Home News in Odia ଚିତ୍ରଶିଳ୍ପୀଙ୍କୁ ସମ୍ବର୍ଦ୍ଧନା

ଚିତ୍ରଶିଳ୍ପୀଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର : ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜୟନ୍ତୀ ସମାରୋହ ପାଳନ ଉଦ୍ଦେଶ୍ୟରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ (ଏସସିଏସଟିଆରଟିଆଇ) ଦ୍ୱାରା ଆୟୋଜିତ ତ୍ରିଦିବସୀୟ ଚିତ୍ର କର୍ମଶାଳା ଉଦଯାପିତ ହୋଇଯାଇଛି । ଉଦଯାପନ ସମାରୋହରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏଥିସହ ଏସସିଏସଟିଆରଟିଆଇ ନିର୍ଦ୍ଦେଶକ ଇନ୍ଦ୍ରମଣୀ ତ୍ରିପାଠୀ, ବିଭୁତି କାନୁନଗୋ ଚାରୁ ଓ କାରୁକଳା ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ସୁବ୍ରତ ମଲ୍ଲିକ ପ୍ରମୁଖ ମଧ୍ୟ ଉପସ୍ଥିତ ରହି ଚିତ୍ରଶିଳ୍ପୀମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । 

ଉଦଯାପନୀ ସମାରୋହରେ ସାମିଲ ହୋଇ ଶ୍ରୀ ସେଠୀ ନିଜର ଖୁସି ବ୍ୟକ୍ତ କରିବା ସହ ହଜିଯାଉଥିବା ବିପ୍ଳବୀମାନଙ୍କୁ ପୁଣି ଥରେ ମନେପକାଇବାର ଏହି ପ୍ରୟାସକୁ ସାଧୁବାଦ ଜଣାଇଥିଲେ । ଏହି ଅବସରରେ ସେ କହିଛନ୍ତି, ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦିଗଦର୍ଶନରେ ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ଅବସରରେ ଆରମ୍ଭ ହୋଇଥିବା ଜନଜାତୀୟ ଗୌରବ ଦିବସ ଏବେ ସବୁ ରାଜ୍ୟର ରାଜଧାନୀ, ସଦରମହକୁମା ଓ ବ୍ଲକସ୍ତରରେ ଭବ୍ୟ ଭାବରେ ପାଳନ କରାଯିବ ।

ଏହା ହେବ ସେହି ମହାନ ଆତ୍ମା ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି । ସେ ଏହାମଧ୍ୟ କହିଥିଲେ ଯେ, ବିର୍ସା ମୁଣ୍ଡା ଥିଲେ ସତ୍ୟର ପୂଜାରୀ ଏବଂ ତାଙ୍କ ବିପ୍ଲବ ‘ସତ୍ୟର ବିଜୟ’ର ନିଦର୍ଶନ । ଏହି ରାଜ୍ୟସ୍ତରୀୟ କର୍ମଶାଳାର ଆୟୋଜନ ଫଳରେ ରାଜ୍ୟ ସରକାରଙ୍କ ଦ୍ବାରା ବିର୍ସା ମୁଣ୍ଡାଙ୍କୁ ସମ୍ମାନ ଜଣାଇବାର ପ୍ରକ୍ରିୟା ଆରମ୍ଭ ହୋଇଛି ।

ସୂଚନାଯୋଗ୍ୟ, ବିଭୁତି କାନୁନଗୋ ଚାରୁ ଓ କାରୁକଳା ମହାବିଦ୍ୟାଳୟର ସହଯୋଗରେ ନଭେମ୍ବର ୪ ତାରିଖରୁ ଆରମ୍ଭ ହୋଇଥିବା ରାଜ୍ୟସ୍ତରୀୟ ଚିତ୍ର କର୍ମ  ଶାଳା ସଫଳତାର ସହ ଶେଷ ହୋଇଛି । ଓଡ଼ିଶା ରାଜ୍ୟ ସଂଗ୍ରହାଳୟସ୍ଥିତ କଳିଙ୍ଗ ଆର୍ଟ ଗ୍ୟାଲେରୀ ପରିସରରେ ଏହି କର୍ମଶାଳାର ଆୟୋଜନ କରାଯାଇଥିଲା ।

ଉଦଯାପନୀ ସନ୍ଧ୍ୟାରେ ନିର୍ଦ୍ଦେଶକ  ଶ୍ରୀ ତ୍ରିପାଠୀ ସ୍ବାଗତ ଅଭିଭାଷଣ ଦେବା ସହ କର୍ମଶାଳାର ସଫଳତା ସମ୍ପର୍କରେ ଆଲୋକପାତ କରିଥିଲେ ।  କର୍ମଶାଳାରେ ଓଡ଼ିଶାର ୩୦ ଜଣ ବରିଷ୍ଠ ଚିତ୍ରଶିଳ୍ପୀ ଭାଗ ନେଇଥିଲେ । ଭଗବାନ ବିର୍ସା ମୁଣ୍ଡାଙ୍କ ଜୀବନୀ, ଓଡ଼ିଶା ଉପରେ ତାଙ୍କର ପ୍ରଭାବ, ତାଙ୍କର ଆଦର୍ଶ, ବିପ୍ଲବକୁ ନେଇ ଶିଳ୍ପୀମାନେ ଚିତ୍ର ଆଙ୍କିଛନ୍ତି ।