Home Administration ଅନିଶ୍ଚିତତାରେ ଝୁଲୁଛନ୍ତି ୬୦୦ କର୍ମଚାରୀ

ଅନିଶ୍ଚିତତାରେ ଝୁଲୁଛନ୍ତି ୬୦୦ କର୍ମଚାରୀ

ଭୁବନେଶ୍ୱର : ଗୃହ ର୍ନିମାଣ ଓ ନଗର ଉନ୍ନୟନ ବିଭାଗ ଅଧିନରେ ଥିବା ପୌରସଂସ୍ଥା ଓ ବିଭିନ୍ନ ପ୍ରକଳ୍ପରେ କାର୍ଯ୍ୟରତ ୬୦୦ରୁ ଅଧିକ ଠିକା କର୍ମଚାରୀ (ପ୍ରଫେସନାଲ) ଏବେ ଅନିଶ୍ଚିତତାରେ ଝୁଲି ରହିଛନ୍ତି । ଦୁଇ ମାସ ଧରି ପାଉଣା ପାଉନଥିବାବେଳେ କାମ କିନ୍ତୁ ନିୟମିତ ଭାବେ ଜାରି ରଖିଛନ୍ତି । ଏହି କର୍ମଚାରୀମାନେ ବିନା ପାଉଣାରେ କେତେ ଦିନ କାମ କରିବେ ଓ ଅଗାମୀ ଦିନରେ ଏମାନେ କାର୍ଯ୍ୟ କରିବେ କି ନାହିଁ ତାହା ଏବେ ବଡ ପ୍ରଶ୍ନ ହେଲାଣି ।

ରାଜ୍ୟର ବିଭିନ୍ନ ପୌରସଂସ୍ଥାରେ ଚଳାଯାଉଥିବା ଉନ୍ନୟନମୂଳକ କାର୍ଯ୍ୟର ସମ୍ପାଦନ ଓ ତଦାରଖ ପାଇଁ ୬୦୦ରୁ ଅଧିକ କର୍ମଚାରୀ ନିଯୁକ୍ତି ହେଇଛନ୍ତି । ଏମାନେ ବିଭିନ୍ନ ସଂସ୍ଥା ଜରିଆରେ ନିଯୁକ୍ତ ହୋଇଥିବାବେଳେ ସମ୍ପୃକ୍ତ ସଂସ୍ଥାଗୁଡିକ ଏଥିପାଇଁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ସହିତ ରାଜିନାମା କରିଥିଲେ । ତେବେ ଏହି ରାଜିନାମା ୨୦୨୩ ସେପ୍ଟେମ୍ବର ମାସରୁ ସରିଥିବାବେଳେ କାର୍ଯ୍ୟର ଗୁରୁତ୍ୱକୁ ଉପଲବ୍ଧି କରି ସରକାର ୬ମାସ କରି ଦୁଇ ପର୍ଯ୍ୟାୟରେ ଚୁକ୍ତି ଅବଧି ବୃଦ୍ଧି କରିଥିଲେ । ତଦନୁଯାୟୀ ଚଳିତବର୍ଷ ସେପ୍ଟେମ୍ବର ୩୦ ତାରିଖରେ ସମ୍ପ୍ରସାରିତ ଚୁକ୍ତି ଅବଧି ଶେଷ ହୋଇଛି ।

ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟ କରିଥିବା ଏହି ଠିକା କର୍ମଚାରୀମାନେ ଅକ୍ଟୋବର ପ୍ରଥମରେ ସେମାନଙ୍କର ପାଉଣା ପାଇବାକଥା । ହେଲେ ଏମାନଙ୍କର ନିଯୁକ୍ତିଦାତା ଦୁଇଟି ସଂସ୍ଥା ସିଇଡି ଓ ଭେଞ୍ଚର ସେମାନଙ୍କୁ ପାଉଣା ନଦେଇ ବିଭିନ୍ନ ପ୍ରକାର ହିସାବ ମାଗିଥିବା ଜଣାଯାଇଛି । ଏଣେ କିନ୍ତୁ ଏହି ଛଅଶହ କର୍ମଚାରୀ ବିନା ପାଉଣାରେ ଏବେ ବି ପୌରସଂସ୍ଥାଗୁଡିକରେ ପୂର୍ବଭଳି ସେମାନଙ୍କର କାର୍ଯ୍ୟ ଜାରି ରଖିଛନ୍ତି । ତେବେ ଏହା କେତେଦିନ ଜାରି ରହିବ ତାହା ପ୍ରଶ୍ନବାଚୀ ହେଲାଣି । କାରଣ ସହରାଞ୍ଚଳରେ ଘରଭଡା ନେଇ ପିଲାଛୁଆଙ୍କୁ ଧରି ରହୁଥିବା ଏହି ସ୍ୱଳ୍ପ ବେତନଭୋଗୀ କର୍ମଚାରୀମାନେ ବିନା ପାଉଣାରେ କେତେଦିନ ଚଳିବେ ତାହା କହିବା କଷ୍ଟକର ।

ଏଣେ କିନ୍ତୁ ମାଗଣାରେ ଖଟୁଥିବା ଏହି କର୍ମଚାୀମାନେ ଚାକିରି ଛାଡିଦେଲେ ପୌରାଞ୍ଚଳରେ ବିଭିନ୍ନ ପ୍ରକଳ୍ପ ଅଧାରେ ଅଟକିବା ସହିତ ଅଚଳ ହୋଇଯିବ ବୋଲି କେତେ ପୌରସଂସ୍ଥା ନଗର ଉନ୍ନୟନ ବିଭାଗକୁ ଅବଗତ କରିସାରିଲେଣି । ଉଲ୍ଲେଖନୀୟ ଯେ ବିଭିନ୍ନ ପୌରସଂସ୍ଥାରେ ମୁକ୍ତା ସହିତ ଆହାର ଓ ବିଜୁଳି ଏବଂ ଅନେକ ଦାରିଦ୍ର‌୍ୟ ଦୂରୀକରଣ ଯୋଜନା କାର୍ଯ୍ୟକାରୀ ହେଉଛି । ଏଥିରେ ଅନେକ ଯୋଜନା ଦୀର୍ଘମିଆଦୀ ଭିତ୍ତିରେ ସରକାର ଚଳାଉଛନ୍ତି । ଏହିସବୁ କାର୍ଯ୍ୟର ଦାୟିତ୍ୱ ପ୍ରଫେସନାଲମାନଙ୍କ ଉପରେ ରହିଛି ।

ପୌରାଞ୍ଚଳର ବିକାଶ ପାଇଁ ବ୍ୟୟ ହେଉଥିବା ଅର୍ଥର ସିଂହଭାଗ କେନ୍ଦ୍ର ସରକାର ଜାତୀୟ ସହରାଞ୍ଚଳ ଜୀବିକା ମିଶନ (ଏନୟୁଏଲଏମ) ଯୋଜନା ଜରିଆରେ ଯୋଗାଇଥାନ୍ତି । ବର୍ତ୍ତମାନ ଏହି ଯୋଜନାର ଦ୍ୱିତୀୟ ପର୍ଯ୍ୟାୟ ବିଭିନ୍ନ ରାଜ୍ୟକୁ ମଞ୍ଜୁରୀ ହେବ । ତେବେ ଓଡିଶାକୁ ଏ ସଂକ୍ରାନ୍ତୀୟ ଅନୁମତି ପହଞ୍ଚିନଥିବାରୁ ସରକାର ଏକ ପ୍ରକାର ହାତଟେକି ଦେଇଛନ୍ତି । ତେବେ ପୂର୍ବରୁ ଏଭଳି ସ୍ଥିତିରେ ବିଭାଗର ଦକ୍ଷ ଅଧିକାରୀମାନେ କୌଣସି ପ୍ରକାରେ କାମ ଚଳାଇ ନେଉଥିବାବେଳେ ଏବେ କିନ୍ତୁ ବିଚିତ୍ର ସ୍ଥିତି ଉପୁଜିଛି । ଗୋଟିଏ ପଟେ ଛଅଶହ କର୍ମଚାରୀ ବିନା ପାଉଣାରେ ଖଟୁଥିବାବେଳେ ଅନ୍ୟପଟେ ଏହି ପ୍ରକଳ୍ପଗୁଡିକ ସହ ଜଡିତ ଅଧିକାରୀମାନେ କୌଣସି ନିଷ୍ପତ୍ତି ନେଇପାରୁ ନାହାନ୍ତି । ତେଣେ କାମ କରିଥିବା ଦିନର ପାଉଣା ଏହି କର୍ମଚାରୀମାନେ କିଭଳି ପାଇବେ ସେ ନେଇ ମଧ୍ୟ ବିଭାଗ କୌଣସି ପଦକ୍ଷେପ ଗ୍ରହଣ ନକରିବା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି । (ତଥ୍ୟ)