Home Health କାମ କରିପାରୁ ନାହାନ୍ତି ଡାକ୍ତର

କାମ କରିପାରୁ ନାହାନ୍ତି ଡାକ୍ତର

ଭୁବନେଶ୍ୱର : ରାଜ୍ୟର ସରକାରୀ ଡାକ୍ତରଖାନାଗୁଡିକରେ ପାଖାପାଖି ୬୦ ପ୍ରତିଶତ ଡାକ୍ତର ପଦବୀ ଖାଲି ପଡିଥିବା ଯୋଗୁଁ ରୋଗୀସେବା ବ୍ୟାହତ ହୋଇଥିବାବେଳେ ପ୍ରଶାସନିକ ତ୍ରୁଟି ଯୋଗୁଁ ଅନେକ ଡାକ୍ତର ଚାକିରିରେ ଥାଇ ମଧ୍ୟ କାର୍ଯ୍ୟକ୍ଷେତ୍ରରେ ଯୋଗଦେଇ ପାରୁନାହାନ୍ତି ।

ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରୁ ଜିଲ୍ଲା ସଦର ମହୁକୁମା ଡାକ୍ତରଖାନା ପର୍ଯ୍ୟନ୍ତ ବିଭିନ୍ନ ଚିକିତ୍ସାଳୟ ଲାଗି ୧୫,୭୭୪ଟି ମଞ୍ଜୁରୀପ୍ରାପ୍ତ ଡାକ୍ତର ପଦବୀ ରହିଥିବାବେଳେ ସରକାରୀ ତଥ୍ୟ ମୁତାବକ ସେଥିରୁ ୯୨୬୮ଟି ଖାଲି ପଡିଛି ଏବଂ ଅବଶିଷ୍ଟ ୬୫୦୬ ଜଣ ଡାକ୍ତର ଚାକିରିରେ ଅଛନ୍ତି ବୋଲି କୁହାଯାଉଛି । କିନ୍ତୁ ବାସ୍ତବରେ ଏହି ୬୫୦୬ ଜଣ ଡାକ୍ତରଙ୍କ ମଧ୍ୟରୁ କେତେକ ଇଚ୍ଛାକୃତ ଭାବେ କାର୍ଯ୍ୟକ୍ଷେତ୍ରରେ ଯୋଗ ନଦେଇ ଘରୋଇ ବେପାରରେ ମାତିଥିବାବେଳେ ଆଉ କେତେକ କାମ କରିବାକୁ ଚାହୁଁଥିଲେ ମଧ୍ୟ ତ୍ରୁଟିପୂର୍ଣ୍ଣ ସରକାରୀ ଆଦେଶନାମା ଯୋଗୁଁ ମାସ ମାସ ଧରି ଡାକ୍ତରଖାନାରେ କାମ କରିବାର ସୁଯୋଗରୁ ବଞ୍ଚିତ ହେଉଛନ୍ତି ।

ଏଭଳି ଡାକ୍ତରମାନେ ସରକାରୀ ଆଦେଶ ମୁତାବକ ସେମାନଙ୍କୁ ନିଯୁକ୍ତି ସ୍ଥାନରେ ଯୋଗଦେବା ଲାଗି ବାରମ୍ବାର ଗୁହାରୀ କରୁଥିଲେ ମଧ୍ୟ ବିଭିନ୍ନ ଆଳ ଦେଖାଇ କର୍ତ୍ତୃପକ୍ଷ ଠିକଣା ନିଷ୍ପତ୍ତି ନେଇପାରୁନଥିବାରୁ ଏଭଳି ଡାକ୍ତରମାନେ ମାସ ମାସ ଧରି ବାହାରେ ବୁଲୁଛନ୍ତି । ଯେତେବେଳେ କର୍ତ୍ତୃପକ୍ଷ ନିଜର ତ୍ରୁଟି ସଂଶୋଧନ କରୁଛନ୍ତି ସେତେବେଳେ ଓଲୁକର ଗଣିଲା ଭଳି ସମ୍ପୃକ୍ତ ଡାକ୍ତରମାନଙ୍କୁ କାମରୁ ବଞ୍ଚିତ ଥିବା ସମୟର ବେତନ ଦେବାକୁ ବାଧ୍ୟ ହେଉଛନ୍ତି ।

ନିକଟରେ ଏଭଳି ଏକ ରୋଚକ ଘଟଣା ସ୍ୱାସ୍ଥ୍ୟ ବିଭାଗ କର୍ତ୍ତୃପକ୍ଷଙ୍କ ଦୃଷ୍ଟିକୁ ଆସିଛି । ପ୍ରାୟ ନଅମାସ ତଳେ ନୟାଗଡ ଜିଲ୍ଲାରେ କାର୍ଯ୍ୟରତ ଜଣେ ମହିଳା ଡାକ୍ତରଙ୍କୁ ଖୋରଧା ଜିଲ୍ଲାକୁ ବଦଳି କରାଯାଇଥିଲା । ସ୍ୱାସ୍ଥ୍ୟ ବିଭାଗର ଆଦେଶ ପାଇଲା ମାତ୍ରେ ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ସମ୍ପୃକ୍ତ ଡାକ୍ତରାଣୀଙ୍କୁ ରିଲିଭ କରିଦେଇଥିଲେ ଏବଂ ତାଙ୍କ ସ୍ଥାନରେ ବଦଳିହୋଇ ଆସିଥିବା ଅନ୍ୟଜଣେ ଡାକ୍ତର ଯୋଗ ଦେଇଥିଲେ । ସମ୍ପୃକ୍ତ ଡାକ୍ତରାଣୀ ନୟାଗଡ ଜିଲ୍ଲାରୁ ରିଲିଭ ହେବାର ପରଦିନ ଖୋରଧା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ନିକଟରେ ତାଙ୍କ ଯୋଗଦାନ ରିପୋର୍ଟ ଦେଇଥିଲେ ।

ସେତେବେଳେ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତରାଣୀଙ୍କୁ କହିଥିଲେ ଯେ ଯେଉଁସ୍ଥାନକୁ ତାଙ୍କୁ ସ୍ୱାସ୍ଥ୍ୟ ବିଭାଗ ବଦଳି କରିଛି ସେଠାରେ ଅନ୍ୟଜଣେ ଡାକ୍ତରାଣୀ କାର୍ଯ୍ୟରତ ଅଛନ୍ତି । ତେଣୁ ଏ ସଂକ୍ରାନ୍ତରେ ସ୍ୱାସ୍ଥ୍ୟ ବିଭାଗରୁ ନିର୍ଦ୍ଦିଷ୍ଟ ସ୍ପଷ୍ଟିକରଣ ନମିଳିବା ପର୍ଯ୍ୟନ୍ତ ତାଙ୍କୁ କାର୍ଯ୍ୟରେ ଯୋଗ ଦିଆଯାଇ ପାରିବନାହିଁ । ଏଭଳି ସ୍ଥିତି ସମ୍ପୃକ୍ତ ଡାକ୍ତରାଣୀ ଜଣଙ୍କ ସ୍ୱାସ୍ଥ୍ୟ ସଚିବଙ୍କ ସମେତ ଅନ୍ୟ ଅଧିକାରୀଙ୍କ ନିକଟରେ ବାରମ୍ବାର ଗୁହାରୀ କରିଆସୁଥିଲେ ମଧ୍ୟ ତାଙ୍କୁ ଠିକଣା ସମୟରେ ଡାକ୍ତରଖାନାରେ କାମ ଦିଆଯିବ ଓ ସେ ପର୍ଯ୍ୟନ୍ତ ସମସ୍ତ ବେତନ ସେ ପାଇବେ ବୋଲି କେବଳ ଆଶ୍ୱାସନା ଦିଆ ଚାଲିଛି । ନିର୍ବାଚନୀ କଟକଣା ଯୋଗୁଁ ତାଙ୍କ ସମସ୍ୟାର ସମାଧାନ ହୋଇପାରିନଥିବାବେଳେ ନୂଆ ସରକାର ଅମଳରେ ବି ସମ୍ପୃକ୍ତ ଡାକ୍ତରାଣୀ ଜଣଙ୍କ କାର୍ଯ୍ୟକ୍ଷେତ୍ରରେ ଯୋଗ ଦେବାପାଇଁ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଅନୁରୋଧ କରୁଛନ୍ତି ।

ତେବେ ଜଣେ ବରିଷ୍ଠ ଅଧିକାରୀ ଏହି ସମସ୍ୟାକୁ ସ୍ୱୀକାର କରିବା ସହିତ ଖୁବଶୀଘ୍ର ସମାଧାନ ହେବବୋଲି ଆଶାବ୍ୟକ୍ତ କରିଛନ୍ତି । ଗୋଟିଏ ପଟେ ରାଜ୍ୟରେ ପାଖପାଖି ୬୦ ପ୍ରତିଶତ ଡାକ୍ତର ପଦବୀ ଖାଲି ପଡିଥିବାବେଳେ ଚାକିରିରେ ଥାଇ କାମ କରିବାକୁ ଚାହୁଁଥିବା କିଛି ଡାକ୍ତରଙ୍କୁ ତ୍ରୁଟିପୂର୍ଣ୍ଣ ପ୍ରଶାସନିକ ନିଷ୍ପତ୍ତି ଯୋଗୁଁ ରୋଗୀସେବାରୁ ବଞ୍ଚିତ କରାଯାଉଥିବା ଜଣାପଡିଛି । (ତଥ୍ୟ)