Home General ଧର୍ମ ମାସରେ ଲୁଟୁ ଛନ୍ତି

ଧର୍ମ ମାସରେ ଲୁଟୁ ଛନ୍ତି

ଭୁବନେଶ୍ୱର : ଧର୍ମମାସ କାର୍ତ୍ତିକରେ ବିଭିନ୍ନ ଶୈବପୀଠ ଓ ଦେବାଳୟକୁ ଲୋକଙ୍କ ସୁଅ ଛୁଟୁଥିବାବେଳେ ଏହିସବୁ ମନ୍ଦିର ଓ ଆଖପାଖର ବ୍ୟବସାୟୀମାନେ ଲୋକଙ୍କୁ ଲୁଟିବା ଆରମ୍ଭ କରିଛନ୍ତି । ବିଶେଷକରି ସେହିସବୁ ସ୍ଥାନରେ ନିରାମିଷ ଖାଦ୍ୟ ପସରା ଖୋଲିଥିବା ବ୍ୟବସାୟୀମାନେ ମନଇଚ୍ଛା ଦର କଷିବା ସହିତ ଖାଦ୍ୟର ମାନପ୍ରତି ଆଦୌ ଦୃଷ୍ଟି ଦେଉନଥିବା ଅଭିଯୋଗ ହେଉଛି ।

କାର୍ତ୍ତିକମାସ ଯୋଗୁଁ ଲୋକେ ଦେବାଳୟଗୁଡିକୁ ଯିବା ସହିତ ସେହିଠାରେ ପ୍ରସାଦ ସେବନ ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି । ଲୋକଙ୍କ ଆଗ୍ରହକୁ ଦେଖି ମନ୍ଦିରଗୁଡିକରେ ପ୍ରସାଦ ପ୍ରସ୍ତୁତ ହେଉଛି । ଲୋକଙ୍କ ସଂଖ୍ୟା ଅନୁଯାୟୀ ପ୍ରସାଦ କମ୍‍ ପଡୁଥିବାରୁ ମନ୍ଦିର ଆଖପାଖରେ ଅସ୍ଥାୟୀ ଶାକାହାରୀ ହୋଟେଲ ଖୋଲିବାରେ ଲାଗିଛି । ତେବେ ମନ୍ଦିର ସମେତ ଏହି ହୋଟେଲଗୁଡିକ ପ୍ରଦାନ କରୁଥିବା ଖାଦ୍ୟ ତୁଳନାରେ ତିନି ଚାରିଗୁଣରୁ ଅଧିକ ଅର୍ଥ ଆଦାୟ କରୁଛନ୍ତି ।

ମନ୍ଦିର ଦର୍ଶନ ପରେ ଭୋକ ସମୟରେ ଲୋକେ ଖାଇବାପାଇଁ ଡହଳ ବିକଳ ହେଉଥିବାବେଳେ ମନ୍ଦିର କର୍ତ୍ତୃପକ୍ଷ ଓ ହୋଟେଲ ବ୍ୟବସାୟୀମାନେ ଲୋକଙ୍କ ବିକଳିଆ ଅବସ୍ଥା ଦେଖି ସେମାନଙ୍କୁ ଚଢା ଦରରେ ଖାଦ୍ୟ ବିକ୍ରି କରୁଛନ୍ତି । କେତେକ ଦେବାଳୟ ନିକଟରେ ଅରୁଆଭାତ ସହିତ ପାଣିଆ ଡାଲମା ଓ ଖଟା ଟିକେ ଦେଇ ସର୍ବନିମ୍ନ ୧୦୦ ଟଙ୍କା ଆଦାୟ ହେଉଛି । ପ୍ରତିବାଦକଲେ ଲୋକମାନଙ୍କୁ ଖରାପ ବ୍ୟବହାର ସହିତ ଫେରାଇ ଦିଆଯାଉଛି ।

ରାଜଧାନୀ ସମେତ ବିଭିନ୍ନ ସହରରେ ଥିବା ମନ୍ଦିରଗୁଡିକରେ ବି ସମାନ ଅବସ୍ଥା । କାର୍ତ୍ତିକମାସ ହୋଇଥିବାରୁ ଲୋକେ ମନ୍ଦିରରୁ ଶୁଦ୍ଧ ଶାକାହାରୀ ଖାଦ୍ୟ ଆଣିବାକୁ ପସନ୍ଦ କରୁଛନ୍ତି । ଫଳରେ ଏବେ ବିଭିନ୍ନ ମନ୍ଦିରରେ ଖାଦ୍ୟ ପାଇଁ ନାହିଁ ନଥିବା ଭିଡ ଜମୁଛି । କେତେକ ମନ୍ଦିରରେ ଅଗ୍ରୀମ ଦାଖଲ କରିବାକୁ ପଡୁଛି । ହେଲେ ଦୈନିକ ହଜାର ହଜାର ଲୋକଙ୍କ ପାଇଁ ପ୍ରସ୍ତୁତ ହେଉଥିବା ଏହି ଖାଦ୍ୟର ମାନ କ’ଣ ରହିଛି ତାହାକୁ ଯାଞ୍ଚ କରିବାକୁ କେହି ନାହିଁ ।

ରାଜ୍ୟରେ ଥିବା ଖାଦ୍ୟ ସୁରକ୍ଷା ଅଧିକାରୀମାନଙ୍କ ନଜର ମନ୍ଦିର ଆଡେ ପଡୁନଥିବାରୁ ପ୍ରସାଦ ପ୍ରସ୍ତୁତି ପାଇଁ ନିମ୍ନମାନର ସାମଗ୍ରୀ ବ୍ୟବହାର ହେଉଛି । ବିଶେଷକରି ବଜାରରେ ଏବେ ପନିପରିବାର ଦର ଅଧିକ ରହୁଥିବାରୁ ମନ୍ଦିରଗୁଡିକରେ ଶୁଖିଲା ଓ ନିମ୍ନମାନର ପରିବା ବ୍ୟବହାର ହେଉଥିବାବେଳେ ବଜାରରେ ମିଳୁଥିବା କମ୍‍ ମୂଲ୍ୟର ତେଲ ଓ ଘିଅ ଆଦିକୁ ଅନେକ ମନ୍ଦିର ବ୍ୟବହାର କରୁଛନ୍ତି ।

ତିରୁପତି ମନ୍ଦିରରେ ଘିଅର ମାନକୁ ନେଇ ବିବାଦ ଦେଖାଦେବା ପରେ ରାଜ୍ୟର ମନ୍ଦିରଗୁଡିକରେ ମଧ୍ୟ ଘିଅର ମାନକୁ ନେଇ ସରକାର ତତ୍ପର ହୋଇଉଠିଥିଲେ । ତେବେ କେବଳ ଶ୍ରୀମନ୍ଦିରରେ ସରକାରୀ ସଂସ୍ଥା ଓମଫେଡ୍‍ର ଘିଅ ବାଧ୍ୟତାମୂଳକ ହୋଇଥିବାବେଳେ ଅନ୍ୟ ମନ୍ଦିରଗୁଡିକ ପ୍ରତି ଧ୍ୟାନ ଦିଆଗଲା ନାହିଁ । ଫଳରେ ନୈତିକ ହଜାର ହଜାର ଲୋକଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରୁଥିବା ମନ୍ଦିରଗୁଡିକ କେଉଁମାନର ଘିଅ ଓ ଅନ୍ୟାନ୍ୟ ସାମଗ୍ରୀ ବ୍ୟବହାର କରୁଛନ୍ତି ତାହାର କଡାକଡି ଯାଞ୍ଚ ପାଇଁ ମତପ୍ରକାଶ ପାଉଛି । (ତଥ୍ୟ)