Home General ନକ୍ସଲ ପ୍ରଭାବିତ ଅଞ୍ଚଳ ପାଇଁ ଗ୍ରାମୋଦୟ

ନକ୍ସଲ ପ୍ରଭାବିତ ଅଞ୍ଚଳ ପାଇଁ ଗ୍ରାମୋଦୟ

ଭୁବନେଶ୍ୱର : ବାମପନ୍ଥୀ ନକ୍ସଲବାଦ ଦ୍ୱାରା ପ୍ରଭାବିତ ଅଞ୍ଚଳଗୁଡିକର ସାମଗ୍ରିକ ଉନ୍ନତି ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ‘ଗ୍ରାମୋଦୟ’ର ଆରମ୍ଭ କରାଯାଇଛି । ନକ୍ସଲ ପ୍ରଭାବିତ ୧୦ଟି ଜିଲ୍ଲାର ୫୮୩ଟି ଗ୍ରାମର ଜନସାଧାରଣଙ୍କଠାରେ ଯେଭଳି ସମସ୍ତ ସରକାରୀ ଯୋଜନାର ପରିପୂର୍ଣ୍ଣତା ଭିତ୍ତିରେ ଶତପ୍ରତିଶତ ସୁବିଧା ପହଞ୍ଚାଯାଇ ପାରିବ, ସେଥି ପାଇଁ ରାଜ୍ୟ ସରକାର ସମସ୍ତ ବିଭାଗକୁ ଏକାଭିମୁଖୀକରି ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ଏହାର ତଦାରଖ କରିବା ପାଇଁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ରାଜ୍ୟ ସ୍ତରୀୟ ପର୍ଯ୍ୟବେକ୍ଷଣ କମିଟି କାର୍ଯ୍ୟ କରିବ ।

ବାମପନ୍ଥୀ ନକ୍ସଲବାଦ ଦ୍ୱାରା ପ୍ରଭାବିତ ବରଗଡ଼, ବଲାଙ୍ଗିର, କଳାହାଣ୍ଡି, ବୌଦ୍ଧ, କନ୍ଧମାଳ, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା ଓ ରାୟଗଡା ଆଦି ରାଜ୍ୟର ଦଶଟି ଜିଲ୍ଲାର ୫୮୩ ଟି ଗ୍ରାମରେ ସମସ୍ତ ସରକାରୀ ଯୋଜନାର ଶତପ୍ରତିଶତ ସୁବିଧା ପହଞ୍ଚାଇବା ପାଇଁ ରାଜ୍ୟ ସରକାରଙ୍କର ସମସ୍ତ ବିଭାଗକୁ ଏକାଭିମୁଖୀକରି ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ‘ଗ୍ରାମୋଦୟ’ ଆରମ୍ଭ କରାଯାଇଛି । ଏହି କାର୍ଯ୍ୟକ୍ରମର ମୁଖ୍ୟତଃ ଦୁଇଗୋଟି ଉପାଦାନ ରହିଛି ।

ପ୍ରତିଟି ଗ୍ରାମ/ ଗୋଷ୍ଠୀକୁ ସମସ୍ତ ସରକାରୀ ଯୋଜନାର ଶତପ୍ରତିଶତ ସୁବିଧା ପହଞ୍ଚାଇବା ଏବଂ ପ୍ରତିଟି ହିତାଧିକାରୀ/ ପରିବାରକୁ ସମସ୍ତ ସରକାରୀ ଯୋଜନାର ଶତପ୍ରତିଶତ ସୁବିଧା ପହଞ୍ଚାଇବା ଏହି ଯୋଜନାର ମୂଳ ଉଦ୍ଦେଶ୍ୟ । ରାଜ୍ୟ ସରକାରଙ୍କ ସମସ୍ତ ବିଭାଗକୁ ଏକାଭିମୁଖୀକରି ସେଚୁରେସନ୍‌ ମୋଡ୍‌ରେ ସମସ୍ତ ଯୋଜନାର ଲାଭ ପହଞ୍ଚାଇବା ପାଇଁ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ‘ଗ୍ରାମୋଦୟ’ ଆରମ୍ଭ କରାଯାଇଛି ।

ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ‘ଗ୍ରାମୋଦୟ’ରେ ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ ଏକାଭିମୁଖୀ ହୋଇ ପରିପୂର୍ଣ୍ଣତା ଭିତ୍ତିରେ ଯୋଜନାଗୁଡିକ କାର୍ଯ୍ୟକାରୀ କରିବେ । ଏଥିରେ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ନୋଡ଼ାଲ୍‌ ବିଭାଗ ଭାବରେ କାର୍ଯ୍ୟ କରିବ । ଏହା ଅଧୀନରେ ଗ୍ରାମ/ ଗୋଷ୍ଠୀକୁ ୩୧ଟି ସରକାରୀ ଯୋଜନା ଏବଂ ହିତାଧିକାରୀ/ ପରିବାରକୁ ୪୪ ଟି ସରକାରୀ ଯୋଜନାର ଶତପ୍ରତିଶତ ସୁବିଧା ପହଞ୍ଚାଇବା ପାଇଁ ଲକ୍ଷ୍ୟ ରଖାଯାଇଛି ।

ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ‘ଗ୍ରାମୋଦୟ’କୁ ଅନୁଧ୍ୟାନ କରିବାପାଇଁ ରାଜ୍ୟ, ଜିଲ୍ଲା ଓ ବ୍ଲକ ସ୍ତରରେ ପର୍ଯ୍ୟବେକ୍ଷଣ କମିଟି କାର୍ଯ୍ୟ କରିବ । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ କମିଟିରେ ସମସ୍ତ ବିଭାଗର ଶାସନ ସଚିବ ସଦସ୍ୟ ଭାବରେ ରହିବେ । ଜିଲ୍ଲା ସ୍ତରୀୟ କମିଟିରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଓ ବ୍ଲକ ସ୍ତରୀୟ କମିଟିରେ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଅଧ୍ୟକ୍ଷତାରେ ସମସ୍ତ ବ୍ଲକ ସ୍ତରୀୟ ଅଧିକାରୀଙ୍କ କମିଟି ଦ୍ୱାରା ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ‘ଗ୍ରାମୋଦୟ’ର ପର୍ଯ୍ୟବେକ୍ଷଣ କରାଯିବ ।

ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ‘ଗ୍ରାମୋଦୟ’କୁ କାର୍ଯ୍ୟକାରୀ କରିବାପାଇଁ ତୃଣମୂଳ ସ୍ତରରେ ଜନସମ୍ପର୍କ ଶିବିର, ସଚେତନତା ଅଭିଯାନ, ଗ୍ରାମସଭା, ଅଭିଯୋଗ ଶୁଣାଣି ଆଦିର ବିଶେଷ ବ୍ୟବସ୍ଥା କରାଯାଇଛି । ରାଜ୍ୟର ନକ୍ସଲ ପ୍ରଭାବିତ ଅଞ୍ଚଳଗୁଡିକର ସାମଗ୍ରିକ ବିକାଶ ପାଇଁ ସମସ୍ତ ଗ୍ରାମ ଓ ହିତାଧିକାରୀଙ୍କୁ ସରକାରୀ ଯୋଜନାର ଶତପ୍ରତିଶତ ସୁବିଧା ପହଞ୍ଚାଇବାର ମହତ୍ତର ଲକ୍ଷ୍ୟ ନେଇ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ‘ଗ୍ରାମୋଦୟ’ କାର୍ଯ୍ୟକରିବ ।