Home General ଢେଙ୍କାନାଳ ଐତିହ୍ୟ ପଦଯାତ୍ରା

ଢେଙ୍କାନାଳ ଐତିହ୍ୟ ପଦଯାତ୍ରା

ଢେଙ୍କାନାଳ : ଢେଙ୍କାନାଳ ଗଜଲକ୍ଷ୍ମୀ ପୂଜାର ଏକ ନିଆରା ଆକର୍ଷଣ ରହିଛି। ଜିଲ୍ଲା ତଥା ଜିଲ୍ଲା ବାହାରୁ ଦୈନିକ ଲକ୍ଷ ଲକ୍ଷ ଯାତ୍ରୀଙ୍କର ସମାଗମରେ ଢେଙ୍କାନାଳ ସହର ଜନାକୀର୍ଣ୍ଣ ହୋଇ ଉଠେ । ଚଳିତ ବର୍ଷ ୩୬ଟି ମଣ୍ଡପରେ ଧନଦାତ୍ରୀ ମା ଲକ୍ଷ୍ମୀଙ୍କର ଆରାଧନା କରା ଯାଉଥିବାବେଳେ ୬ଟି ମଣ୍ଡପରେ ସୂକ୍ଷ୍ମ କାରୁକାର୍ଯ୍ୟ ଖଚିତ ଚାନ୍ଦିମେଢ଼ ଦର୍ଶକଙ୍କୁ ଆକର୍ଷିତ କରୁଛି ।

ଢେଙ୍କାନାଳ ଐତିହ୍ୟ ପଦଯାତ୍ରାର ଅଷ୍ଟାଦଶ ସଂସ୍କରଣରେ ଜିଲ୍ଲାର ଐତିହ୍ୟକୁ ଧାରଣ କରିଥିବା ଏହି ଚାନ୍ଦିମେଢ଼ ଗୁଡିକୁ ଐତିହ୍ୟ ପ୍ରେମୀ ପଦଯାତ୍ରୀ ମାନେ ପରିଭ୍ରମଣ କରି ଚାନ୍ଦିମେଢ ଗୁଡିକର ଇତିହାସ ସମ୍ପର୍କରେ ତଥ୍ୟ ସଂଗ୍ରହ କରି ଥିଲେ । ଢେଙ୍କାନାଳ ଐତିହ୍ୟ ପଦଯାତ୍ରାର ଆବାହକ ଅଧ୍ୟାପକ ସୁରେଶ ପ୍ରସାଦ ମିଶ୍ରଙ୍କ ଆବାହକତ୍ଵରେ ପଚାଶ ଜଣ ପଦଯାତ୍ରୀ ସହରର ଛଅଟି ଚାନ୍ଦିମେଢ ପରିଦର୍ଶନ କରିଥିଲେ ।

ଏଠାରେ ଉଲ୍ଲେଖଯୋଗ୍ୟଯେ, ମୀନାବଜାରର ମଉଡ଼ମଣୀ ରାଜଲକ୍ଷ୍ମୀ ପୂଜା ପ୍ରତିଷ୍ଠାନ ରେ ସର୍ବପ୍ରଥମେ ୧୯୫୯ ମସିହାରେ ଚାନ୍ଦିମେଢ ଆରମ୍ଭ ହୋଇଥିଲା । ମାତ୍ର ଏହି ମେଢଟି ୧୯୭୬ ମସିହାରେ ଚୋରି ହୋଇଯିବା ପରେ ୨୦୦୪ ମସିହାରେ ୧୬୦ କେ.ଜି ରୂପାରେ ନୂଆକରି ନିର୍ମିତ ମେଢ ବ୍ୟବହାର କରା ଯାଇ ଆସୁଛି । କଟକର ଚୌଧୁରୀ ବଜାର ଦୁର୍ଗା ମେଢ଼ ପରେ ଢେଙ୍କାନାଳର ମୀନା ବଜାର ଲକ୍ଷ୍ମୀ ମେଢ ହେଉଛି ଓଡିଶାର ଦ୍ଵିତୀୟ ପୁରାତନ ଚାନ୍ଦିମେଢ ଓ ଢେଙ୍କାନାଳର ପ୍ରଥମ ଚାନ୍ଦିମେଢ ।

ମୀନାବଜାର ଚାନ୍ଦିମେଢ ପରେ ଧିରେଧିରେ ଏହାର ଆକର୍ଷଣ ବୃଦ୍ଧି ପାଇବାରେ ଲଗିଲା ଓ ଏହିକ୍ରମରେ ସିଦ୍ଧ ବଳରାମ ମନ୍ଦିର ନିକଟରେ ଥିବା କୈବଲ୍ୟ ବଜାର ୨୦୧୬ ମସିହାରେ ୧୪୦ କେ.ଜି. ରୂପାରେ ନିର୍ମିତ ମେଢ ସ୍ଥାପନ କରି ଦ୍ଵିତୀୟ ଚାନ୍ଦିମେଢର ମାନ୍ୟତା ଲାଭ କରିଛନ୍ତି । ୨୦୧୮ ମସିହାରେ ୧୨୫ କେ.ଜି.ଓଜନ ବିଶିଷ୍ଟ ଗୁଡିଆନାଳି ପୂଜା ମଣ୍ଡପରେ ଚାନ୍ଦିମେଢ ସ୍ଥାପିତ ହୋଇଛି । ସେହି ୨୦୧୮ ମସିହାରେ ସବୁଠାରୁ ବଡ ବଜାର ଭାବରେ ପରିଚିତ ଗଣେଶ ବଜାର ୩୫୦ କେ.ଜିର ଏକ ବିଶାଳ ଚାନ୍ଦିମେଢ କରି ରାଜ୍ୟର ସବୁଠାରୁ ଅଧିକ ଓଜନ ବିଶିଷ୍ଟ ଚାନ୍ଦିମେଢର ମାନ୍ୟତା ପାଇଛନ୍ତି । ପଞ୍ଜମ ଚାନ୍ଦିମେଢ ଭାବରେ ଲକ୍ଷ୍ମୀ ବଜାର ୨୦୨୨ ମସିହାରେ ୧୫୦ କେ.ଜି ରୂପାରେ ମେଢ ସ୍ଥାପନ କରିଛନ୍ତି । ଚଳିତ ବର୍ଷ ଜୁବୁଲି ଟାଉନ -୨,ଦେଉଳସାହି ପୂଜା ମଣ୍ଡପ ୭୦ କେ.ଜି.ର ଏକ ସୁନ୍ଦର ଚାନ୍ଦିମେଢ଼ ନିର୍ମାଣ କରିଛନ୍ତି ।

ଗତକାଲି ସକାଳୁ ପଦଯାତ୍ରୀ ମାନେ ପ୍ରଥମେ ଗୁଡିଆନାଳି ତାପରେ କୈବଲ୍ୟ ବଜାର,ଜୁବୁଲି ଟାଉନ୨ ,ଗଣେଶ ବଜାର,ଲକ୍ଷ୍ମୀ ବଜାର,ଓ ମୀନା ବଜାରର ଚାନ୍ଦିମେଢ ର ପରିକ୍ରମା କରିଥିଲେ । ପ୍ରତ୍ୟେକ ବଜାର ଠାରେ କମିଟିର ସଦସ୍ୟ ମାନେ ପଦଯାତ୍ରୀଙ୍କୁ ସ୍ଵାଗତ କରିବା ସହିତ ନିଜ ନିଜ ଚାନ୍ଦିମେଢ଼ର ଇତିହାସ ସଂପର୍କରେ ତଥ୍ୟ ପ୍ରଦାନ କରିଥିଲେ ।

ଗତକାଲିର ପଦଯାତ୍ରାରେ ବରିଷ୍ଠ ଶିକ୍ଷାବିତ ଡ.ଭବାନୀ ଶଂକର ମିଶ୍ର, ଡ.ମୃଣାଳ ଚାଟାର୍ଜୀ,ଢେଙ୍କାନାଳ ସାମ୍ବାଦିକ ସଂଘର ସଭାପତି ପ୍ରସନ୍ନ କୁମାର ପଟ୍ଟନାୟକ,କଟକ ହେରିଟେଜ୍ ଓ୍ଵାକ୍ ର ବରିଷ୍ଠ ସଦସ୍ୟ ବିଶ୍ଵରଞ୍ଜନ ଦେହୁରୀ, ଏକାମ୍ର ଐତିହ୍ୟ ପଦଯାତ୍ରା ଭୁବନେଶ୍ଵରର ସଦସ୍ୟ ହୃଦାନନ୍ଦ ବେହେରା,ରମେଶ ପତି, ବଦ୍ରିନାଥ ଜେନା,ଅଞ୍ଜଳି ପଟ୍ଟନାୟକ, ପ୍ରାଚୀ ପଟ୍ଟନାୟକ, ସୁନୀତା,ମହାପାତ୍ର,ପ୍ରଶାନ୍ତ କୁମାର ତ୍ରିପାଠୀ,ମେଘା ମୌସୁମୀ ସାହୁ,ସ୍ଵର୍ଣ୍ଣପ୍ରଭା ସେଠୀ,ଲକ୍ଷ୍ମୀ ନାରାୟଣ ତ୍ରିପାଠୀ, ଜନ୍ମେଜୟ ରାଉତ, ସନ୍ତୋଷ କୁମାର ସିଂହ,ମଧୁଜ୍ୟୋତ୍ସ୍ନା ସିଂହ, ପୀୟୁଷ ଅଗ୍ରାଓ୍ଵାଲ, ବିଶ୍ଵଜିତ ସାହୁ,ବିକାଶ ପ୍ରଧାନ,ଅରୁଣ କୁମାର ଦାସ,ଲକ୍ଷ୍ମୀଧର ବେହେରା, ତପନ ସାହୁ ,ସତ୍ୟ ପ୍ରକାଶ ସାହୁ,ଜଗଦୀଶ ସାହୁ ଓ  ଢେଙ୍କାନାଳ ସ୍ଵୟଂ ଶାସିତ ମହା ବିଦ୍ୟାଳୟର ବହୁ ଐତିହ୍ୟ ପ୍ରେମୀ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।