Home Environment ଇକୋସେଭର୍ସ ପକ୍ଷରୁ ’ସ୍ୱଚ୍ଛ ମୋ ଗାଁ’ ଅଭିଯାନ

ଇକୋସେଭର୍ସ ପକ୍ଷରୁ ’ସ୍ୱଚ୍ଛ ମୋ ଗାଁ’ ଅଭିଯାନ

ଭୁବନେଶ୍ୱର : ଇକୋସେଭର୍ସ ୟୁଥ୍ ନେଟୱାର୍କ ପକ୍ଷରୁ ଡିସେମ୍ବରରେ ମାସ ବ୍ୟାପୀ “ସ୍ୱଚ୍ଛ ମୋ ଗାଁ” ଅଭିଯାନ କରାଯିବ ବୋଲି  ଇକୋସେଭେର୍ସର ରାଜ୍ୟସ୍ତରୀୟ କର୍ମଶାଳାରେ ପ୍ରତିନିଧି ମାନେ ନିଷ୍ପତି ନେଇଛନ୍ତି ସ୍ଵେଚ୍ଛାସେବୀ ସଂଗଠନ ପିପୁଲସ୍ କଲଚରାଲ୍ ସେଣ୍ଟର (ପିକକ୍) ଓ  ଏ.ଇ.ଆଇ.ଏନ ର ସହଯୋଗରେ ପରିବେଶ ସୁରକ୍ଷା ଉପରେ ଏହି କର୍ମଶାଳା ଆୟୋଜିତ ହୋଇଥିଲା ।

କର୍ମଶାଳାକୁ ଉଦଘାଟନ କରି ପିକକ୍ ର ସମ୍ପାଦକ ରଂଜନ କୁମାର ମହାନ୍ତି ଇକୋସେଭର୍ସ ୟୁଥ୍ ନେଟୱାର୍କ ସଦସ୍ୟଙ୍କ ଦ୍ୱାରା ପରିବେଶର ସୁରକ୍ଷା ନିମନ୍ତେ କରାଯାଇଥିବା ବିଭିନ୍ନ ଅଭିନବ କାର୍ଯ୍ୟ ଯଥା ପକ୍ଷୀବସା ନିର୍ମାଣ, ଝରଣାରେ ପଥର ବନ୍ଧ ଦେଇ ଜଳ ସରକ୍ଷଣ କରିବା, ବର୍ଜ୍ୟ ପରିଚାଳନା, ବୃକ୍ଷ ରୋପଣ ଆଦିର ପ୍ରସଂଶା କରିଥିଲେ । ସେ ଆହୁରି ମଧ୍ୟ କହିଥିଲେ ଯୁବକମାନେ ଏକ ନୂତନ ଭବିଷ୍ୟତର  ଉତ୍ପେରକ, ତେଣୁ ସେମାନେ ଏହି ଗୁରୁଦାୟିତ୍ଵ କୁ ବହନ କରିବା ପାଇଁ ଭଲ ଭାବରେ ପ୍ରସ୍ତୁତ ହେବା ଉଚିତ୍ ।  

ପିକକ୍ ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶୀକା ଅନୁରାଧା ମହାନ୍ତି ସ୍ୱାଗତ ଭାଷଣ ଦେଇ ଏହି କର୍ମଶାଳାର ଉଦ୍ଦେଶ୍ୟ ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଇଥିଲେ । ଏହି କର୍ମଶାଳାରେ ଯୋଗଦେଇ ଇନରହ୍ଵିଲ କ୍ଲବର ଅଧ୍ୟକ୍ଷା ପ୍ରତିମା ନଳିନୀ ପତି ଯୁବଗୋଷ୍ଟିଙ୍କର କାର୍ଯ୍ୟର ଉଚ୍ଚ ପ୍ରସଂଶା କରିବା ସହିତ ଏକ ସମୃଦ୍ଧ, ସ୍ଥାୟୀ ଓ ସୁଦୃଢ ଭବିଷ୍ୟତ ଗଠନ ପାଇଁ ଯୁବଗୋଷ୍ଟିର ନେତୃତ୍ଵ ଅତ୍ୟନ୍ତ ଗୁରୁତ୍ତ୍ଵପୂର୍ଣ୍ଣ ବୋଲି କହିଥିଲେ । 

ରାଜ୍ୟ ପରିବେଶ ସମିତିର ସମ୍ପାଦକ ପ୍ରଫେସର ଜୟକୃଷ୍ଣ ପାଣିଗ୍ରାହି, ଜଳବାୟୁ ପରିବର୍ତ୍ତନ ଓ ପରିବେଶ ସୁରକ୍ଷା ତଥା ଯୁବକମାନଙ୍କର ଭୂମିକା ବିଷୟରେ କହିଥିଲେ। ଏଥି ସହିତ ଦୈନନ୍ଦିନ ଜୀବନରେ ବର୍ଜ୍ୟବସ୍ତୁ ହ୍ରାସ, ଶକ୍ତି ସଂରକ୍ଷଣ, ବୃକ୍ଷ ରୋପଣ, ପରିବେଶ ଉପଯୋଗୀ ଖାଦ୍ୟ ଅଭ୍ୟାସ ଗ୍ରହଣ କରିବା ଭଳି କିଛି  ଉପାଦେୟ ସୂଚନା ମଧ୍ୟ ପ୍ରଦାନ କରିଥଲେ ।

କର୍ମଶାଳାରେ ଓଡିଶାର ବିଭିନ୍ନ ଜିଲ୍ଲାର ପ୍ରାୟ ୫୦ ରୁ ଅଧିକ ଯୁବକ ଯୁବତୀ ଅଂଶଗ୍ରହଣ କରିଥିଲେ। ଯୁବ ନେତାମାନେ ପରିବେଶ ସୁରକ୍ଷା ନିମନ୍ତେ ସେମାନେ କରିଥିବା ବିଭିନ୍ନ କାର୍ଯ୍ୟକୁ ଏଠାରେ ଉପସ୍ଥାପନା କରିଥିଲେ ଏବଂ ଭବିଷ୍ୟତର କାର୍ଯ୍ୟପନ୍ଥା ମଧ୍ୟ ପ୍ରସ୍ତୁତ କରିଥିଲେ । ପିକକ୍ର ପୂଜା ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ପିକକ୍ର ଜ୍ୟୋତି ଶଙ୍କର ମହାନ୍ତି, ଅଳ୍ପନା ଦାଶପ୍ରମୁଖ କର୍ମଶାଳାକୁ ପରିଚାଳନା କରିଥିଲେ।