ଭୁବନେଶ୍ୱର : ମଦୁଆଙ୍କ ଉତ୍ପାତରେ ରାଜଧାନୀରେ ସାଧାରଣ ଲୋକଙ୍କ ଠାରୁ ଆରମ୍ଭକରି ଭିଭିଆଇପିମାନେ ଅତିଷ୍ଠ ହେଉଥିବାବେଳେ ଖୋଲାମେଲାରେ ମଦ୍ୟପାନ ଏହାର ପ୍ରମୁଖ କାରଣ ବୋଲି କୁହାଯାଉଛି । ମଦୁଅମାନେ ମଦ କିଣି ତାହାକୁ ସହଜରେ ମଦଦୋକାନ ନିକଟରେ ସେବନ କରି ମାତାଲାହୋଇ ରାସ୍ତାରେ ବୁଲୁଛନ୍ତି ।
ନିଶାଡିଙ୍କ ପାଇଁ ସରକାର ଦୁଇ ପ୍ରକାର ମଦ ଦୋକାନକୁ ଲାଇସେନ୍ସ ଦେଇଛନ୍ତି । ଗୋଟିଏ ହେଲା ଠିପି ବନ୍ଦ ଓ ଅନ୍ୟଟି ହେଲା ଠିପି ଖୋଲା । ଠିପିବନ୍ଦ ମଦ ଦୋକାନରୁ ଲୋକେ ମଦ କିଣି ନେଇପାରିବେ । ହେଲେ ତାହାକୁ ସେଠାରେ ପିଆଯାଇ ପାରିବନାହିଁ । ଠିପିଖୋଲା ମଦ ଦୋକାନରେ ଲୋକେ ବସିକି ମଦ ପିଇପାରିବେ । ଏଥିପାଇଁ ମଦୁଆମାନଙ୍କୁ ଅଧିକ ଅର୍ଥ ଖର୍ଚ୍ଚ କରିବାକୁ ପଡିଥାଏ ।
ଠିପି ବନ୍ଦ ମଦ ଦୋକାନ ନିକଟରେ ମଦ୍ୟପାନ ଦଣ୍ଡନୀୟ ହୋଇଥିବାବେଳେ ସମସ୍ତ ପ୍ରକାର ଆନୁଷଙ୍ଗିକ ସୁବିଧା ହେତୁ ମଦୁଆମାନେ ସେହିଠାରେ ହିଁ ମଦ୍ୟପାନ କରୁଛନ୍ତି । ରାଜଧାନୀର ଅଧିକାଂଶ ମଦ ଦୋକାନ ନିକଟରେ ଏବେ ମାଳ ମାଳ ଚାଖଣା ଦୋକାନ । ସେଠାରେ ଥଣ୍ଡାପାଣି ଠାରୁ ଆରମ୍ଭକରି ମୃଦୁପାନୀୟ, ସୋଢା, ପ୍ଲାଷ୍ଟିକ ଗ୍ଲାସ, ଚାଖଣା ପାଇଁ ମାଛଭଡା, ଚିକେନ କଷା, ଛେଳିମୁଣ୍ଡ ଛେଚେଡା, ବୁଟଭଜା, କାକୁଡି ସାଲାଡ ଆଦି ସବୁକିଛି ମିଳୁଛି । ଏଥିପାଇଁ ସଞ୍ଜ ହେଲେ ଏକାଧିକ ବ୍ୟବସାୟୀ ପସରା ଖୋଲି ବସୁଛନ୍ତି । ଫଳରେ ମଦୁଆଟି ଦୋକାନରୁ ମଦ କିଣି ସେହିଠାରେ ହିଁ ସ୍ୱଳ୍ପ ଖର୍ଚ୍ଚରେ ତାକୁ ପିଉଛି ଓ ମାତାଲ ହୋଇ ରାସ୍ତାକୁ ବାହାରୁଛି ।
ପୂର୍ବତନ ପୁଲିସ୍ କମିଶନର ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା ମଦୁଆଙ୍କ ଏଭଳି ଉତ୍ପାତକୁ ନିୟନ୍ତ୍ରଣ ଲାଗି ମଦଦୋକାନ ପାଇଁ ମାର୍ଗଦର୍ଶିକା ଜାରି କରିଥିଲେ ଯେଉଁଥିରେ ମଦ ଦୋକାନ ଆଖପାଖରେ ଚାଖଣା ଦୋକାଲ ଖୋଲିବା ଉପରେ କଟକଣା ଥିଲା । ଏପରିକି ଏଭଳି ଦୋକାନ ଖୋଲିଲେ ମଦ ଦୋକାନୀମାନେ ଦାୟୀ ରହିବେ ବୋଲି କୁହାଯାଇଥିଲା । ଏଥି ସହିତ ସବୁ ମଦ ଦୋକାନୀ ସିସିଟିଭି ଲଗାଇବା ବାଧ୍ୟତାମୂଳକ କରାଯାଇଥିଲା ଯେଉଁଥିରେ ମାସେ ପର୍ଯ୍ୟନ୍ତ ରେକର୍ଡିଂ ରହିପାରିବ ।
ହେଲେ ଏହି ନିୟମକୁ ଏବେ କେହି ମାନୁନାହାନ୍ତି । ମଦ ଦୋକାନୀମାନେ ଚାଖଣା ଦୋକାନୀଙ୍କୁ ଏକ ପ୍ରକାର ଉତ୍ସାହିତ କରୁଥିବାବେଳେ ପୁଲିସ୍ ମୂକଦର୍ଶକ ସାଜିଛି । ଫଳରେ ଯେଉଁମାନେ ମଦ କିଣି ନେଇ ଘରେ କିମ୍ବା ଅନ୍ୟ ଆବଦ୍ଧ ସ୍ଥାନରେ ମଦ୍ୟପାନ କରିଥାନ୍ତେ ସେମାନେ ଏବେ ମଦ ଦୋକାନ ସାମ୍ନାରେ ତାହାକୁ ସେବନ କରି ମାତାଲ ହୋଇ ବାହାରିବା ସହିତ ରାସ୍ତାରେ ଯାହାକୁ ପାରୁଛନ୍ତି ତାକୁ ନିଶାସକ୍ତ ଅବସ୍ଥାରେ ଅସଦବ୍ୟବହାର କରୁଛନ୍ତି ।
ସେନାର ଜଣେ ମେଜର ଓ ତାଙ୍କ ବାନ୍ଧବୀ ମଦୁଆଙ୍କ ହାବୁଡରେ ପଡିବାର ଅଳ୍ପଦିନ ପରେ ଏବେ ତଟରକ୍ଷୀ ବାହିନୀର ଡିଆଇଜି ଓ ତାଙ୍କ ପତ୍ନୀ ମଧ୍ୟ ମଦୁଆଙ୍କ ଅସଦାଚରଣର ଶିକାର ହୋଇଛନ୍ତି । ଏହି ଦୁଇଟି ମାମଲା ଥାନାକୁ ଆସିଥିବାବେଳେ ଅନ୍ୟ ବହୁ ମାମଲାରେ ଲୋକେ ମଦୁଆଙ୍କ ହାବୁଡରେ ପଡୁଥିଲେ ମଧ୍ୟ ଭୟରେ ଥାନାକୁ ଆସୁନାହାନ୍ତି । ତେବେ ମଦୁଆମାନେ ସହଜରେ ମଦ୍ୟପାନର ସୁବିଧା ପାଉଥିବାରୁ ରାଜଧାନୀରେ ଦିନକୁ ଦିନ ଏମାନଙ୍କ ଉତ୍ପାତ ବଢିବାରେ ଲାଗିଛି ।
ତେଣୁ ରାଜଧାନୀରେ ମଦୁଆଙ୍କୁ ସାବାଡ ପାଇଁ ପ୍ରଥମେ ମଦ ଦୋକାନ ପାଇଁ କମିଶନରେଟ ପୁଲିସ୍ ଜାରି କରିଥିବା ମାର୍ଗଦର୍ଶିକାକୁ କାର୍ଯ୍ୟକାରୀ କରି ଚାଖଣା ଦୋକାନ ହଟାଇବା ସହିତ ରାସ୍ତାପାଶ୍ୱର୍ରେ ମଦ୍ୟପାନ କରୁଥିବା ମଦୁଆଙ୍କୁ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ମତପ୍ରକାଶ ପାଉଛି । ଏଥିପାଇଁ ସ୍ଥାନୀୟ ଥାନାଗୁଡିକୁ ପୁଲିସ୍ କମିଶନର ନିର୍ଦ୍ଦେଶ ଦେବା ସହିତ ସ୍ୱତନ୍ତ୍ର ସ୍କ୍ୱାଡ୍ ଚଢଉ ପାଇଁ ସାଧାରଣରେ ଦାବି ହେଉଛି । (ତଥ୍ୟ)