Home General ବାତ୍ୟା ମୁକାବିଲାରେ ୬ ଆଇଏଏସ୍‍

ବାତ୍ୟା ମୁକାବିଲାରେ ୬ ଆଇଏଏସ୍‍

ଭୁବନେଶ୍ୱର : ବାତ୍ୟା ‘ଦାନା’ର ମୁକାବିଲା ପାଇଁ ରାଜ୍ୟ ସରକାର ଅତୀତରେ ଅଭିଜ୍ଞତା ରଖିଥିବା ୬ ଜଣ ଯୁବ ଆଇଏଏସ୍ ଅଫିସରଙ୍କୁ ବାତ୍ୟା ‘ଦାନା’ର ମୁକାବିଲା ପାଇଁ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ଦେଇଛନ୍ତି।  

ସ୍ୱତନ୍ତ୍ର ରିଲିଫ କମିଶନର (ଏସଆରସି)ଙ୍କ କାର୍ଯ୍ୟାଳୟ ପକ୍ଷରୁ ଆଜି ଏ ନେଇ ନିର୍ଦ୍ଦେଶନାମା ଜାରି କରାଯାଇଛି।

ବାଲେଶ୍ୱର ଜିଲ୍ଲାରେ ଉଦ୍ଧାର ଓ ରିଲିଫ କାର୍ଯ୍ୟତଦାରଖ ପାଇଁ ଲଘୁ ଖଣିଜ ନିର୍ଦ୍ଦେଶକ କେ ସୁଦର୍ଶନ ଚକ୍ରବର୍ତ୍ତୀଙ୍କୁ ନିଯୁକ୍ତ କରାଯାଇଥିବା ବେଳେ ଭଦ୍ରକ ଜିଲ୍ଲାରେ ବାତ୍ୟା ପରିଚାଳନା ଦାୟିତ୍ୱ ଆଇଏଏସ୍ ଅଧିକାରୀ ତ୍ରିଲୋଚନ ମାଝୀଙ୍କୁ ଦିଆଯାଇଛି।   

ପର୍ଯ୍ୟଟନ ସଚିବ ବଲୱନ୍ତ ସିଂହଙ୍କୁ ପୁରୀ ଜିଲ୍ଲା ଦାୟିତ୍ୱ ଦିଆଯାଇଥିବା ବେଳେ ବିନୀତ ଭରଦ୍ୱାଜ, ୟାମିନୀ ଷଡ଼ଙ୍ଗୀ ଓ ସମର୍ଥ ବର୍ମାଙ୍କୁ ଯଥାକ୍ରମେ ମୟୂରଭଞ୍ଜ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାର ଦାୟିତ୍ୱ ଦିଆଯାଇଛି।  

ଏହି ଯୁବ ଆଇଏଏସ୍ ଅଧିକାରୀମାନେ ଅତୀତରେ ନିର୍ଦ୍ଧାରିତ ଜିଲ୍ଲାଗୁଡ଼ିକରେ ଜିଲ୍ଲାପାଳ ଭାବରେ କାର୍ଯ୍ୟ କରିଥିଲେ ଏବଂ ପ୍ରାକୃତିକ ବିପର୍ଯ୍ୟୟକୁ ସଫଳତାର ସହ ପରିଚାଳନା କରିଥିଲେ।   

ସେପଟେ ବାତ୍ୟାକୁ ଦୃଷ୍ଟିରେ ରଖି ୧୪ଟି ଜିଲ୍ଲାର ଘରୋଇ ଓ ସରକାରୀ ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟ ସମେତ ସମସ୍ତ ଶିକ୍ଷାନୁଷ୍ଠାନ ଅକ୍ଟୋବର ୨୩ରୁ ୨୫ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି।  

ଗଞ୍ଜାମ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ଯାଜପୁର, ଅନୁଗୁଳ, ନୟାଗଡ଼, କଟକ ଓ ଖୋର୍ଦ୍ଧା ଜିଲ୍ଲାରେ ଥିବା ସମସ୍ତ ସ୍କୁଲ, କଲେଜ, ବିଶ୍ୱବିଦ୍ୟାଳୟ, ବୈଷୟିକ/ବୃତ୍ତିଗତ ଅନୁଷ୍ଠାନ, ପଲିଟେକ୍ନିକ୍ ଓ ଆଇଟିଆଇ ତିନି ଦିନ (ଅକ୍ଟୋବର ୨୩ରୁ ୨୫) ବନ୍ଦ ରହିବ।

ସ୍ବତନ୍ତ୍ର ରିଲିଫ୍ କମିଶନର (ଏସ୍ଆରସି) ଦେବରଞ୍ଜନ କୁମାର ସିଂହଙ୍କ ନିର୍ଦେଶ କ୍ରମେ ଉଚ୍ଚଶିକ୍ଷା, ବିଦ୍ୟାଳୟ ଓ ଗଣଶିକ୍ଷା ଓ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ସ୍ବରୂପ ଅନୁଷ୍ଠାନ ବନ୍ଦ କରିବାକୁ ମଙ୍ଗଳବାର ୧୪ଟି ଜିଲ୍ଲାର ବିଭିନ୍ନ ଶିକ୍ଷାନୁଷ୍ଠାନର ମୁଖ୍ୟମାନଙ୍କୁ ଆବଶ୍ୟକ ନିର୍ଦ୍ଦେଶ ନାମା ଜାରି କରାଯାଇଛି।    

ଆଇଏମଡିର ପୂର୍ବାନୁମାନ ଅନୁଯାୟୀ, ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ବୁଧବାର ସୁଦ୍ଧା ସାମୁଦ୍ରିକ ଝଡ଼ ସୃଷ୍ଟି ହେବାର ସମ୍ଭାବନା ରହିଛି। ଅକ୍ଟୋବର ୨୪ ରାତିରୁ ୨୫ ତାରିଖ ସକାଳେ ଏହା ପୁରୀ ଓ ସାଗର ଦ୍ୱୀପ ମଧ୍ୟରେ ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳ ଅତିକ୍ରମ କରି ଘଣ୍ଟା ପ୍ରତି ୧୦୦ରୁ ୧୧୦ କିଲୋମିଟର ବେଗରେ ପବନ ବହିବ।

ଏହାର ପ୍ରଭାବରେ ଉପରୋକ୍ତ ୧୪ଟି ଜିଲ୍ଲାରେ ପବନ ବହିବା ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।