ଭୁବନେଶ୍ୱର : ଓଡିଆ ଭାଷା, ସାହିତ୍ୟ, କଳା, ସସ୍କୃତି ଆଦି ସହ ଓଡିଶାର ଅସ୍ମିତା ଜଡିତ ଥିବାବେଳେ ରାଜ୍ୟ ସରକାରଙ୍କ ନିୟନ୍ତ୍ରଣାଧିନ ଓଡିଶା ସାହିତ୍ୟ ଏକାଡେମୀ, ସଙ୍ଗୀତ ନାଟକ ଏକାଡେମୀ, ଲଳିତକଳା ଏକାଡେମୀ, ଉର୍ଦ୍ଦୁ ଏକାଡେମୀ ଓ ଓଡିଆ ଭାଷା ପ୍ରତିଷ୍ଠାନର ମୁଖିଆ ପଦବୀଗୁଡିକ ମାସ ମାସ ଧରି ଖାଲି ପଡିଥିବାବେଳେ ବିଭାଗୀୟ ନିର୍ଦ୍ଦେଶକ ଏସବୁର ଅତିରିକ୍ତ ଦାୟିତ୍ୱରେ ରହୁଛନ୍ତି । ଫଳରେ ଯେଉଁ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ନେଇ ଏହି ସଂସ୍ଥାଗୁଡିକ ଗଢାଯାଇଛି ତାହା ପୂରଣ ହୋଇପାରୁ ନାହିଁ ।
ଭାଷା, ସାହିତ୍ୟର ବିକାଶ ପାଇଁ କୁହାଯାଉଥିବାବେଳେ ଦଶନ୍ଧି ଦଶନ୍ଧି ଧରି ପ୍ରାଥମିକ ବିଦ୍ୟାଳୟରୁ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ଓଡିଆ ଭାଷା ପଢାଇବାପାଇଁ ଆବଶ୍ୟକ ସଂଖ୍ୟକ ନିୟମିତ ଶିକ୍ଷକ ନାହାନ୍ତି । ସଂସ୍କୃତ, ହିନ୍ଦୀ ଆଦି ଭାଷା ପଢାଇବାପାଇଁ ସମ୍ପୃକ୍ତ ଭାଷାରେ ଯୋଗ୍ୟତା ଓ ଦକ୍ଷତା ଥିବା ବ୍ୟକ୍ତିମାନଙ୍କୁ ନିଯୁକ୍ତି ଦିଆଯାଉଥିବାବେଳେ ପ୍ରାଥମିକ ବିଦ୍ୟାଳୟରୁ ହାଇସ୍କୁଲ ସ୍ତର ପର୍ଯ୍ୟନ୍ତ ଓଡିଆଭାଷା ପଢାଇବାପାଇଁ ଓଡିଆ ସମ୍ମାନ ସହ ସ୍ନାତକ କିମ୍ବା ଓଡିଆ ଭାଷାରେ ସ୍ନାତକତର ଡିଗ୍ରୀ ହାସଲକୁ ସର୍ବନିମ୍ନ ଯୋଗ୍ୟତା ଭାବେ ଏଯାବତ୍ ଗ୍ରହଣ କରାଯାଇ ନାହିଁ । ଫଳରେ ପ୍ରାଥମିକ ସ୍ତରରୁ ଓଡିଆ ମାଧ୍ୟମ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କର ଓଡିଆ ଭାଷାଜ୍ଞାନ ଦୁର୍ବଳ ହେଉଛି ବୋଲି ଶିକ୍ଷାବିତ୍ ଓ ଭାଷା ବିଶେଷଜ୍ଞମାନେ କହୁଛନ୍ତି ।
ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧିନରେ ଥିବା ଏକାଡେମୀଗୁଡିକର ସଭାପତି, ଉପସଭାପତି, କାର୍ଯ୍ୟକାରୀ ସମିତି ଓ ସାଧାରଣ ପରିଷଦର ସଭ୍ୟମାନଙ୍କ କାର୍ଯ୍ୟକାଳ ପୂଣ ହେବା ପୂର୍ବରୁ ଏଗୁଡିକରେ ନିଯୁକ୍ତି ଲାଗି ପ୍ରକ୍ରିୟା ଆରମ୍ଭ ହେଉନଥିବାରୁ ଅନେକ ସମୟରେ ବର୍ଷ ବର୍ଷ ଧରି ଏଗୁଡିକ ଖାଲିପଡୁଛି । ବିଧାନସଭା, ସଂସଦ, ପଞ୍ଚାୟତିରାଜ ଓ ସ୍ୱାୟତ୍ତଶାସନ ସଂସ୍ଥାଗୁଡିକର ନିର୍ବାଚିତ ପ୍ରତିନିଧିମାନଙ୍କ କାର୍ଯ୍ୟକାଳ ସରିବା ପୂର୍ବରୁ ଏହି ଗଣତାନ୍ତ୍ରିକ ପଦବୀଗୁଡିକ ପୂରଣ ପାଇଁ ପଦକ୍ଷେପ ଗ୍ରହଣ କରାଯାଉଥିବାବେଳେ ଭାଷା, ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରରେ କିନ୍ତୁ ତାହାର ଖୋଲା ଉଲ୍ଲଙ୍ଘନ କରାଯାଉଛି ।
ବହୁ ଲବ୍ଧ ପ୍ରତିଷ୍ଠିତ ସାହିତ୍ୟିକ କହୁଛନ୍ତି ଯେ ଓଡିଶା ସାହିତ୍ୟ ଏକାଡେମୀର କର୍ମକର୍ତ୍ତା ହେବାପାଇଁ ଓଡିଆ ଭାଷା ସାହିତ୍ୟର ବହୁ ପ୍ରଥିତଯଶା ବ୍ୟକ୍ତି ଥିବାବେଳେ ବିଭାଗୀୟ କର୍ତ୍ତୃପକ୍ଷ ଏମାନଙ୍କୁ ଠାବ ନକରି ପ୍ରଶାସନିକ ଅଧିକାରୀମାନଙ୍କ ମାଧ୍ୟମରେ କାମଚଳା ବ୍ୟବସ୍ଥା କରୁଛନ୍ତି । ସେହିଭଳି ସଙ୍ଗୀତ ଓ ନାଟକ କ୍ଷେତ୍ରରେ ଦେଶ ବିଶେରେ ସୁନାମ ଅର୍ଜନ କରିଥିବା ବହୁ ଓଡିଆ ଶିଳ୍ପୀଙ୍କ ଭିତରୁ କାହାକୁ ଏହି ଗୁରୁତ୍ୱପୂର୍ଣ୍ଣ ଏକାଡେମୀର ଦାୟିତ୍ୱ ନଦେଇ ସଂସ୍କୃତି ବିଭାଗର ଅଧିକାରୀଙ୍କ ହାତରେ ଏହାକୁ ଟେକିଦିଆଯାଇଛି ।
ସେହିଭଳି ଓଡିଆ ଭାଷା ପ୍ରତିଷ୍ଠାନ ପାଇଁ ନିୟମିତ ନିର୍ଦ୍ଦେଶକ ନିଯୁକ୍ତି ନକରି ସରକାର ବର୍ଷ ବର୍ଷ ଧରି ନିର୍ଦ୍ଦେଶକ ପଦବୀରେ ବିଭାଗୀୟ ଅଧିକରୀମାନଙ୍କୁ ଅତିରିକ୍ତ ଦାୟିତ୍ୱରେ ରଖିବା ଫଳରେ ପ୍ରତଷ୍ଠାନଟି ଏକ ପ୍ରକାର ଋଗଣ ଅବସ୍ଥାରେ ରହୁଛି । ଲଳିତକଳା ଏକାଡେମୀ ଓ ଉର୍ଦ୍ଧୁ ଏକାଡେମୀ ମଧ୍ୟ ଅନୁରୂପ ବ୍ୟାଧିରେ ସଂକ୍ରମିତ ।
ଓଡିଶୀ ଗବେଷଣା ପ୍ରତିଷ୍ଠାନ ବି ଅଣଦେଶର ଶିକାର ହୋଇ ଚାଲିଛି । ସଙ୍ଗୀତ ନାଟକ ମହାବିଦ୍ୟାଳୟ ଠାରୁ ସଂସ୍କୃତି ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ଶିକ୍ଷାନୁଷ୍ଠାନଗୁଡିକରେ ପିଲାମାନଙ୍କୁ ତାଲିମ ଦେବାପାଇଁ ବର୍ଷ ବର୍ଷ ଧରି ନିୟମିତ ଶିକ୍ଷକ ନିଯୁକ୍ତି କରାଯାଇ ନାହିଁ । ନୂଆହୋଇ ଗଢାଯାଇଥିବା ଓଡିଆ ବିଶ୍ୱିବିଦ୍ୟାଳୟ ପାଇଁ ନିୟମିତ ଶିକ୍ଷକ ନଥିବାବେଳେ ଡେପୁଟେସନରେ ଆଣି କାମ ଚଳାଯାଉଛି । ଏ ପରିପ୍ରେକ୍ଷୀରେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତିର କିଭଳି ବିକାଶ ଘଟିବ ବୋଲି ବୁଦ୍ଧୀଜୀବୀମାନେ ପ୍ରଶ୍ନ ଉଠାଉଛନ୍ତି । (ତଥ୍ୟ)