Home General ପୁଞ୍ଜି ଆକର୍ଷଣ କରୁଛି ଜମି ସଂରକ୍ଷଣ

ପୁଞ୍ଜି ଆକର୍ଷଣ କରୁଛି ଜମି ସଂରକ୍ଷଣ

ଭୁବନେଶ୍ୱର : ରାଜ୍ୟରେ ପୁଞ୍ଜି ନିବେଶ ପାଇଁ ସରକାର ପୁଞ୍ଜିପତିମାନଙ୍କୁ ନିମନ୍ତ୍ରଣ କରୁଥିବାବେଳେ ସରକାରଙ୍କ ହାତରେ ଏବେ ଶିଳ୍ପ ପାଇଁ ୧୪ହଜାର ଏକରରୁ ଅଧିକ ଜମି ରହିଛି । ଏହା ଶିଳ୍ପ ପ୍ରତିଷ୍ଠାକୁ ଅଧିକ ସହଜ କରିବା ସହିତ ଶିଳ୍ପପତିମାନଙ୍କୁ ଆକୃଷ୍ଟ କରିବ ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି ।

ଶିଳ୍ପ ପ୍ରତିଷ୍ଠା ପାଇଁ ବିଭିନ୍ନ ସଂସ୍ଥାମାନଙ୍କ ସହିତ ରାଜିନାମା ସ୍ୱାକ୍ଷର ପରେ ଜମି ଅଧିଗ୍ରହଣ କରିବା କଷ୍ଟକର ବ୍ୟାପାର ହେବାପରେ ସରକାର ଏବେ ଆଗୁଆ ବିଭିନ୍ନ ଜିଲ୍ଲାରେ ଜମି ଅଧିଗ୍ରହଣ କରି ତାହାକୁ ଶିଳ୍ପ ପାଇଁ ସଂରକ୍ଷଣ କରି ରଖୁଛନ୍ତି । କାରଣ ରାଜିନାମା ପରେ ଲୋକେ ଶିଳ୍ପ ପ୍ରତିଷ୍ଠାକୁ କଡା ବିରୋଧ ସହିତ କମ୍ପାନୀମାନଙ୍କ ଠାରୁ ଅଧିକରୁ ଅଧିକ କ୍ଷତିପୂରଣ ଆଶା କରୁଛନ୍ତି । ଯେଉଁଥିପାଇଁ ଓଡିଶା ଆସିଥିବା ସର୍ବବୃହତ୍‍ ପ୍ରକଳ୍ପ ପୋସ୍କୋ ଏଠାରୁ ପଳାଇବାର ନଜିର ରହିଛି । ତେଣୁ ଶିଳ୍ପସଂସ୍ଥାଗୁଡିକ ଯେଭଳି ଭବିଷ୍ୟତରେ ଜମି ପାଇଁ କୌଣସି ସମସ୍ୟାର ସମ୍ମୁଖୀନ ନହେବେ ସେ ଦିଗରେ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି ।

ତଦନୁଯାୟୀ ରାଜ୍ୟର ୨୮ ଟି ଜିଲ୍ଲାରେ ଓଡିଶା ଶିଳ୍ପ ଭିତ୍ତିଭୂମି ଉନ୍ନୟନ ନିଗମ (ଇଡ୍‍କୋ) ୧୪,୨୩୦ ଏକର ଜମି ଅଧିଗ୍ରହଣ କରି ରଖି ସାରିଲାଣି । ଏବେ ବି ବିଭିନ୍ନ ଜିଲ୍ଲାରେ ଜମି ଅଧିଗ୍ରହଣ ଜାରି ରହିଛି । ତେବେ ଇଡ୍‍କୋ ହାତରେ ଥିବା ଜମି ମଧ୍ୟରୁ ସର୍ବାଧିକ ୪୬୧୩ ଏକର ଯାଜପୁରରେ ରହିଛି । ଏହି ଜିଲ୍ଲାରେ ବିଭିନ୍ନ ପ୍ରକାର ଖଣି ଖାଦାନ ସହିତ ଟାଟା ଭଳି କମ୍ପାନୀ ଶିଳ୍ପ ପ୍ରତିଷ୍ଠା ପରେ ଅନ୍ୟାନ୍ୟ ଶିଳ୍ପ ପୁଞ୍ଜି ନିବେଶ ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି । ସେହିଭଳି ଜଗତ୍‍ସିଂହପୁର ଜିଲ୍ଲାରେ ୧୫୮୪ ଏକର, କଟକରେ ୮୦୦ ଏକର, ସମ୍ବଲପୁରରେ ୬୭୧ ଏକର, ବୌଦ୍ଦରେ ୫୬୮ଏକର, ଭଦ୍ରକରେ ୪୮୭ଏକର, ବାଲେଶ୍ୱରରେ ୪୧୫ଏକର ଜମି ଶିଳ୍ପ ପାଇଁ ପ୍ରସ୍ତୁତ ହୋଇ ରହିଛି । ତେବେ କନ୍ଧମାଳ ଓ ନବରଙ୍ଗପୁର ଜିଲ୍ଲାରେ ଇଡ୍‍କୋ କୌଣସି ଜମି ଅଧିଗ୍ରହଣ କରିନଥିବା ଜଣାଯାଇଛି ।

ରାଜ୍ୟର ବିଭିନ୍ନ ଜିଲ୍ଲାରେ ଜମି ଅଧିଗ୍ରହଣ ସହିତ ସେହିସବୁ ସ୍ଥାନକୁ ସଡକ ଓ ରେଳ ସଂଯୋଗ ଉପରେ ଗୁରୁତ୍ୱ ଦିଆଯାଉଛି । ବିଶେଷକରି ଶିଳ୍ପପାଇଁ ସଂରକ୍ଷିତ ଜମିକୁ ନିକଟସ୍ଥ ବନ୍ଦର, ରେଳପଥ ଓ ଜାତୀୟ ରାଜପଥ ସହିତ ସଂଯୋଗ ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି । କାରଣ ପୁଞ୍ଜି ନିବେଶ ପାଇଁ ଆଗେଇ ଆସୁଥିବା ଶିଳ୍ପସଂସ୍ଥାଗୁଡିକ ଜମି ସହିତ ଯୋଗାଯୋଗ ଭିତ୍ତିଭୂମି ଉପରେ ଗୁରୁତ୍ୱ ଦେଉଛନ୍ତି ।

ଇତି ମଧ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଦଳ ବଳ ସହିତ ନୂଆଦିଲ୍ଲୀ ଠାରେ ଦଶରୁ ଅଧିକ ଦେଶର ରାଷ୍ଟ୍ରଦୂତମାନଙ୍କୁ ଭେଟିବା ସହିତ ଓଡିଶାରେ ପୁଞ୍ଜି ନିବେଶ ପାଇଁ ଆମନ୍ତ୍ରିତ କରିଛନ୍ତି । ସେମାନେ ସକରାତ୍ମକ ମନୋଭାବ ପୋଷଣ କରିଥିବାବେଳେ ଆଗାମୀ ବର୍ଷ ପ୍ରାରମ୍ଭରେ ଓଡିଶାରେ ଉତ୍କର୍ଷ ଓଡିଶା ସମ୍ମିଳନୀ ଆୟୋଜନ ପାଇଁ ସ୍ଥିର ହୋଇଛି । ଇତି ମଧ୍ୟରେ ଉତ୍କର୍ଷ ଓଡିଶାର ଲୋଗୋ ଉନ୍ମୋଚନ ହୋଇସାରିଛି । ଯେହେତୁ ସରକାରଙ୍କ ହାତରେ ପର୍ଯ୍ୟାପ୍ତ ଜମି ରହିଛି ଏବଂ ରାଜ୍ୟରେ ଖଣି ଖାଦାନ ସହିତ ବିଜୁଳି ଓ ପାଣିର ପର୍ଯ୍ୟାପ୍ତ ଭଣ୍ଡାର ରହିଛି ତେଣୁ ଉତ୍କର୍ଷ ଓଡିଶା ଆୟୋଜନ ସମୟରେ ଅଧିକରୁ ଅଧିକ ପୁଞ୍ଜିପତି ଏଠାକୁ ଆସି ରାଜ୍ୟ ସରକାରଙ୍କ ସହିତ ରାଜିନାମା ସ୍ୱାକ୍ଷର କରିବେ ବୋଲି କର୍ତ୍ତୃପକ୍ଷ ଆଶା ରଖିଛନ୍ତି । (ତଥ୍ୟ)