Home Administration ପୂଜାରେ ଦରମା ପାଇଲେନି ୬ଶହ କର୍ମଚାରୀ

ପୂଜାରେ ଦରମା ପାଇଲେନି ୬ଶହ କର୍ମଚାରୀ

ଭୁବନେଶ୍ୱର : ଗୃହ ର୍ନିମାଣ ଓ ନଗର ଉନ୍ନୟନ ବିଭାଗ ଅଧିନରେ ଥିବା ପୌରସଂସ୍ଥା ଓ ବିଭିନ୍ନ ପ୍ରକଳ୍ପରେ କାର୍ଯ୍ୟରତ ୬ଶହରୁ ଅଧିକ ଠିକା କର୍ମଚାରୀ (ପ୍ରଫେସନାଲ) ପୂଜାରେ ନିଜର ପାଉଣା ଗଣ୍ଡାକ ପାଇଲେ ନାହିଁ । ଏମାନଙ୍କୁ ଯୋଗାଇଥିବା କମ୍ପାନୀ ସହିତ ସରକାରଙ୍କ ଚୁକ୍ତିନାମା ନବୀକରଣ ହେଉନଥିବାରୁ ବିଭାଗ ଦ୍ୱାରା ଚଳାଯାଉଥିବା ବିଭିନ୍ନ କାର୍ଯ୍ୟ କିଭଳି ସମ୍ପାଦନ ହେବ ତାହା ଚିନ୍ତାର ବିଷୟ ପାଲଟିଛି ।

ରାଜ୍ୟର ବିଭିନ୍ନ ମହାନଗର ନିଗମ, ମ୍ୟୁନିସିପାଲିଟି ଓ ଏନ୍‍ଏସିରେ ବିଭାଗ ଦ୍ୱାରା ଚଳାଯାଉଥିବା ବିଭିନ୍ନ କାର୍ଯ୍ୟର ସମ୍ପାଦନ ଓ ତଦାରଖ ପାଇଁ ୬୦୦ରୁ ଅଧିକ କର୍ମଚାରୀ ନିଯୁକ୍ତି ହେଇଛନ୍ତି । ଏମାନେ ବିଭିନ୍ନ ସଂସ୍ଥା ଜରିଆରେ ନିଯୁକ୍ତ ହୋଇଥିବାବେଳେ ସମ୍ପୃକ୍ତ ସଂସ୍ଥାଗୁଡିକ ଏଥିପାଇଁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ସହିତ ରାଜିନାମା କରିଥିଲେ । ତେବେ ଏହି ରାଜିନାମା ୨୦୨୩ ସେପ୍ଟେମ୍ବର ମାସରୁ ସରିଥିବାବେଳେ କାର୍ଯ୍ୟର ଗୁରୁତ୍ୱକୁ ଉପଲବ୍ଧି କରି ସରକାର ୬ମାସ କରି ଦୁଇ ପର୍ଯ୍ୟାୟରେ ଚୁକ୍ତି ଅବଧି ବୃଦ୍ଧି କରିଥିଲେ ।

ତଦନୁଯାୟୀ ଚଳିତବର୍ଷ ସେପ୍ଟେମ୍ବର ୩୦ ତାରିଖରେ ସମ୍ପ୍ରସାରିତ ଚୁକ୍ତି ଅବଧି ଶେଷ ହୋଇଛି । ବର୍ତ୍ତମାନ ଏହି ଛଅଶହ କର୍ମଚାରୀ ବିଭିନ୍ନ ପୌରାଞ୍ଚଳ ଓ ପ୍ରକଳ୍ପରେ କାର୍ଯ୍ୟ କରୁଥିବାବେଳେ ସେମାନଙ୍କୁ କିନ୍ତୁ ପାଉଣା ମିଳୁନାହିଁ । ଏପରିକି ପୂଜା ସମୟରେ ମଧ୍ୟ ସେମାନେ ସେପ୍ଟେମ୍ବର ମାସର ପାଉଣା ପାଇନାହାନ୍ତି । ଯେହେତୁ ରାଜ୍ୟ ସରକାର ଏହି କର୍ମଚାରୀଙ୍କ ସଂକ୍ରାନ୍ତରେ କୌଣସି ନିଷ୍ପତ୍ତି ନେଇପାରୁ ନାହାନ୍ତି ଓ ସେମାନଙ୍କୁ ଯୋଗାଇଥିବା ସଂସ୍ଥା ସହିତ ଚୁକ୍ତିନାମା କରୁନାହାନ୍ତି ତେଣୁ ଏମାନଙ୍କ ନିଯୁକ୍ତିର ଆଉ କୌଣସି ବୈଧତା ନାହିଁ ।

ହେଲେ ପୌରସଂସ୍ଥା ଗୁଡିକରେ ଚାଲୁ ରହିଥିବା ବିଭିନ୍ନ ଯୋଜନା ଓ ପ୍ରକଳ୍ପରେ ପୂର୍ବବତ୍‍ କାର୍ଯ୍ୟ ଜାରି ରଖିଛନ୍ତି । ଉଲ୍ଲେଖନୀୟ ଯେ ବିଭିନ୍ନ ପୌରସଂସ୍ଥାରେ ମୁକ୍ତା ସହିତ ଆହାର ଓ ବିଜୁଳି ଏବଂ ଅନେକ ଦାରିଦ୍ର‌୍ୟ ଦୂରୀକରଣ ଯୋଜନା କାର୍ଯ୍ୟକାରୀ ହେଉଛି । ଏଥିରେ ଅନେକ ଯୋଜନା ଦୀର୍ଘମିଆଦୀ ଭିତ୍ତିରେ ସରକାର ଚଳାଉଛନ୍ତି । ଯୋଜନାଗୁଡିକ ସହିତ ସାଧାରଣ ଲୋକେ ଦୈନନ୍ଦିନ ଜଡିତ ଥିବାରୁ ଏହାକୁ ଚଳାଇ ରଖିବାକୁ ସରକାର ଏକ ପ୍ରକାର ବାଧ୍ୟ ।

ବର୍ତ୍ତମାନ ସରକାରୀ ବିଭାଗ କିମ୍ବା ପୌରସଂସ୍ଥାରେ ଏହିସବୁ ଯୋଜନା ଓ ପ୍ରକଳ୍ପକାର୍ଯ୍ୟ ଚଳାଇ ରଖିବାପାଇଁ ପ୍ରଫେସନାଲମାନଙ୍କର ଏକାନ୍ତ ଆବଶ୍ୟକ ହୋଇଥିବାବେଳେ ବିନା ନିଯୁକ୍ତି ବୈଧତାରେ ୬ଶହରୁ ଉର୍ଦ୍ଧ୍ୱ କର୍ମଚାରୀ କାର୍ଯ୍ୟ ଚଳାଇଛନ୍ତି । ପୂଜା ସମୟରେ ସରକାର କର୍ମଚାରୀଙ୍କ ପାଇଁ ବିଭିନ୍ନ ଯୋଜନା ଘୋଷଣା କରୁଥିବାବେଳେ ଖୋଦ୍‍ ସରକାରୀ କାର୍ଯ୍ୟର ସୁପରିଚାଳନା କରୁଥିବା କର୍ମଚାରୀ ସେମାନଙ୍କର ପାଉଣା ନପାଇବା ଏବେ ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି । ସେହିଭଳି ଯୋଜନା ଚଳାଇ ରଖିବାପାଇଁ ଏମାନଙ୍କ ନିଶ୍ଚିତ ଆବଶ୍ୟକ ଥିବାବେଳେ ସରକାର ତୁରନ୍ତ ନିଷ୍ପତ୍ତି ନେବାକୁ ମଧ୍ୟ ମତପ୍ରକାଶ ପାଉଛି । ନହେଲେ ପୌରସଂସ୍ଥାଗୁଡିକରେ ବିକାଶ ଓ ଦାରିଦ୍ର‌୍ୟ ଦୂରୀକରଣ କାର୍ଯ୍ୟ ଖୁବ୍‍ଶୀଘ୍ର ଅଚଳ ହୋଇଯିବାର ଆଶଙ୍କା ଉପୁଜିଲାଣି । (ତଥ୍ୟ)