ଭୁବନେଶ୍ୱର : ଜୋରରେ ଶବ୍ଦ କରୁଥିବା ବାଣ ଫୁଟାଇବା ବାରଣ ହୋଇଥିବାବେଳେ ଆଉ କେତେକ ବାଣ ଉପରେ କଟକଣା ଲଗାଯାଇଛି । ତେବେ କଟକଣା ଲାଗିଥିବା ଏହି ବେଆଇନ୍ ବାଣ ଏବେ ରାଜଧାନୀରେ ଲୁଚାଛପାରେ ବିକ୍ରି ଚାଲିଛି ।
ମୁଣ୍ଡ ଉପରେ ଦୀପାବଳୀ ଥିବାବେଳେ ସହରରେ ଦୁଇ ଦିନ ପାଇଁ ବାଣଦୋକାନ ଖୋଲିବାକୁ ଅନୁମତି ମିଳିବ । କେଉଁଠି ବାଣ ଦୋକାନ ଖୋଲାହେବ ତାହା ପୁଲିସ୍ ସ୍ଥିର କରିବା ସହିତ ଅନୁମତିପତ୍ର ପ୍ରଦାନ କରିବ । ବାଣ ବିକ୍ରି ସ୍ଥାନରେ ସମସ୍ତ ପ୍ରକାର ସୁରକ୍ଷା ମୂଳକ ବ୍ୟବସ୍ଥା ଗ୍ରହଣ କରାଯିବ ।
ତେବେ ଅନୁମତିପ୍ରାପ୍ତ ବାଣ ଦୋକାନ ଖୋଲିବା ପୂର୍ବରୁ ଏବେ ସହରର ଗଳିକନ୍ଦିରେ ବାଣ ବିକ୍ରି ଆରମ୍ଭ ହୋଇଗଲାଣି । ଲୁଚାଛପାରେ ଖୋଲିଥିବା ବାଣ ଦୋକାନରେ ବେଆଇନ୍ ଘୋଷିତ ଶୂନଫଟକା ସହିତ ବଡ ଶବ୍ଦ କରୁଥିବା ବାଣ ବିକ୍ରି ହେଉଛି । ଦୋକାନୀମାନେ ଏହାରୁ ଚୋରା ଲୁଚାରେ ବିକ୍ରି କରୁଥିବାବେଳେ ପିଲାମାନେ ସହଜରେ ଏହାକୁ ଖରିଦ କରୁଛନ୍ତି । ଏଥିଯୋଗୁଁ କେତେବେଳେ ଯେ ଦୁର୍ଘଟଣା ନଘଟିବ ତାହା କହିହେବ ନାହିଁ ।
ଏଥି ସହିତ କିଛି ବାଣ ବ୍ୟବସାୟୀ ଆଗକୁଆ ଭାବେ ସହରର ବିଭିନ୍ନ ଦୋକାନୀଙ୍କୁ ବାଣ ବିକ୍ରି କରୁଥିବା ଦେଖିବାକୁ ମିଳିଛି । ବିଶେଷକ ଷ୍ଟେସନାରୀ ଦୋକାନଗୁଡିକ ଏଭଳି ବାଣ କାରବାରରେ ଲିପ୍ତ ଅଛନ୍ତି । ଯେଉଁ ମାନେ ଦୂର ଦୂରାନ୍ତରେ ଥିବା ଅନୁମତିପ୍ରାପ୍ତ ବାଣ ଦୋକାନକୁ ଯିବାକୁ ରାଜି ହେଉନାହାନ୍ତି ସେମାନଙ୍କୁ ଲୁଚା ଛପାରେ ବାଣ ବିକ୍ରି କରିବାପାଇଁ ବ୍ୟବସାୟୀମାନେ ଏଭଳି ଫନ୍ଦି ଆପଣେଇଛନ୍ତି ।
ସହରରେ ବିକ୍ରି ହେଉଥିବା ଅଧିକାଂଶ ବାଣ ଅନ୍ୟ ରାଜ୍ୟରୁ ଆସିଥିବାବେଳେ ସହରତଳି ଅଞ୍ଚଳରେ ପ୍ରସ୍ତୁତ ହେଉଥିବା ଘରି ସମେତ ଶବ୍ଦ ସୃଷ୍ଟି କରୁଥି ଶୂନଫଟକା, ତାଳଫଟକା ବିପୁଳ ପରିମାଣରେ ଲୁଚାଛପାରେ ରାଜଧାନୀ ବଜାରକୁ ପ୍ରବେଶ କରିବା ସହିତ ବିକ୍ରି ହେଉଛି । ଏହା ଉପରେ ଏବେ ସତର୍କ ଦୃଷ୍ଟି ରଖିବାକୁ ମତପ୍ରକାଶ ପାଉଛି ।
ସହରରେ ବାଣ ବ୍ୟବସାୟକୁ ନିୟନ୍ତ୍ରଣ କରିବାପାଇଁ କମିଶନରେଟ ପୁଲିସ୍ ପଇଁତରା ମାରୁଥିଲେ ଚୋରା ବାଣ ବେପାରୀମାନେ ସେମାନଙ୍କୁ ଚକ୍ମା ଦେଇ ଲୁଚାଛପାରେ ବାଣ ବିକ୍ରି କରୁଛନ୍ତି । ଯଦି କୌଣସି ଠାରେ କିଛି ଅଘଟଣ ଘଟିଲା ତେବେ ସ୍ଥିତି କାବୁ କରିବା କଷ୍ଟକର ହୋଇପଡିବ ବୋଲି ବାଣ ବିକ୍ରି ହେଉଥିବା ସ୍ଥାନର ଆଖପାଖ ଦୋକାନୀମାନେ ମତ ଦେଉଛନ୍ତି । (ତଥ୍ୟ)