Home Election ଝାଡଖଣ୍ଡ ନିର୍ବାଚନରେ ଓଡିଶାକୁ ଗୁରୁତ୍ୱ

ଝାଡଖଣ୍ଡ ନିର୍ବାଚନରେ ଓଡିଶାକୁ ଗୁରୁତ୍ୱ

ଭୁବନେଶ୍ୱର : ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି ଯେଉଁ ରଣନୀତି ପ୍ରସ୍ତୁତ କରିଛି ସେଥିରେ ଓଡ଼ିଶାକୁ ବିଶେଷ ଗୁରୁତ୍ୱ ଦିଆଯାଉଥିବା ଜଣାପଡିଛି । ଝାଡ଼ଖଣ୍ଡରେ ଥିବା ଓଡ଼ିଆ ଭାଷାଭାଷୀ ଓ ଅନୁସୂଚିତ ଜନଜାତିର ଭୋଟରମାନଙ୍କ ସଂଖ୍ୟା ପ୍ରାୟ ୪୦ ପ୍ରତିଶତ ହୋଇଥିବା ବେଳେ ଓଡ଼ିଶାର ନେତୃତ୍ୱ ଉପରେ କେନ୍ଦ୍ର ବିଜେପି ଭରସା ରଖିଛି ।

ଇତିମଧ୍ୟରେ ଓଡ଼ିଶାରେ ବିଜେପି ସରକାର ଗଢ଼ା ଯାଇଛି ଏବଂ ଆଦିବାସୀ ନେତା ମୋହନ ଚରଣ ମାଝୀଙ୍କୁ ବିଜେପି ମୁଖ୍ୟମନ୍ତ୍ରୀ କରାଇଛି । ନିକଟରେ ଶ୍ରୀ ମାଝୀ ଝାଡ଼ଖଣ୍ଡ ଗସ୍ତରେ ଯାଇ ଚାଇଁବସା ଅଞ୍ଚଳରେ କେତେକ ଦଳୀୟ ସଭା ସମିତିରେ ଯୋଗ ଦେଇଛନ୍ତି । ସେହିପରି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ମଧ୍ୟ ରାଞ୍ôଚ ଗସ୍ତରେ ଯାଇ ଧୂଆଁଧାର ପ୍ରଚାର କରି ଫେରିଛନ୍ତି ।

ବିଶେଷ କରି ଝାଡ଼ଖଣ୍ଡ ସୀମାନ୍ତରେ ଥିବା ଓଡ଼ିଶାର କେନ୍ଦୁଝର, ମୟୂରଭଞ୍ଜ ଓ ସୁନ୍ଦରଗଡ଼ ଜିଲ୍ଲାରେ ଏଥର ବିଜେପି ବଡ଼ ସଫଳତା ହାସଲ କରିଛି । ଏହି ଜିଲ୍ଲାଗୁଡ଼ିକର ସାଂସଦ, ମନ୍ତ୍ରୀ, ବିଧାୟକ, କାର୍ଯ୍ୟକର୍ତ୍ତା ଆଦିଙ୍କ ମଧ୍ୟରୁ କେଉଁମାନଙ୍କୁ ଝାଡ଼ଖଣ୍ଡର କେଉଁ ଅଞ୍ଚଳରେ ନିର୍ବାଚନ ଦାୟିତ୍ୱରେ ରଖାଯିବ ସେଥିଘେନି ମଧ୍ୟ ଦଳର କେନ୍ଦ୍ରୀୟ ନେତୃତ୍ୱ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି । ଏମାନଙ୍କ ବ୍ୟତିତ ଓଡ଼ିଆ ନେତା ଭାବେ ଯେଉଁମାନଙ୍କ ପରିଚିତି ରହିଛି ଏବଂ ସିଂହଭୂମ, ଷଢ଼େଇକଳା, ଖରସୁଆଁ ଆଦି ଅଞ୍ଚଳ ସହ ଯୋଗାଯୋଗ ଅଛି ସେଭଳି ନେତାମାନଙ୍କୁ ମଧ୍ୟ ଓଡ଼ିଆ ଭୋଟରଙ୍କୁ ପ୍ରଭାବିତ କରିବା ଲାଗି ବିଜେପି ବ୍ୟବହାର କରିବ ।

ଏଠାରେ ଉଲ୍ଲେଖନୀୟ ଯେ ଏହି ୩ଜିଲ୍ଲାର ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା, କଂଗ୍ରେସ, ବାମପନ୍ଥୀ ଏମିତିକି ବିଜେଡିର କିଛି ନେତା ମଧ୍ୟ ଝାଡ଼ଖଣ୍ଡ ନିର୍ବାଚନରେ ଇଣ୍ଡି ମେଣ୍ଟ ସପକ୍ଷରେ ପ୍ରଚାର କରିବା ପାଇଁ ସଜବାଜ ହୋଇ ରହିଛନ୍ତି । ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲ୍ଲା ସୀମାନ୍ତକୁ ଲାଗି ଝାଡ଼ଖଣ୍ଡର ଯେଉଁ ୧୮ଟି ବିଧାନସଭା ଆସନ ରହିଛି ସେ ସବୁକୁ ଅକ୍ତିଆର କରିବା ପାଇଁ ବିଜେପି ଆଗ୍ରହୀ । ପୂର୍ବରୁ ରୁଦ୍ର ପ୍ରସନ୍ନ ଷଡ଼ଙ୍ଗୀଙ୍କ ଭଳି ଝାଡ଼ଖଣ୍ଡର ଟାଣୁଆ ଓଡ଼ିଆ ନେତା ବହୁ ବର୍ଷ ଧରି ସାଂସଦ ଥିଲେ ଏବଂ ବସ୍ତୁତଃ ରୁଦ୍ର ହିଁ ଝାଡ଼ଖଣ୍ଡର ଓଡ଼ିଆ ବହୁଳ ଅଞ୍ଚଳରେ ତାଙ୍କ ପତିଆରା ଜାରି ରଖିଥିଲେ । ଡା. ଦୀନେଶ ଷଡ଼ଙ୍ଗୀଙ୍କ ଭଳି ଝାଡ଼ଖଣ୍ଡର ପୂର୍ବତନ ମନ୍ତ୍ରୀ ମଧ୍ୟ ସେଠାକାର ଓଡ଼ିଆ ସମାଜ ସହ ଅଙ୍ଗାଅଙ୍ଗୀ ଭାବେ ଜଡ଼ିତ ।

ଏକଦା ଝାଡ଼ଖଣ୍ଡର ରାଜ୍ୟପାଳ ଥିବା ବିଜେପିର ପୂର୍ବତନ ମନ୍ତ୍ରୀ ଦ୍ରୌପଦୀ ମୁର୍ମୁ ଏବେ ଦେଶର ରାଷ୍ଟ୍ରପତି । ଝାଡ଼ଖଣ୍ଡର ଆଦିବାସୀ ଭୋଟରମାନଙ୍କ ସହ ରାଷ୍ଟ୍ରପତିଙ୍କ ଯେଉଁ ଆବେଗିକ ସମ୍ପର୍କ ରହିଛି ବିଜେପି ସେଥିରୁ ଫାଇଦା ଉଠାଇପାରେ । ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାସ ଏବେ ଓଡ଼ିଶାର ରାଜ୍ୟପାଳ । ଝାଡ଼ଖଣ୍ଡ ନିର୍ବାଚନରେ ଏହା ଓଡ଼ିଆ ଭୋଟରଙ୍କ ଉପରେ ପ୍ରଭାବ ପକାଇବ ବୋଲି ରାଜନୈତିକ ବିଶ୍ଳେଷକମାନେ ଆଶାବ୍ୟକ୍ତ କରିଛନ୍ତି ।

ଏଠାରେ ଉଲ୍ଲେଖନୀୟ ଯେ ଛତିଶଡ଼ ବିଧାନସଭା ନିର୍ବାଚନ ବେଳକୁ ସେଠାରେ ରାଜ୍ୟପାଳ ଥିଲେ ଓଡ଼ିଶାର ପୂର୍ବତନ ମନ୍ତ୍ରୀ ବିଶ୍ୱଭୂଷଣ ହରିଚନ୍ଦନ । ତାଙ୍କ ଉପସ୍ଥିତି ସେଠାକାର ଓଡ଼ିଆ ଭୋଟରମାନଙ୍କୁ ବିଜେପି ଆଡକୁ ଟାଣିବାରେ ସମର୍ଥ ହୋଇଥିଲା । ଏହାଛଡ଼ା ଛତିଶଗଡ଼ ସୀମାନ୍ତବର୍ତ୍ତୀ ଓଡ଼ିଶାର ବିଭିନ୍ନ ଅଞ୍ଚଳର ବହୁ ବିଜେପି ନେତା ଓ କର୍ମୀ ସେଠାକାର ବିଧାନସଭା ନିର୍ବାଚନ ବେଳେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ । ଏଥର ମଧ୍ୟ ଝାଡ଼ଖଣ୍ଡ ନିର୍ବାଚନରେ ଓଡ଼ିଶାର ସହସ୍ରାଧିକ ନେତା ଓ କର୍ମୀଙ୍କୁ ସାମିଲ କରିବା ପାଇଁ ଯୋଜନା ହୋଇଥିବା ଜଣାପଡିଛି । (ତଥ୍ୟ)