ଭୁବନେଶ୍ୱର : ପ୍ରାୟ ଚାରି ମାସ ଧରି ଖାଲି ପଡିଥିବା ଓଡିଶା ପ୍ରଦେଶ କଂଗ୍ରେସ ସଭାପତି ପଦବୀ କେବେ ପୂରଣ ହେବ ସେ ସଂକ୍ରାନ୍ତରେ କେହି ନିଶ୍ଚିତ ନଥିବାବେଳେ ପିସିସି ସଭାପତି ଚଉକିରେ ବସିବାପାଇଁ ରାଜ୍ୟର ବହୁ ନେତା କିନ୍ତୁ ଦିଲ୍ଲୀରେ ଲବି ଚଳାଉଛନ୍ତି ।
ରାଜ୍ୟ କଂଗ୍ରେସର ମଙ୍ଗୁଆଳ ନଥିବାରୁ କର୍ମୀମାନଙ୍କ ଭିତରେ ନିରାଶା ବଢିବାରେ ଲାଗିଛି । ଏହା ସତ୍ୱେ ଛାତ୍ର ଓ ଯୁବ କଂଗ୍ରେସର କିଛି ଉତ୍ସାହୀ ଯୁବକ ବିଭିନ୍ନ କେନ୍ଦ୍ରୀୟ ଓ ରାଜ୍ୟ ପ୍ରସଙ୍ଗରେ ସ୍ୱର ଉଠାଉଛନ୍ତି ।
ଗତ ନିର୍ବାଚନରେ କଂଗ୍ରେସର ଓଡିଶାରେ ଶୋଚନୀୟ ବିପର୍ଯ୍ୟୟ ପରେ କଂଗ୍ରେସ ହାଇକମାଣ୍ଡ ପ୍ରଦେଶ କଂଗ୍ରେସ କମିଟିକୁ ଭାଙ୍ଗି ଦେଇଛନ୍ତି । ଦଳର କାର୍ଯ୍ୟକ୍ରମ ପରିଚାଳନା ପାଇଁ ଏକ ଷ୍ଟିଅରିଂ କମିଟି ଅବଶ୍ୟ ଗଢାଯାଇଛି । ତେବେ ପ୍ରାଦେଶିକ ସଂଗଠନରେ ନେତୃତ୍ୱ ସଙ୍କଟ ଲାଗି ରହିଥିବାବେଳେ ଏହି ଷ୍ଟିଅରିଂ କମିଟି ବିଶେଷ ସକ୍ରିୟ ହୋଇପାରୁନାହିଁ ବୋଲି ଦଳର କେତେକ ନେତା ଇତି ମଧ୍ୟରେ ଖୋଲା ମତବ୍ୟକ୍ତ କରୁଛନ୍ତି ।
ଓଡିଶା ପାଇଁ ଥିବା କଂଗ୍ରେସ ପ୍ରଭାରୀ ଅଜୟ କୁମାର ଏବେ ଝାଡଖଣ୍ଡରୁ ଦଳୀୟ ପ୍ରାର୍ଥୀଭାବେ ନିର୍ବାଚନ ଲଢୁଛନ୍ତି । ଓଡିଶାର ରାଜ୍ୟପାଳ ଥିବା ରଘୁବର ଦାସଙ୍କ ବୋହୂ ପୂର୍ଣ୍ଣିମାଦାସ ସାହୁଙ୍କୁ ସେ ପୂର୍ବ ଜାମସେଦପୁର ଆସନରୁ ଟକ୍କର ଦେଉଥିବା କୁହାଯାଉଛି । ତେଣୁ ପ୍ରଦେଶ କଂଗ୍ରେସ ସଭାପତି ଚୟନରୁ ଆରମ୍ଭ କରି ଓଡିଶାର ଅନ୍ୟାନ୍ୟ ସାଂଗଠନିକ ବ୍ୟାପାରରେ ଏବେ ସମୟ ଦେଇନପାରିବା ସ୍ୱାଭାବିକ ।
ଏ ପରିପ୍ରେକ୍ଷୀରେ ଅନ୍ୟ ରାଜ୍ୟର ଆଉ ଦୁଇଜଣ ନେତାଙ୍କୁ ଏ ବ୍ୟାପାରରେ ସମୀକ୍ଷା କରିବାପାଇଁ ଦାୟିତ୍ୱ ଦିଆଯାଇଛି । ବିଶେଷକରି ଛତିଶଗଡର ବରିଷ୍ଠ କଂଗ୍ରେସ ନେତା ଚରଣ ଦାସ ମହନ୍ତ ଏ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇବେ । ଦୀପାବଳୀ ପୂର୍ବରୁ ପ୍ରଦେଶ କଂଗ୍ରେସ ଏ ପରିପ୍ରେକ୍ଷୀରେ ନୂଆ ସଭାପତି ପାଇବ ବୋଲି ଦଳର ବରିଷ୍ଠ ନେତାମାନେ ପୂର୍ବରୁ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଥିବାବେଳେ ଏଯାବତ୍ ଶ୍ରୀ ମହନ୍ତଙ୍କ ଓଡିଶା ଗସ୍ତ ହୋଇନାହିଁ ।
ଇତି ମଧ୍ୟରେ ଓଡିଶାର କଂଗ୍ରେସ ସମେତ ଇଣ୍ଡି ମେଣ୍ଟ ଭୁକ୍ତ ଆଉ କିଛି ନେତା ଝାଡଖଣ୍ଡ ବିଧାନସଭା ନିର୍ବାଚନ ପ୍ରଚାର ପାଇଁ ଯାଉଛନ୍ତି । ତେଣୁ ମୋଟାମୋଟି ଭାବେ ଝାଡଖଣ୍ଡରେ ନିର୍ବାଚନ ପ୍ରଚାର ଶେଷ ହେବା ପୂର୍ବରୁ ଓଡିଶା ପ୍ରଦେଶ କଂଗ୍ରେସ ସଭାପତି ମନୋନୟନ ହୋଇ ନପାରିବା ନିଶ୍ଚିତ ବୋଲି ଆଉ କେତେକ କଂଗ୍ରେସ ନେତା ମତ ଦେଉଛନ୍ତି ।
ଝାଡଖଣ୍ଡ ଓ ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ସହିତ କେରଳର ୱାଇନାଡ୍ ଲୋକସଭା ଏବଂ ପଶ୍ଚିମବଙ୍ଗ ସମେତ ଅନ୍ୟ କେତେକ ରାଜ୍ୟରେ ଖାଲି ପଡିଥିବା ବିଧାନସଭା ଆସନଗୁଡିକ ପାଇଁ ଉପନିର୍ବାଚନ ହେଉଥିବା ପରିପ୍ରେକ୍ଷୀରେ କଂଗ୍ରେସର କେନ୍ଦ୍ରୀୟ ନେତାମାନେ ନିର୍ବାଚନ ପରିଚାଳନା ଓ ପ୍ରଚାର କାମରେ ବ୍ୟସ୍ତ ରହିବା ସ୍ୱାଭାବିକ । ଏହି ଭିତ୍ତିଭୂମିରେ ଓଡିଶା ପ୍ରଦେଶ କଂଗ୍ରେସ ସଭାପତି ମନୋନୟନ ଅଧିକ ବିଳମ୍ବ ହୋଇପାରେ ।
ଚର୍ଚ୍ଚାର ବଳୟକୁ ରାଜ୍ୟ କଂଗ୍ରେସର ଯେଉଁ ନେତାମାନଙ୍କ ନାମ ଆସୁଛି ତାହା କେବଳ ଶୂନ୍ୟରେ ଗୁଡି ଉଡାଇବା ଭଳି । ରାହୁଳ ଗାନ୍ଧୀ, ମଲିକାର୍ଜୁନ ଖଡ୍ଗେଙ୍କ ଭଳି ଦଳର କେନ୍ଦ୍ରୀୟ ନେତାମାନେ ଓଡିଶା କଂଗ୍ରେସ ସଂଗଠନର ଦାୟିତ୍ୱ କାହା ଉପରେ ନ୍ୟସ୍ତ କରିବେ ସେଥିଘେନି ଏଯାବତ୍ କିଛି ସ୍ପଷ୍ଟ ଆଭାସ ମିଳିନାହିଁ । ଏ ପରିପ୍ରେକ୍ଷୀରେ କେତେଜଣ ପୂର୍ବତନ କେନ୍ଦ୍ରମନ୍ତ୍ରୀ, ରାଜ୍ୟର ପୂର୍ବତନ ମନ୍ତ୍ରୀ, ପୂର୍ବତନ ବିଧାୟକ ତଥା ସାଂସଦ ସପକ୍ଷରେ ଦୀର୍ଘଦିନ ଧରି ଦିଲ୍ଲୀରେ ଲବି ଚାଲିଥିଲେ ମଧ୍ୟ ଏଯାବତ୍ ଚିତ୍ର ସ୍ପଷ୍ଟ ହୋଇନାହିଁ । (ତଥ୍ୟ)