Home Agriculture ୨୦ବର୍ଷରେ ୨ଗୁଣ ହେଲାନି ଡାଲି ଉତ୍ପାଦନ

୨୦ବର୍ଷରେ ୨ଗୁଣ ହେଲାନି ଡାଲି ଉତ୍ପାଦନ

ଭୁବନେଶ୍ୱର : ରାଜ୍ୟରେ ହରଡ ଡାଲି କିଲୋ ୧୭୫ ଟଙ୍କା ଟପିଥିବାବେଳେ ତାହା ସହିତ ତାଳ ଦେଇ ମୁଗ, ମସୁର, କୋଳଥ ଆଦି ଡାଲି ଦର ବଢିବାରେ ଲାଗିଛି । ଡାଲି ପାଇଁ ଓଡିଶା ସର୍ବଦା ଅନ୍ୟ ରାଜ୍ୟ ଉପରେ ନିର୍ଭରଶୀଳ ହେଉଥିବାବେଳେ ଓଡିଶାରେ ଡାଲି ଉତ୍ପାଦନ ଗତ ୨୦ବର୍ଷ ମଧ୍ୟରେ ଦୁଇଗୁଣା ବି ବଢିପାରିନାହିଁ ।

ସରକାରୀ ହିସାବ ଅନୁଯାୟୀ ରାଜ୍ୟରେ ଡାଲି ଜାତୀୟ ଶସ୍ୟ ଉତ୍ପାଦନ ୨୦୦୩-୦୪ ରେ ୬୨୨ ହଜାର ମେଟ୍ରିକ ଟନ୍‍ରୁ ସାମାନ୍ୟ ଅଧିକ ରହିଥିବାବେଳେ ୨୦୨୨-୨୩ ବର୍ଷରେ ଏହା ୧୦୭୪ ହଜାର ମେଟ୍ରିକ ଟନ୍‍ରୁ ସାମାନ୍ୟ ଅଧିକ ରହିଛି । କୋଡିଏ ବର୍ଷ ଭିତରେ ଡାଲି ଉତ୍ପାଦନ ରାଜ୍ୟରେ ଦୁଇଗୁଣା ବି ହୋଇପାରି ନାହିଁ ।

ଏହି ସୂଚନା ଅନୁଯାୟୀ ୨୦୧୨-୧୩ ବର୍ଷରେ ରାଜ୍ୟରେ ଡାଲି ଉତ୍ପାଦନ ପରିମାଣ ୧୦୩୬ ହଜାର ମେଟ୍ରିକ ଟନ୍‍କୁ ଟପିବା ସହିତ ଲଗାତାର ତିନିବର୍ଷ ଅର୍ଥାତ୍‍ ୨୦୧୪-୧୫ ପର୍ଯ୍ୟନ୍ତ ଏହାର ଉତ୍ପାଦନ ୧୦ଲକ୍ଷ ମେଟ୍ରିକ ଟନ୍‍ ଉପରେ ରହିଥିଲା । କିନ୍ତୁ ପରବର୍ତ୍ତୀ ଦୁଇ ବର୍ଷରେ ଏହାର ଉତ୍ପାଦନ ହଜାରେ ଏହା ହ୍ରାସ ପାଇଥିଲା । ୨୦୧୭-୧୮ ରୁ ୨୦୨୨-୨୩ ପର୍ଯ୍ୟନ୍ତ ରାଜ୍ୟରେ ଡାଲି ଉତ୍ପାଦନ ଏକ ପ୍ରକାର ସ୍ଥିର ରହିବା ସହିତ ଏହା ୧୦ଲକ୍ଷ ମେଟ୍ରିକ ଟନ୍‍କୁ ଟପିପାରୁ ନଥିବା ଜଣାଯାଇଛି ।

ତେବେ ରାଜ୍ୟରେ ଡାଲି ଚାଷ ପାଇଁ ଅତ୍ୟନ୍ତ ଅନକୂଳ ପରିବେଶ ରହିଥିବା ଏବଂ ସରକାର ଡାଲି ଚାଷ ପାଇଁ ବିଭିନ୍ନ ପ୍ରକାର ପ୍ରୋତ୍ସାହନ ଯୋଗାଇ ଦେଉଥିବାବେଳେ ଡାଲି ଚାଷ ପ୍ରତି କିନ୍ତୁ ବିଶେଷ ଆଗ୍ରହ ପ୍ରକାଶ ପାଉନାହିଁ । ଗାଁ ଗହଳରେ ଚାଷୀମାନେ ମୁଗ, ବିରି, କୋଳଥ ଭଳି ଡାଲିଜାତୀୟ ଶସ୍ୟକୁ ପାରମ୍ପରିକ ଭାବେ ଚାଷ କରୁଥିବାବେଳେ ବହୁଳ ଭାବେ ବ୍ୟବହାର ହେଉଥିବା ହରଡ ଡାଲି ଚାଷପ୍ରତି ସେତେଟା ଆଗ୍ରହ ପ୍ରକାଶ କରୁନାହାନ୍ତି ।

ରାଜ୍ୟରେ ଯେଉଁ କେତେକ ଜିଲ୍ଲାରେ ବି ହରଡ ଡାଲି ଚାଷ କରାଯାଉଛି ଅମଳ ସମୟରୁ ତାହାକୁ ଅନ୍ୟ ରାଜ୍ୟର ବ୍ୟବସାୟୀମାନେ ଖରିଦ କରି ନେଉଛନ୍ତି । ରାଜ୍ୟରେ ଉନ୍ନତମାନର ଡାଲି ପ୍ରକ୍ରିୟାକରଣ କେନ୍ଦ୍ର ନଥିବାରୁ ଚାଷୀମାନେ ବାଧ୍ୟହୋଇ ଅଳ୍ପଦାମରେ ହରଡକୁ ଅନ୍ୟ ରାଜ୍ୟର ବେପାରୀଙ୍କ ହାତରେ ଟେକି ଦେଉଛନ୍ତି ଓ ସେହି ଡାଲି ସେଠାରେ ପ୍ରକ୍ରିୟାକରଣ ହୋଇ ଆସିବାପରେ ତାହାକୁ ତିନି ରୁ ଚାରିଗୁଣା ଅଧିକ ଦରରେ ଖରିଦ କରିବାକୁ ବାଧ୍ୟ ହେଉଛନ୍ତି ।

ସେହିଭଳି ମୁଗ ଓ କୋଳଥ ଡାଲିର ଚାହିଦା ଥିଲେ ମଧ୍ୟ ଚାଷୀମାନେ ବ୍ୟବସାୟିକ ମନୋଭାବ ନେଇ ତାହାକୁ ଚାଷ କରିବାକୁ ଆଗେଇ ଆସୁ ନାହାନ୍ତି । କାରଣ ଗୋଟିଏ ପଟେ ଧାନ ଭଳି ସରକାର ଡାଲିଜାତୀୟ ଶସ୍ୟକୁ ସୁବିଧାରେ ବିକ୍ରିବଟା ପାଇଁ ଯୋଜନା କରିନଥିବାବେଳେ ଅନ୍ୟ ପଟେ ହରଡ ଭଳି ମୁଗ ଓ କୋଳଥକୁ ମଧ୍ୟ ଅନ୍ୟ ରାଜ୍ୟର ବ୍ୟବସାୟୀମାନେ କମ୍‍ ଦରରେ ଓଡିଶାରୁ ନେଇ ତାହାକୁ ପ୍ରକ୍ରିୟାକରଣ କରି ଛାଡୁଛନ୍ତି ।

ତେବେ ଓଡିଶା ଭଳି କୃଷି ପ୍ରଧାନ ରାଜ୍ୟରେ ଡାଲି ଚାଷ ପ୍ରତି ସେତେଟା ଗୁରୁତ୍ୱ ଦିଆନଯିବା ଫଳରେ ଅନ୍ୟ ରାଜ୍ୟର ଡାଲି ବ୍ୟବସାୟୀମାନେ ଓଡିଶାରୁ ବର୍ଷକୁ କୋଟି କୋଟି ଟଙ୍କା ମୁନାଫା ନେଇ ଯାଉଛନ୍ତି ଓ ରାଜ୍ୟର ଖାଉଟିମାନେ ବର୍ଷସାରା ଅନ୍ୟ ରାଜ୍ୟ ଉପରେ ନିର୍ଭର କରୁଛନ୍ତି । ମୋଟାମୋଟି ଭାବେ ଓଡିଶାରେ ଡାଲି ଦରକୁ ଅନ୍ୟ ରାଜ୍ୟର ବ୍ୟବସାୟୀମାନେ ନିୟନ୍ତ୍ରଣ କରୁଥିବାବେଳେ ଖାଉଟି ଓ ପ୍ରଶାସନ ଏକ ପ୍ରକାର ମୂକଦର୍ଶକ ସାଜିବାକୁ ବାଧ୍ୟ ହେଉଛନ୍ତି । (ତଥ୍ୟ)