Home Culture ୧୨୫ତମ ଜନ୍ମବାର୍ଷିକୀ ପାଇଁ ତତ୍ପରତା ନାହିଁ

୧୨୫ତମ ଜନ୍ମବାର୍ଷିକୀ ପାଇଁ ତତ୍ପରତା ନାହିଁ

ଭୁବନେଶ୍ୱର : ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ସମାଜସେବୀ ମା’ ରମାଦେବୀଙ୍କ ୧୨୫ତମ ଜନ୍ମବାର୍ଷିକୀ ପାଳନ ପାଇଁ ଏଯାବତ୍‍ କେନ୍ଦ୍ର କିମ୍ବା ରାଜ୍ୟ ସରକାରଙ୍କ ସ୍ତରରେ କୌଣସି ଘୋଷଣା ହୋଇନଥିବାବେଳେ ଏହି ଉପଲକ୍ଷେ ଗୋକୁଳାନନ୍ଦ ଚୌଧୁରୀ ଜାତୀୟ ପୀଠ ପକ୍ଷରୁ ରମାଦେବୀଙ୍କ ବଛା ବଛା ଭାଷଣ ଓ ଲେଖାକୁ ସଙ୍କଳିତ କରି ଏକ ଦୁର୍ଲଭ ପୁସ୍ତକ ପ୍ରକାଶ ପାଇଛି ।

ପ୍ରାୟ ୨୮୦ ପୃଷ୍ଠାର ଏହି ପୁସ୍ତକରେ ସ୍ୱୀଧାନତ୍ତୋର ଭାରତବର୍ଷରେ ବିଭିନ୍ନ ସ୍ଥାନରେ ମା’ରମାଦେବୀଙ୍କର ଅନ୍ୟୁନ ୭୩ଟି ଭାଷଣ ଓ ଲେଖା ସ୍ଥାନ ପାଇଛି । ଏଥିରେ ପଣ୍ଡରପୁର, ଇନ୍ଦୋର, ସେବାଗ୍ରାମ ଆଦିରେ ଅନୁଷ୍ଠିତ ବିଭିନ୍ନ ଜାତୀୟ ସମ୍ମିଳନୀକୁ ମା’ ରମାଦେବୀଙ୍କ ପ୍ରଭାବଶାଳୀ ବକ୍ତବ୍ୟ ସହିତ ମାଲକାନଗିରିରୁ ମୟୁରଭଞ୍ଜ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ସେ ଭିନ୍ନ ଭିନ୍ନ ସମୟରେ ଦେଇଥିବା ବକ୍ତବ୍ୟଗୁଡିକ ମଧ୍ୟରୁ କେତୋଟି ବଛା ବଛା ଭାଷଣ ଏହି ପୁସ୍ତକରେ ସନ୍ନବେଶିତ ହୋଇଛି ।

ଏଠାରେ ଉଲ୍ଲେଖନୀୟ ଯେ ୧୮୯୯ ଡିସେମ୍ବର ୪ତାରିଖରେ ମା’ ରମାଦେବୀଙ୍କର ଜନ୍ମ ହୋଇଥିଲା । ଉତ୍କଳଗୌରବ ମଧୁସୂଦନ ଦାସ ତାଙ୍କ ନିଜ ବଡବାପା ଥିବାବେଳେ ସେ ସମୟର ଖ୍ୟାତନାମା ଓକିଲ ଗୋକୁଳାନନ୍ଦ ଚୌଧୁରୀଙ୍କର ସେ ପୁତ୍ରବଧୁ ହୋଇଥିଲେ । ତାଙ୍କ ସ୍ୱାମୀ ଗୋପବନ୍ଧୁ ଚୌଧୁରୀ ସରକାରୀ ଚାକିରିରୁ ଇସ୍ତଫା ଦେଇ ସପରିବାର ସ୍ୱାଧୀନତା ଆନ୍ଦୋଳନରେ ଝାସ ଦେଇଥିଲେ । ଚୌଧୁରୀ ପରିବାର ସହି ମହାତ୍ମା ଗାନ୍ଧୀ, ଉତ୍କଳମଣି ଗୋପବନ୍ଧୁ ଦାସ, ସନ୍ଥ ବିନୋବା ଭାବେ, ଲୋକନାୟକ ଜୟପ୍ରକାଶ ନାରାୟଣ ଆଦିଙ୍କର ଘନିଷ୍ଠ ସମ୍ପର୍କ ଥିଲା ।

ସ୍ୱାଧୀନତା ଆନ୍ଦୋଳନ ସହ ମା’ରମାଦେବୀଙ୍କୁ ଗାନ୍ଧୀଜୀ ତାଙ୍କ ହାତଗଢା ଅନୁଷ୍ଠାନ ହରିଜନ ସେବକ ସଂଘ, କସ୍ତୁରବାଗାନ୍ଧୀ ଜାତୀୟ ସ୍ମାରକନିଧି ଆଦି ସଂସ୍ଥାରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇଥିଲେ । ମାତ୍ର ୨୨ବର୍ଷ ବୟସରେ ସେ ସ୍ୱାଧୀନତା ଆନ୍ଦୋଳନରେ ଅଂଶଗ୍ରହଣ କରି ବାରମ୍ବାର କାରାବରଣ କରିଥିଲେ । ଏହାଛଡା ଅସ୍ପୃଶ୍ୟତା ନିବାରଣ, ସାମ୍ପ୍ରଦାୟିତ୍ୱ ସୌହାର୍ଦ୍ଦ୍ୟ, ଖଦି, ଗ୍ରାମ୍ୟଶିଳ୍ପ, ନାରୀ ଜାଗରଣ, ଶିଶୁ ଓ ମହିଳାଙ୍କ ଯତ୍ନ, ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସେବାକାର୍ଯ୍ୟ ଆଦି ବିଭିନ୍ନ କାମ ପାଇଁ ସେ ଓଡିଶା ଭିତରେ ଓ ବାହାରେ ସୁପରିଚିତା ଥିଲେ । ପ୍ରାକ୍‍ ସ୍ୱାଧୀନତା କାଳରେ ତାଙ୍କୁ ମଧ୍ୟ ପ୍ରଦେଶ କଂଗ୍ରେସ ସଭାପତି ଦାୟିତ୍ୱ ମିଳିଥିଲା । ଏହାଛଡା ସ୍ୱାଧୀନତା ଆନ୍ଦୋଳନରେ ନାରୀ ଓ ଛାତ୍ର ଶକ୍ତିକୁ ଯୋଡିବା କ୍ଷେତ୍ରରେ ତାଙ୍କର ଅନବଦ୍ୟ ଅବଦାନ ରହିଥିଲା ।

ଜଗତ୍‍ସିଂହପୁର ଜିଲ୍ଲାର ଖେରସ ଜମିଦାର ପରିବାରର ବୋହୂ ହୋଇଥିଲେ ମଧ୍ୟ ସେ ଜମିଦାରୀକୁ ଏଡାଇ ଦେଇ ଭୂଦାନ ଆନ୍ଦୋଳନରେ ସକ୍ରିୟ ଅଂଶଗ୍ରହଣ କରିଥିଲେ । ୧୯୨୧ରୁ ଗାନ୍ଧୀଜୀଙ୍କ ଦେହାବସାନ ପର୍ଯ୍ୟନ୍ତ ତାଙ୍କର ସମସ୍ତ ଓଡିଶା ଗସ୍ତରେ ରମାଦେବୀଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା । ଚାହିଁଥିଲେ ସେ କ୍ଷମତା ରାଜନୀତିରେ ଗୁରୁତ୍ୱପୂର୍ଣ୍ଣ ପଦ ପଦବୀ ସହଜରେ ଅଳଙ୍କୃତ କରିପାରିଥାନ୍ତେ । କିନ୍ତୁ କ୍ଷମତା ରାଜନୀତିରୁ ଦୂରରେ ରହି ସେ ରଚନାତ୍ମକ କାର୍ଯ୍ୟରେ ମନୋନିବେଶ କରିଥିଲେ । ସତୁରୀ ଦଶକରେ କଂଗ୍ରେସର ଏକଛତ୍ରବାଦ ବିରୁଦ୍ଧରେ ଶାଣିତ ସ୍ୱର ଉତ୍ତୋଳନ କରି ଜୟପ୍ରକାଶଙ୍କ ଆନ୍ଦୋଳନର ସେ ଅନ୍ୟତମ ସଞ୍ଚାଳିକା ଥିଲେ । ଏମିତିକ ଚୀନ୍‍ ଯୁଦ୍ଧ ଓ ବଙ୍ଗଳାଦେଶ ମୁକ୍ତି ସଂଗ୍ରାମ ସମୟରେ ସୀମାନ୍ତ ଅଞ୍ଚଳରେ ତାଙ୍କ ସେବାର ସ୍ମାରକୀ ଏବେ ବି ରହିଛି ।

ମା’ ରମାଦେବୀଙ୍କ ନାମରେ ଭୁବନେଶ୍ୱରରେ ମହିଳା ବିଶ୍ୱବିଦ୍ୟାଳୟ ଥିବାବେଳେ ଭାରତ ସରକାର ଏକ ତଟରକ୍ଷୀ ଜାହାଜକୁ ତାଙ୍କ ନାମରେ ନାମିତ କରିଛନ୍ତି । ଜମୁନାଲାଲ ବଜାଜ ପୁରସ୍କାର ଠାରୁ ଆରମ୍ଭ କରି ଅନେକ ସମ୍ମାନ ତାଙ୍କ ଉପରେ ଅଜାଡି ହୋଇପଡିଥିବାବେଳେ ତାଙ୍କର ୧୨୫ତମ ଜନ୍ମବାର୍ଷିକୀ ପ୍ରତିକାଳନ ପାଇଁ ଏଯାବତ୍‍ ସରକାରୀ ସ୍ତରରେ ତତ୍ପରତା ଲକ୍ଷ୍ୟ କରାଯାଉନଥିବା ଅଭିଯୋଗ ହେଉଛି । (ତଥ୍ୟ)