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇ ଆବେଦନକାରୀଙ୍କୁ ନିଯୁକ୍ତି ଦେବାପାଇଁ ଯେଉଁ ନିର୍ଦ୍ଦେଶ ଦେଇଥିଲେ ତାହା କାର୍ଯ୍ୟକାରୀ ହୋଇଛି ।
ଏହାକୁ ଆଧାର କରି ଓଡିଶା ହାଇକୋର୍ଟ ଶହ ଶହ ମାମଲାରେ ନିର୍ଦ୍ଦେଶନାମା ଜାରି କରିଥିବାବେଳେ କେତେକ କ୍ଷେତ୍ରରେ ସରକାରଙ୍କ ପକ୍ଷରୁ ଏହାର ଅନୁପାଳନ କରାଯାଉଥିବାବେଳେ ବହୁ କ୍ଷେତ୍ରରେ କିନ୍ତୁ ଏହା ବିରୁଦ୍ଧରେ ସରକାର ମାମଲା ଲଢି ଚାଲୁଛନ୍ତି । ତେଣୁ ବର୍ଷ ବର୍ଷ ଧରି ଅନୁକମ୍ପାମୂଳକ ନିଯୁକ୍ତି ମିଳିବା କ୍ଷେତ୍ରରେ ବିଳମ୍ବ ଉପୁଜୁଛି । ଗୋଟିଏ ପଟେ ୧ଲକ୍ଷ ୪୦ହଜାରରୁ ଅଧିକ ପଦବୀ ତୃତୀୟ ଓ ଚତୁର୍ଥଶ୍ରେଣୀ ପାହ୍ୟାରେ ଖାଲି ପଡିଥିବାବେଳେ ଅନ୍ୟ ପକ୍ଷରେ ପ୍ରାୟ ୫ହଜାର ଅନୁକମ୍ପାମୂଳକ ଆବେଦନକାରୀଙ୍କୁ ନିଯୁକ୍ତି ଦିଆଯାଉନଥିବାରୁ କର୍ମଚାରୀ ମହଲରେ ଅସନ୍ତୋଷ ବଢିବାରେ ଲାଗିଛି । (ତଥ୍ୟ)