Home News in Odia ଶୂନ୍ୟ ମୃତାହତକୁ ସୁନିଶ୍ଚିତ କରିଛି ଟିମ୍‌ ଅର୍ବାନ୍‌

ଶୂନ୍ୟ ମୃତାହତକୁ ସୁନିଶ୍ଚିତ କରିଛି ଟିମ୍‌ ଅର୍ବାନ୍‌

ଭୁବନେଶ୍ୱର : ବାତ୍ୟାରେ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ‘ଟିମ୍‌ ଅର୍ବାନ୍‌’ର ପ୍ରଭାବୀ କାର୍ଯ୍ୟକଳାପ ଓ ପ୍ରତିରୋଧୀ ପଦକ୍ଷେପ ଫଳପ୍ରଦ ହୋଇଛି । ବିଭାଗୀୟ ମନ୍ତ୍ରୀ ଡା. କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କ ଦିଗ୍‌ଦର୍ଶନରେ ‘ଟିମ୍‌ ଅର୍ବାନ୍‌’ ବିଭିନ୍ନ ପ୍ରସ୍ତୁତିରେ ସଫଳ ହୋଇଥିବାବେଳେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀଙ୍କ ନେତୃତ୍ୱରେ ଶୂନ୍ୟ ମୃତାହତକୁ ସୁନିଶ୍ଚିତ କରିପାରିଛି ।

ଭାରତୀୟ ପାଣିପାଗ ସଂସ୍ଥାର ବାତ୍ୟା ସୂଚନା ପାଇବା ପରେ ପରେ ବିଭିନ୍ନ ମୁନିସିପାଲ କମିଶନର ଓ ସ୍ୱାୟତ୍ତ ଶାସନ ସଂସ୍ଥାଗୁଡ଼ିକର ନିର୍ବାହୀ ଅଧିକାରୀମାନେ ସମ୍ଭାବ୍ୟ ପ୍ରଭାବିତ ଅଞ୍ଚଳଗୁଡ଼ିକରେ ସମନ୍ୱିତ ଭାବରେ କାର୍ଯ୍ୟ ଆରମ୍ଭ କରିଦେଇଥିଲେ । ଦକ୍ଷତାର ସହିତ ଲୋକମାନଙ୍କ ସୁରକ୍ଷା ତଥା ହିତକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ଓ ସରକାରୀ ମାର୍ଗଦର୍ଶିକା ଅନୁସାରେ ଅଧିକାରୀମାନେ କାର୍ଯ୍ୟ ପରିଚାଳନା କରିଥିଲେ ।

ଅଧିକାରୀମାନଙ୍କ ଯୋଗାଯୋଗ କୌଶଳ ଫଳରେ ସ୍ୱଚ୍ଛତାର ସହିତ ପ୍ରଭାବିତ ହେବାକୁଥିବା ଲୋକମାନଙ୍କ ସାଙ୍ଗରେ ସମୟୋପଯୋଗୀ ସଂପର୍କ ସ୍ଥାପନ କରାଯାଇଥିଲା, ସ୍ଥାନାନ୍ତର ଯୋଜନା, ଆଶ୍ରୟସ୍ଥଳ ଓ ସୁରକ୍ଷା ନିର୍ଦ୍ଦେଶାବଳୀ ଉପରେ ରିଅଲ୍‌ ଟାଇମ୍‌ ଅପ୍‌ଡେଟ୍‌ କରାଯାଇଥିବାବେଳେ ଜନସାଧାରଣଙ୍କ ମଧ୍ୟରେ ଭୟ ଓ ଆତଙ୍କର ବାତାବରଣ ହ୍ରାସ ପାଇ ବିଶ୍ୱାସ ଉଦ୍ରେକ ହୋଇଥିଲା ।

ଅଧିକାରୀମାନେ ବୃଦ୍ଧ, ଭିନ୍ନକ୍ଷମ ଓ ପିଲାମାନଙ୍କ ସହିତ ପରିବାର ସମେତ ଅସୁରକ୍ଷିତ ଗୋଷ୍ଠୀର ଆବଶ୍ୟକତାକୁ ପ୍ରାଧାନ୍ୟ ଦେଇ ନିରାପଦ, ସୁବିଧାଜନକ ସ୍ଥାନାନ୍ତରଣ ମାର୍ଗ ଏବଂ ଆଶ୍ରୟସ୍ଥଳର ଆୟୋଜନ କରିଥିଲେ । ଆଶ୍ରୟସ୍ଥଳଗୁଡ଼ିକରେ ଆବଶ୍ୟକୀୟ ଖାଦ୍ୟ, ପାନୀୟ ଜଳ ଓ ଚିକିତ୍ସା ସାମଗ୍ରୀ ଇତ୍ୟାଦିର ବ୍ୟବସ୍ଥା ଫଳରେ ପ୍ରଭାବିତ ହେବାକୁ ଥିବା ଲୋକମାନଙ୍କର କୌଣସି ସମସ୍ୟା ସୃଷ୍ଟି ହୋଇନଥିଲା ।

ବିଭିନ୍ନ ପ୍ରଭାବିତ ଅଞ୍ଚଳରେ ନିର୍ବାହୀ ଅଧିକାରୀମାନଙ୍କ ନେତୃତ୍ୱରେ ଡ୍ରେନ୍‌ ସଫା ଓ ପମ୍ପ ନିୟୋଜନ ଇତ୍ୟାଦି ପାଇଁ ସ୍ଥାନୀୟ ଇଂଜିନିୟରିଂ ଦଳ ସହ ସମନ୍ୱୟ ରକ୍ଷା କରାଯାଇଥିଲା । ଅନୁରୂପ ଭାବରେ ବାତ୍ୟାପ୍ରବଣ ଅଞ୍ଚଳଗୁଡ଼ିକରେ ଜଳବନ୍ଦୀ ସମସ୍ୟାର ସମାଧାନ ପାଇଁ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା ।

ସଫେଇ ଅଭିଯାନକୁ ତ୍ୱରାନ୍ୱିତ କରି ମୌଳିକ ସୁବିଧାସୁଯୋଗ ଫେରାଇ ଆଣିଥିଲେ ଏବଂ ଭିତ୍ତିଭୂମିଗତ କ୍ଷୟକ୍ଷତିର ଆକଳନ କରିଥିଲେ । ଜନସାଧାରଣଙ୍କ ମଧ୍ୟରେ ଆତ୍ମବିଶ୍ୱାସ ଫେରାଇ ଆଣିବାରେ ସେମାନଙ୍କ ଉଦ୍ୟମ ସଫଳ ହୋଇଥିଲା । ଉପରୋକ୍ତ ପ୍ରୟାସଗୁଡ଼ିକ ମାଧ୍ୟମରେ ‘ଟିମ୍‌ ଅର୍ବାନ୍‌’ କେବଳ ଜୀବନ ରକ୍ଷା କରିବାରେ ନୁହେଁ ମାନବସେବାକୁ ଅଗ୍ରାଧିକାର ଦେଇଥିଲା ।