Home Education ତମାଖୁ ବିରୁଦ୍ଧରେ ରଣହୁଙ୍କାର

ତମାଖୁ ବିରୁଦ୍ଧରେ ରଣହୁଙ୍କାର

ଭୁବନେଶ୍ୱର : ପ୍ରଦେଶ ଛାତ୍ର କଂଗ୍ରେସ ଆଜି ଶିକ୍ଷାନୁଷ୍ଠାନ ନିକଟରେ ତମାଖୁ ବିକ୍ରି ବନ୍ଦ ପାଇଁ ରଣହୁଙ୍କାର ଦେଇଛି । ସରକାର ତୁରନ୍ତ ଏହାକୁ ବନ୍ଦ ନକଲେ ଛାତ୍ର କଂଗ୍ରେସ ବନ୍ଦ କରିଦେବ ବୋଲି କହିଛନ୍ତି ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ।

ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ସଂସଦରେ ନିର୍ଦ୍ଦିଷ୍ଟ ଆଇନ ପାରିତ ହେଲାପରେବି ଶିକ୍ଷାନୁଷ୍ଠାନ ନିକଟରେ ବେଲଗାମ ତମାଖୁ ସାମଗ୍ରୀ ବିକ୍ରୀ ଚାଲିଛି । ପ୍ରଶାସନ ପକ୍ଷରୁ ଏ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହେଉନାହିଁ । ସଂସଦରେ କୋଟପା ଆଇନ ପାରିତ ହେଲାପରେ ନିର୍ଦ୍ଦିଷ୍ଟ ନୀତି ନିଦ୍ଧାରଣ ହେଲା ଯେ ଶିକ୍ଷାନୁଷ୍ଠାନର ୧୦୦ ମିଟର ପରିସୀମା ଭିତରେ ତମାଖୁ ସାମଗ୍ରୀ ବିକ୍ରୀ କରାଯାଇ ପାରିବ ନାହିଁ ।

ସେଥିପାଇଁ ସିଗାରେଟ ଏବଂ ଅନ୍ୟ ତମାଖୁ ଉତ୍ପାଦନ ଆଇନ ପ୍ରଚଳନ ହେଲା । ସେହି ଆଇନରେ ଉଲ୍ଲେଖ ହୋଇଛି ଯେ ପୋଲିସ ସବଇନସପ୍ଟେର ବା ତଦୁର୍ଦ୍ଧ ପାହ୍ୟାର ଅଫିସର, ରାଜ୍ୟ ଖାଦ୍ୟ କିମ୍ବା ଡ୍ରଗ୍ସ ଆଡ଼ିମିନଷ୍ଟ୍ରେସନର ଅଫିସରମାନେ ଏହି ବିକ୍ରୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇପାରିବେ । ଶିକ୍ଷାନୁଷ୍ଠାନ ସୀମା ଠାରୁ ୧୦୦ ମିଟର ପରିସରରେ ତମାଖୁ ବିକିଲେ ତତ୍‌କ୍ଷଣାତ ୨୦୦ ଟଙ୍କା ଜୋରିମାନା ସହିତ ଅନ୍ୟ ଦଣ୍ଡବିଧାନ ରହିଛି । ଅନ୍ୟପକ୍ଷରେ ଯେଉଁମାନେ ସେହି ୧୦୦ ମିଟର ପରିସର ଭିତରେ ତମାଖୁର ପ୍ରଚାର କରିବେ ସେମାନଙ୍କୁ ଦୁଇ ବର୍ଷରୁ ୫ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ବା ୧୦୦୦ ରୁ ୫୦୦୦ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ରହିଛି ।

ଏବେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗଙ୍କ ପକ୍ଷରୁ ନିଶାମୁକ୍ତ କ୍ୟାମ୍ପସ ପାଇଁ ଚିନ୍ତା ପ୍ରକଟ କରାଯାଇଛି । ଗ୍ଲୋବାଲ ୟୁଥ ତମାଖୁ ସର୍ଭେ-୨୦୧୯ ରିପୋର୍ଟରେ ଦର୍ଶାଯାଇଛି ଯେ ଭାରତରେ ପ୍ରତିବର୍ଷ ଚିନ୍ତାଜନକ ଭାବେ ନୂଆ ପିଲା ନିଶା ସେବନ କରୁଛନ୍ତି । ଯେଉଁମାନେ ଏହି ନିଶା ସହ ଅଭ୍ୟସ୍ତ ସେଥିରୁ ୫୫ ପ୍ରତିଶତ ୨୦ ବର୍ଷରୁ କମ ପିଲା । ଏହି ରିପୋର୍ଟ ଅନୁସାରେ ୮.୫ ପ୍ରତିଶତ ସ୍କୁଲ ପିଲା ନିୟମିତ ନିଶାସେବନ କରୁଛନ୍ତି । ୨୦୨୧ ରେ ତମାଖୁ ସେବନ କାରଣରୁ ଦେଶରେ ୧ ନିୟୁତ ଲୋକ ମରୁଛନ୍ତି । ଯାହାକି ସମୁଦାୟ ମୃତ୍ୟୁ ସଂଖ୍ୟାର ୧୭.୮ ପ୍ରତିଶତ ।

ତେଣୁ ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ନିଷ୍ପତି ନିଆଯାଇଛି ଯେ ସବୁ କ୍ୟାମ୍ପସରେ ଏକ ସ୍ୱତନ୍ତ୍ର ଟିମ କରାଯାଇ ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ଶିକ୍ଷାନୁଷ୍ଠାନର ସୀମା ଠାରୁ ୧୦୦ ମିଟର ପରିସରରେ ଥିବା ତମାଖୁ ବିକ୍ରୀକୁ ବିରୋଧ କରାଯିବ ଏବଂ ଏହାର ବିଜ୍ଞାପନକୁ ହଟେଇ ଦିଆଯିବ । ଏଠାରେ ତମାଖୁ ସମ୍ପର୍କିତ ବିଜ୍ଞାପନ ଦେଉଥିବା କମ୍ପାନୀଙ୍କୁ ସର୍ତକ କରାଇ ଦିଆଯାଉଛି ଯେ ସେମାନେ ତୁରନ୍ତ ଶିକ୍ଷାନୁଷ୍ଠାନ ନିକଟରୁ ସେମାନଙ୍କର ବିଜ୍ଞାପନ ଗୁଡ଼ିକୁ ହଟେଇ ନିଅନ୍ତୁ ।

ପ୍ରଶାସନକୁ ମଧ୍ୟ ଅନୁରୋଧ କରାଯାଉଛି ଯେ ଏହି ଆଇନକୁ ପ୍ରଶାସନ କଡ଼ାକଡ଼ି ଭାବରେ ପାଳନ କରନ୍ତୁ । ଯଦି ୭୨ ଘଣ୍ଟା ମଧ୍ୟରେ ପ୍ରଶାସନ କୌଣସି ପଦକ୍ଷେପ ନନିଅନ୍ତି ତେବେ ଛାତ୍ର କଂଗ୍ରେସ ଛାତ୍ରମାନଙ୍କୁ ବୃହତର ସ୍ୱାର୍ଥ ଦୃଷ୍ଟିରୁ ତୁରନ୍ତ ଶିକ୍ଷାନୁଷ୍ଠାନ ସମ୍ମୁଖରେ ଆନ୍ଦୋଳନ କରିବା ସହ ଛାତ୍ର କଂଗ୍ରେସ ପକ୍ଷରୁ ସିଧାସଳଖ ତମାଖୁ ବିକ୍ରୀ ଏବଂ ବିଜ୍ଞାପନ ଗୁଡ଼ିକୁ ହଟାଇ ଦିଆଯିବ । ଏହି ସାମ୍ବାଦିକ ସମ୍ମିଳନୀରେ କାର୍ତିକେଶ୍ୱର କାଣ୍ଡି, ଭାଗ୍ୟଶ୍ରୀ ମହାନ୍ତି ଉପସ୍ଥିତ ଥିଲେ ।