Home General କେବେ ମୁକୁଳିବ ସରକାରୀ ଜମି

କେବେ ମୁକୁଳିବ ସରକାରୀ ଜମି

ଭୁବନେଶ୍ୱର : ଜବରଦଖଲ ହୋଇଥିବା ସରକାରୀ ଜମିକୁ ମୁକୁଳାଇବା ଲାଗି ଖୋଦ୍‍ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବାବେଳେ ରାଜଧାନୀରେ ଜବରଦଖଲ ହୋଇଥିବା ସରକାରୀ ଜମି ମୁକୁଳାଇବାରେ ପ୍ରଶାସନ କାଳବିଳମ୍ବ ନୀତି ଆପଣେଉଛି । ଘର ତିଆରି ପାଇଁ ହାଉସିଂବୋର୍ଡକୁ ଦିଆଯାଇଥିବା ଜମିକୁ ମାଫିଆମାନେ ମାଡି ବସିଥିଲେ ମଧ୍ୟ ସରକାର ତାହାକୁ ମୁକ୍ତ କରିପାରୁନାହିଁ ।

ମିଳିଥିବା ସୂଚନା ଅନୁଯାୟୀ ହାଉସିଂବୋର୍ଡକୁ ରାଜଧାନୀର ବିଭିନ୍ନ ସ୍ଥାନରେ ଯେଉଁ ଜମି ମିଳିଛି ସେଠାରେ କିଛି ଜମିକୁ ମାଫିଆମାନେ ଅକ୍ତିଆର କରିବାରେ ଲାଗିଛନ୍ତି । ଏକରେ କି ଦୁଇ ଏକର ନୁହେଁ ଭୁବନେଶ୍ୱରର ରଣସିଂପୁର ଅଞ୍ଚଳରେ ହାଉସିଂବୋର୍ଡର ୪.୬୫ ଏକର ଜମି ଜବରଦଖଲ ହୋଇଯାଇଛି । ମାଫିଆମାନେ ଜମିକୁ ଜବରଦଖଲକୁ ନେଇ ତାହା ଉପରେ ଦୋକାନ ଓ ସେଡ୍‍ ନିର୍ମାଣ କରି ବେପାର ଚଳାଇଛନ୍ତି । ଜବରଦଖଲ ହଟାଇବାପାଇଁ ବିଡିଏକୁ ଚିଠି ଲେଖି କର୍ତ୍ତୃପକ୍ଷ କାମ ସାରିଦେଇଛନ୍ତି ।

ସେହିଭଳି ଡୁମୁଡୁମା ଅଞ୍ଚଳରେ ଥିବା ହାଉସିଂବୋର୍ଡ ଜମିକୁ ଲୋକେ ମାଡିବସି ସେଠାରେ ଆଜେବେଷ୍ଟସ ଘର ତିଆରି କରି ରହୁଛନ୍ତି । କିଛି ଘର ଭଡାରେ ଲଗାଇ ଅର୍ଥ ଆଦାୟ କରୁଛନ୍ତି । କର୍ତ୍ତୃପକ୍ଷଙ୍କ ଆଖିଆଗରେ ସବୁକିଛି ଚାଲିଛି । ହେଲେ ଏମାନଙ୍କୁ କିଏ ହଟାଇବା ତାହାର ଉତ୍ତର କାହାରି ପାଖରେ ନାହିଁ ।

କାନନବିହାରରେ ଥିବା ହାଉସିଂବୋର୍ଡର ୬ଟି ପ୍ଲଟକୁ ମାଫିଆମାନେ ଧିରେ ଧିରେ ନିଜ ଅକ୍ତିଆରକୁ ନେବାରେ ଲାଗିଛନ୍ତି । ସେଠାରେ ପାଖାପାଖି ୨୦ଟି ଅସ୍ଥାୟୀ ଦୋକାନଘର ନିର୍ମାଣ କରି ବେପାର ଚଳାଇଛନ୍ତି । ଏଠାରେ କିଏ ଜମି ଜବରଦଖଲକରିଛି ଓ କିଏ ଦୋକାନଘର କରି ବେପାର ଚଳାଇଛି ତାହାର ସୂଚନା ମଧ୍ୟ ହାଉସିଂବୋର୍ଡ ପାଖରେ ନଥିବା ଜଣାଯାଇଛି । ଏହାକୁ କିଏ ହଟାଇବ ତାହା ଏବେ ବଡ ପ୍ରଶ୍ନବାଚୀ ହେଲାଣି ।

ଜବରଦଖଲକାରୀମାନେ ସୀମା ଟପିଛନ୍ତି ପାତ୍ରପଡା ଅଞ୍ଚଳରେ । ଏଠାରେ ସରକାର ହାଉସିଂବୋର୍ଡକୁ ଜମି ଦେବାପରେ ମାଫିଆମାନେ ୨ଏକର ଜମିକୁ ନିଜ ଅକ୍ତିଆରକୁ ନେଇ ଯାଇଛନ୍ତି । ଏଠାରେ ପାଚେରୀ ବୁଲାଇ ଆଜବେଷ୍ଟସ ଘର କରି ଲୋକେ ରହୁଛନ୍ତି । ଘର ଭଡାରେ ବି ଲଗାଇଛନ୍ତି । ଏମାନଙ୍କୁ ହଟାଇବାପାଇଁ ସରକାରୀକଳର ଆଉ ସାହସ କୁଳାଉନଥିବା ସ୍ଥାନୀୟ ଲୋକମାନେ କହୁଛନ୍ତି ।

କେବଳ ହାଉସିଂବୋର୍ଡ ଜମି ନୁହେଁ, ରାଜଧାନୀ ପୋଖରୀପୁଟ ଅଞ୍ଚଳରେ ଓଡିଶା ଖଦି ବୋର୍ଡର ମୂଲ୍ୟବାନ ଜମି ମଧ୍ୟରୁ ପ୍ରାୟ ୨ଏକର ବି ଜବରଦଖଲ ହୋଇଛି । ଏଠାରେ ବସ୍ତି ଗଢିବା ଉଠିବା ସହିତ ସୀମା ବଢିବାରେ ଲାଗିଛି । ହେଲେ କର୍ତ୍ତୃପକ୍ଷ ଏହି ମୂଲ୍ୟବାନ ଜମିକୁ ମୁକୁଳାଇ ପାରୁନାହାନ୍ତି । ଖଦିବୋର୍ଡ କର୍ତ୍ତୃପକ୍ଷ ସାଧାରଣ ପ୍ରଶାସନ ବିଭାଗକୁ ପତ୍ର ଲେଖି ଲେଖି ଏକ ପ୍ରକାର ହାଲିଆ ହୋଇଗଲେଣି ।

ରାଜଧାନୀରେ ଯଦି ମୂଲ୍ୟବାନ ସରକାରୀ ଜମିକୁ ମୁକୁଳାଯାଇ ପାରୁନାହିଁ ତେବେ ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ଜବରଦଖଲରେ ଥିବା ସରକାରୀ ଜମିର ଅବସ୍ଥା କ’ଣ ହୋଇଥିବ ତାହା ସହଜରେ ଅନୁମେୟ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ଏଗୁଡିକୁ ପ୍ରଶାସନ କେବେ ଜବରଦଖଲ ମୁକ୍ତ କରିବ ତାହାକୁ ଏବେ ସମସ୍ତଙ୍କର ଅପେକ୍ଷା । (ତଥ୍ୟ)