ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଓଡିଶାରେ ୩ଟି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଭୁବନେଶ୍ୱର ନିକଟସ୍ଥ ଗୋଠପାଟଣା ଠାରେ ସେଣ୍ଟ୍ରାଲ ଡ୍ରଗ୍ସ ଟେଷ୍ଟିଙ୍ଗ ଲାବୋରେଟୋରୀର ଉଦ୍ଘାଟନ କରିଥିବା ବେଳେ, ଖୋର୍ଦ୍ଧା ଜିଲ୍ଲା ବିଞ୍ଝଗିରି ଠାରେ କେନ୍ଦ୍ରୀୟ ଯୋଗ ଓ ପ୍ରାକୃତିକ ଚିକିତ୍ସା ଅନୁସନ୍ଧାନ ପ୍ରତିଷ୍ଠାନର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହା ସହିତ ବରଗଡରେ ଏକ କ୍ରିଟିକାଲ୍ କେୟାର ସେଣ୍ଟରର ଉଦ୍ଘାଟନ ମଧ୍ୟ କରିଛନ୍ତି। ଏହି ସବୁ କାର୍ଯ୍ୟକ୍ରମ ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀଠାରେ ଆଭାସୀ ଜରିଆରେ ଶୁଭାରମ୍ଭ କରିଛନ୍ତି।
ଏହି ଅବସରରେ ଗୋଠପାଟଣା ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ, ଏହି ଡ୍ରଗ ଟେଷ୍ଟିଙ୍ଗ ଲାବୋରେଟୋରୀ କେନ୍ଦ୍ର ସରକାରଙ୍କ ଓଡିଶା ପ୍ରତି ଥିବା ଭଲପାଇବାର ନିଦର୍ଶନ। ଆଦରଣୀୟ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ଵାଧୀନ କେନ୍ଦ୍ର ସରକାରଙ୍କ ଯୁଗାନ୍ତକାରୀ ପଦକ୍ଷେପ ଯୋଗୁଁ ଆମ ରାଜ୍ୟ ଓଡ଼ିଶାରେ ଏକ ଅନ୍ତର୍ଜାତୀୟ ମାନର ଭେଷଜ ପରୀକ୍ଷା ପ୍ରୟୋଗଶାଳା ସ୍ଥାପିତ ହୋଇପାରିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ଓଡିଶା ମାଟିରୁ ସମଗ୍ର ଦେଶକୁ ସେବା ଦେବାପାଇଁ ସୁଯୋଗ ମିଳିଥିବାରୁ ମାନ୍ୟବର ପ୍ରଧାନମନ୍ତ୍ରୀ ଓ କେନ୍ଦ୍ରସରକାରଙ୍କୁ ଅନେକ ଧନ୍ୟବାଦ ଦେବା ସହ ସମସ୍ତ ଓଡିଶାବାସୀଙ୍କ ତରଫରୁ ମୁଖ୍ୟମନ୍ତ୍ରୀ କୃତଜ୍ଞତା ଜ୍ଞାପନ କରିଥିଲେ।
ଏହି ଅବସରରେ ପ୍ରଧାନମନ୍ତ୍ରୀ ୭୦ ବର୍ଷ ବୟସରୁ ଉର୍ଦ୍ଧ୍ୱ ଲୋକଙ୍କ ପାଇଁ ଆୟୁଷ୍ମାନ ଭାରତ ଯୋଜନାର ଶୁଭାରମ୍ଭ କରିଥିବାରୁ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ମୋଦୀଜୀ ଦେଶରେ ବୈପ୍ଳବିକ ପରିବର୍ତ୍ତନ ଆଣିଛନ୍ତି। ଆୟୁଷ୍ମାନ ଭାରତ ପୃଥିବୀର ସବୁଠାରୁ ବୃହତ୍ତମ ସ୍ୱାସ୍ଥ୍ୟ ବୀମା ଯୋଜନା ଯାହାଦ୍ୱାରା ପ୍ରାୟ ୫୦ କୋଟି ଗରିବ ଲୋକେ ଉପକୃତ ହେଉଛନ୍ତି।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଓଡିଶାରେ ଆମ ସରକାର ଖୁବ୍ ଶୀଘ୍ର ‘ଆୟୁଷ୍ମାନ ଭାରତ- ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ’ ଯୋଜନା କାର୍ଯ୍ୟକାରୀ କରିବାକୁ ଯାଉଛି। ଏହା ସହିତ ଆମ ରାଜ୍ୟର ନିଜସ୍ୱ ସ୍ୱାସ୍ଥ୍ୟ ଯୋଜନା ‘ଗୋପବନ୍ଧୁ ଜନ ଆରୋଗ୍ୟ’ ଯୋଜନା ମଧ୍ୟ କାର୍ଯ୍ୟକାରୀ ହେବ।
ଦୀପାବଳି ଭେଟି ଭାବେ ବର୍ତ୍ତମାନ ଧନୀ ଗରିବ ନିର୍ବିଶେଷରେ ୭୦ ବର୍ଷରୁ ଅଧିକ ବୟୋଜ୍ୟେଷ୍ଠ ନାଗରିକମାନେ ମଧ୍ୟ ଏହି ସୁବିଧା ପାଇବାକୁ ଯାଉଛନ୍ତି। ଏହା ହେଉଛି ଦେଶର ବୟୋଜ୍ୟେଷ୍ଠ ନାଗରିକମାନଙ୍କ ପ୍ରତି ମୋଦୀଜୀଙ୍କ ଦୀପାବଳି ଭେଟି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ଏହି ଦୁଇଟି ଯୋଜନାର ସମନ୍ୱୟରେ ରାଜ୍ୟବାସୀ ଚିକିତ୍ସା ଚିନ୍ତାରୁ ମୁକ୍ତ ହେବେ। ଏହି ଦୁଇଟି ଯୋଜନା ପାଇଁ ରାଜ୍ୟ ବଜେଟ୍ରେ ୩ ହଜାର ୫୫୬ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି ବୋଲି ସେ କହିଥିଲେ।
ଏହି ଅବସରରେ ପ୍ରଧାନମନ୍ତ୍ରୀ ଦେଶରେ ଟୀକାକରଣ ବ୍ୟବସ୍ଥାର ସୁଦୃଢୀକରଣ ପାଇଁ U-WIN Portal, ଦେଶର ଦୂର୍ଗମ ଅଞ୍ଚଳକୁ ଉନ୍ନତ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ପାଇଁ ଡ୍ରୋନ୍ ସେବା ବ୍ୟବସ୍ଥା, ଆନୁଷଙ୍ଗିକ ସ୍ୱାସ୍ଥ୍ୟସେବା କ୍ଷେତ୍ରର ପ୍ରଫେସନାଲ୍ ମାନଙ୍କ ପାଇଁ ଡିଜିଟାଲ ଇନିସିଏଟିଭ୍ ଏବଂ ଆହୁରି ଅନେକ ଯୋଜନାର ମଧ୍ୟ ଶୁଭାରମ୍ଭ କରିଥିବାରୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଦେଇଥିଲେ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଓଡିଶାରେ ସ୍ବାସ୍ଥ୍ୟ ସେବାରେ ଉନ୍ନତି ଆମ ନୂଆ ସରକାର ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ। ଚଳିତ ବର୍ଷ ବଜେଟରେ ଆମେ ସ୍ବାସ୍ଥ୍ୟ ସେବା କ୍ଷେତ୍ର ପାଇଁ ୨୧ ହଜାର କୋଟିରୁ ଅଧିକ ଟଙ୍କାର ବ୍ୟୟ ବରାଦ କରିଛୁ। ଏହା ପୂର୍ବ ବର୍ଷ ଅପେକ୍ଷା ୩୨ ପ୍ରତିଶତ ଅଧିକ। ଏହା ଆମ ଚଳିତ ବଜେଟ୍ର ୮ ପ୍ରତିଶତ ଅଟେ। ଏଥିରୁ ଆପଣମାନେ ଅନୁଭବ କରିପାରୁଥିବେ ଯେ ଆମ ସରକାର ସ୍ୱାସ୍ଥ୍ୟ ସେବାକୁ କେତେ ଗୁରୁତ୍ୱ ଦେଉଛି।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ, ଡକ୍ଟର ମୁକେଶ ମହାଲିଙ୍ଗ କାର୍ଯ୍ୟକ୍ରମରେ ଯୋଗଦେଇ କହିଥିଲେ ଯେ, ଆଜି ଆମର ଯଶସ୍ୱୀ ପ୍ରଧାନମନ୍ତ୍ରୀ ଦେଶରେ ସ୍ୱାସ୍ଥ୍ୟ ସେବା ପ୍ରଦାନ ବ୍ୟବସ୍ଥାକୁ ସାର୍ବଜନୀନ କରିଛନ୍ତି। ଏହି ସେବାକୁ ସମସ୍ତଙ୍କ ପାଇଁ ସୁଲଭ ଓ ସହଜ କରିଛନ୍ତି। ପ୍ରତିବର୍ଷ ଆମ ଦେଶରେ ଲୋକଙ୍କୁ ସ୍ୱାସ୍ଥ୍ୟଜନିତ ଖର୍ଚ୍ଚରୁ ମୁକ୍ତ କରିଛନ୍ତି। ଗତ ୫ ବର୍ଷରେ ସ୍ୱାସ୍ଥ୍ୟଜନିତ ଖର୍ଚ୍ଚ କରି ଆର୍ଥିକ ଦୂରାବସ୍ଥା ଭୋଗୁଥିବା ପରିବାରଙ୍କୁ ଭାରମୁକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ। ଆୟୁର୍ବେଦ ଆମ ଦେଶରେ ଅମୃତ ସଦୃଶ କାମ କରୁଛି ବୋଲି ସେ କହିଥିଲେ।
କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ବାବୁ ସିଂ କହିଥିଲେ ଆମ ଯଶସ୍ୱୀ ପ୍ରଧାନମନ୍ତ୍ରୀ କହିଛନ୍ତି ୨୦୪୭ ସୁଦ୍ଧା ଭାରତକୁ ବିକଶିତ ରାଷ୍ଟ୍ରରେ ପରିଣତ କରିବେ ବୋଲି। ମୋଦୀଜୀଙ୍କ ନେତୃତ୍ୱରେ ବିଶ୍ୱ ମାନଚିତ୍ରରେ ଭାରତ ସର୍ବଶ୍ରେଷ୍ଠ ରାଷ୍ଟ୍ର ହେବ। ଆଗାମୀ ଦିନରେ ଓଡିଶା ନିଶ୍ଚିତ ରୂପେ ବିକଶିତ ରାଜ୍ୟ ହେବେ। କାର୍ଯ୍ୟକ୍ରମରେ ଡି.ସି.ଜି.ଆଇ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର ତଥା ଶାସନ ସଚିବ ଅଶ୍ୱତୀ. ଏସ୍. ଧନ୍ୟବାଦ ଅର୍ପଣ କରିଥିଲେ।