Home General ବେପାରୀ ଖେଳୁଛନ୍ତି ଲୁଚକାଳି

ବେପାରୀ ଖେଳୁଛନ୍ତି ଲୁଚକାଳି

ଭୁବନେଶ୍ୱର : ବାତ୍ୟା ବିପଦ ବେଳେ ଉଭୟ ଗ୍ରାହକ ଓ ସରକାରଙ୍କ ସହିତ ଲୁଚକାଳି ଖେଳିଛନ୍ତି ଆଳୁ ବ୍ୟବସାୟୀ । କୃତ୍ରିମ ଅଭାବ ସୃଷ୍ଟିକରି ପ୍ରତି ଘଣ୍ଟାରେ ଦର ବଢାଇ ଚାଲିଛି । ବାତ୍ୟା ପ୍ରବଣ ସ୍ଥାନ ତ ଦୂରରକଥା ଖୋଦ ରାଜଧାନୀରେ ଦୁଇ ଘଣ୍ଟା ମଧ୍ୟରେ ବେପାରୀମାନେ ଆଳୁ କିଲୋ ପ୍ରତି ଦର ୨୦ ଟଙ୍କା ବଢାଇ ଦେଇଛନ୍ତି ।

ସୋମବାର ଦିନ ରାଜଧାନୀ ବଜାରରେ ଆଳୁ କିଲୋ ୩୦ ଟଙ୍କାରେ ବିକ୍ରି ହେଉଥିଲା । କାଁ ଭାଁ ବ୍ୟବସାୟୀମାନେ କିଲୋପ୍ରତି ୩୫ ଟଙ୍କା ଏବଂ ୧୦୦ ଟଙ୍କାରେ ତିନି କିଲୋ ବିକ୍ରି କରୁଥିଲେ । ତେବେ ସୋମବାର ଠାରୁ ବିଭିନ୍ନ ଗଣମାଧ୍ୟମରେ ବାତ୍ୟା ସଂକ୍ରାନ୍ତରେ ପ୍ରଚାର ପ୍ରସାର ଆରମ୍ଭ ହେବାପରେ ଆଳୁ ବ୍ୟବସାୟୀମାନେ ସେମାନଙ୍କର ଖେଳ ଆରମ୍ଭ କରିଥିଲେ । ରାଜଧାନୀ ସମେତ ବାତ୍ୟା ପ୍ରଭାବିତ ଅନେକ ସ୍ଥାନରେ ଆଳୁର କୃତ୍ରିମ ଅଭାବ ସୃଷ୍ଟି ହୋଇଥିଲା ।

ବଜାରରେ ଆଳୁ ଅଭାବ ଖବର ପାଇବାପରେ ଲୋକେ ବି ଆଳୁ କିଣିବାକୁ ପ୍ରତିଯୋଗିତା କରିଥିଲେ । ଆଉ ଏହି ମଉକାର ଫାଇଦା ଉଠାଇଥିଲେ ବ୍ୟବସାୟୀ । କିଲୋପିଛା ୩୦ ଟଙ୍କାରେ ବିକ୍ରି ହେଉଥିବା ଆଳୁ ହଠାତ୍‍ ୪୦ ଟଙ୍କା ଓ ପରେ ୫୦ ଟଙ୍କାରେ ପହଞ୍ଚିଥିଲା । ଆଳୁ କିଲୋ ୫୦ ଟଙ୍କାରେ ପହଞ୍ଚିବା ପରେ ବହୁ ସ୍ଥାନରୁ ଛୋଟ ଛୋଟ ଆଳୁ ବେପାରୀଙ୍କ ଦୋକାନରୁ ଆଳୁ ସରିଯାଇଥିଲା । ଏହାପରେ କେତେକ କେତେକ ସ୍ଥାନରେ ଆଳୁ କିଲୋ ୫୫ ରୁ ୬୦ ଟଙ୍କାରେ ବିକ୍ରି ହୋଇଥିଲା ।

ରାଜଧାନୀର ଆଇଗିଣିଆ ସ୍ଥିତ ଆଳୁ ଗୋଦାମରେ ପର୍ଯ୍ୟାପ୍ତ ଆଳୁ ମହଜୁଦ ଥିବାବେଳେ ସହର ଭିତରେ ହଠାତ୍‍ ଏଭଳି ଦରବୃଦ୍ଧି ଅନେକଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ଆଶ୍ଚର୍ଯ୍ୟର କଥା ହେଉଛି ଯେ ଯେଉଁ ସମୟରେ ଯୋଗାଣ ମନ୍ତ୍ରୀ ବାତ୍ୟା ସମୀକ୍ଷା କରି ଚଢା ଦର ନେଉଥିବା ବ୍ୟବସାୟୀଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ହେବ ବୋଲି କହୁଥିଲେ ଠିକ୍‍ ସେହି ସମୟରେ ସଚିବାଳୟ ଆଖପାଖରେ ଥିବା ହାଟରେ ଆଳୁ କିଲୋ ୫୦ ଟଙ୍କାରେ ବିକ୍ରି ହେଉଥିବା ଓ ବହୁ ସରକାରୀ କର୍ମଚାରୀ ଏହି ଦରରେ ଆଳୁ କିଣୁଥିଲେ ।

କେବଳ ଆଳୁ ନୁହେଁ ମଉକାର ଫାଇଦା ଉଠାଇ ବ୍ୟବସାୟୀମାନେ ପିଆଜ ଦରକୁ ମଧ୍ୟ ୮୦ ଟଙ୍କାରେ ପହଞ୍ଚାଇ ଦେଇଛନ୍ତି । ବାତ୍ୟା ବିପଦ ପ୍ରଚାର ପୂର୍ବରୁ ପିଆଜ କିଲୋ ୫୦ ରୁ ୫୫ ଟଙ୍କାରେ ବିକ୍ରି ହେଉଥିବାବେଳେ ହଠାତ୍‍ ଏହା କେତେକ ସ୍ଥାନରେ ୮୦ ଟଙ୍କାରେ ପହଞ୍ଚି ଯାଇଛି । ଆଳୁ ଭଳି ବ୍ୟବସାୟୀମାନେ ଏହାର ମଧ୍ୟ କୃତ୍ରିମ ଅଭାବ ସୃଷ୍ଟିକରି ମୁନାଫା ଉଠାଇଛନ୍ତି ।

ତେବେ ଖୋଦ୍‍ ରାଜଧାନୀରେ ବ୍ୟବସାୟୀମାନେ ଏଭଳି ଲୁଚକାଳି ଖେଳୁଥିବାବେଳେ ଯୋଗାଣ ବିଭାଗ ସେମାନଙ୍କ ବିରୁଦ୍ଧରେ ସେଭଳି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରି ନାହିଁ କି ପରିସ୍ଥିତିକୁ ନିୟନ୍ତ୍ରଣ କରିନାହିଁ । କାର୍ଯ୍ୟାନୁଷ୍ଠାନ କେବଳ ବିଭାଗୀୟ ମନ୍ତ୍ରୀଙ୍କ ତାଗିଦାରେ ରହିଯାଇଥିବାବେଳେ ବାତ୍ୟା ବିପଦ ସମୟରେ କିଛି ବ୍ୟବସାୟୀ ମାଲେମାଲ ହୋଇଯାଇଛନ୍ତି । ଏହା ପୂର୍ବରୁ ଆଳୁର ତିରୋଟ ସମୟରେ ମଧ୍ୟ ରାଜ୍ୟର କିଛି ବ୍ୟବସାୟୀ ଏଭଳି ପରିସ୍ଥିତି ସୃଷ୍ଟି କରିଥିଲେ ଏବଂ ସେତେବେଳେ ବି ମନ୍ତ୍ରୀଙ୍କ ତାଗିଦାକୁ କର୍ଣ୍ଣପାତ କରିନଥିଲେ । (ତଥ୍ୟ)