Home General କୁକୁଡା ପରିବହନରେ ଆରଏମ୍‍ସି ବାଧକ

କୁକୁଡା ପରିବହନରେ ଆରଏମ୍‍ସି ବାଧକ

ଭୁବନେଶ୍ୱର : ରାଜ୍ୟରେ କୁକୁଡା ବ୍ୟବସାୟରେ ଏବେ ପ୍ରତିବନ୍ଧକ ସାଜିଛନ୍ତି ବିଭିନ୍ନ ସ୍ଥାନରେ ଥିବା ନିୟନ୍ତ୍ରିତ ବଜାର କମିଟି (ଆରଏମସି) । ନିୟମ ନଥିଲେ ମଧ୍ୟରେ କମିଟି ପକ୍ଷରୁ ବିଭିନ୍ନ ସ୍ଥାନରେ କୁକୁଡା ପରିବହନ ଗାଡିକୁ ଅଟକାଇ ଜୋର ଜବରଦସ୍ଥ ଅର୍ଥ ଆଦାୟ କରାଯାଉଛି । ଏ ସଂକ୍ରାନ୍ତରେ କମିଟି ପକ୍ଷରୁ କୌଣସି ନ୍‍ର୍ଦ୍ଦେଶନାମା ଦେଖାଯାଇ ପାରୁନଥିବାବେଳେ କୁକୁଡାଚାଷୀ ମହାସଂଘ ଏ ନେଇ ସମବାୟ ବିଭାଗ ଏବଂ ଅର୍ଥ ବିଭାଗ ଦ୍ୱାରସ୍ଥ ହୋଇଥିବା ଜଣାଯାଇଛି ।

କୁକଡା ଚାଷୀ ମହାସଂଘ ପକ୍ଷରୁ କୁହାଯାଇଛି ଯେ ନିୟମ ଅନୁଯାୟୀ ନିୟନ୍ତ୍ରିତ ବଜାର କମିଟି କୁକୁଡା ପରିବହନ କରୁଥିବା ଗାଡିକୁ ଟିକସ ଆଦାୟ କରିବାକଥା ନୁହେଁ । ପଡୋଶୀ ରାଜ୍ୟଗୁଡିକରେ ମଧ୍ୟ ଏହି ବ୍ୟବସ୍ଥା ଉଚ୍ଛେଦ ହୋଇଛି । ଇତି ମଧ୍ୟରେ ରାଜ୍ୟ ସରକାର ମଧ୍ୟ ଟୋଲଗେଟ୍‍ ଉଚ୍ଛେଦ କରିଛନ୍ତି । ହେଲେ ନିୟନ୍ତ୍ରିତ ବଜାର କମିଟି କର୍ତ୍ତୃପକ୍ଷ ଏହାକୁ ମାନିବାକୁ ନାରାଜ । ମନଇଚ୍ଛା କୁକୁଡାଗାଡିକୁ ଅଟକାଇ ଅର୍ଥ ଦାବି କରୁଛନ୍ତି ।

ରାଜ୍ୟର ବିଭିନ୍ନ ସ୍ଥାନରେ କୁକୁଡା ପରିବହନ ଗାଡିଗୁଡିକୁ ଅଟକାଇ ରସିଦ୍‍ କାଟି ଟିକସ ଆଦାୟ କରୁଛନ୍ତି । ଯେଉଁ ଗାଡିଗୁଡିକ ପ୍ରଶ୍ନ କରୁଛନ୍ତି ସେମାନଙ୍କୁ ଆଇନ୍‍ କାନୁନ୍‍ର ପାଠ ପଢାଇବା ସହିତ ଗାଡିଗୁଡିକୁ ଘଣ୍ଟା ଘଣ୍ଟା ଧରି ଅଟକ ରଖୁଛନ୍ତି । ଫଳରେ କୁକୁଡା ପରିବହନ କରୁଥିବା ସଂସ୍ଥା ଓ ବ୍ୟବସାୟୀ ବିପୁଳ କ୍ଷତିର ସମ୍ମୁଖୀନ ହେଉଛନ୍ତି । ଖୋଦ୍‍ ରାଜଧାନୀ ଓ ଏହାର ଆଖପାଖରେ ଏଭଳି ବେଆଇନ୍‍ ଟିକସ ଆଦାୟ ହେଉଥିବେଳେ କୁକୁଡାଚାଷୀ ମହାସଂଘ ଦୃଢ ପ୍ରତିବାଦ କରିବା ସହିତ ଥାନାଫାଣ୍ଡିରେ ମାମଲା ହେବା ପରେ ଆରଏମସି କର୍ତ୍ତୃପକ୍ଷ ଆଉ ଅର୍ଥ ଆଦାୟ କରୁନାହାନ୍ତି ।

ହେଲେ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ଆରଏମ୍‍ସିଗୁଡିକ କିନ୍ତୁ ଏହାକୁ ମାନିବାକୁ ନାରାଜ ଥିବା କହିଛନ୍ତି କୁକୁଡାଚାଷୀ ମହାସଂଘର ସଭାପତି ଜ୍ୟୋତିକାନ୍ତ ମହାପାତ୍ର । ସେ କହିଛନ୍ତି ମହାସଂଘ ପକ୍ଷରୁ ଗତ ଚାରିବର୍ଷ ଧରି ଏ ସଂକ୍ରାନ୍ତରେ ପ୍ରାଣୀସମ୍ପଦ ନିର୍ଦ୍ଦେଶାଳୟ, ଅର୍ଥ ବିଭାଗ, ଓସମା ବୋର୍ଡର ପରିଚାଳନା ନିର୍ଦ୍ଦେଶକ ଆଦିଙ୍କ ଦ୍ୱାରସ୍ଥ ହେବା ସହିତ ବିସ୍ତୃତ ଭାବେ ଏ ସଂକ୍ରାନ୍ତରେ ଅବଗତ କରାଯାଇଛି । ହେଲେ ବିଭାଗ ମଧ୍ୟରେ ସମନ୍ୱୟ ନଥିବାରୁ ଚାରିବର୍ଷ ଧରି ଫାଇଲ୍‍ ଉପରତଳ ହେବାରେ ଲାଗିଛି ।

ଓଡିଶା ଭିତରେ କୁକୁଡାପରିବହନ କରୁଥିବା ବ୍ୟବସାୟୀ ଓ ଗାଡିଚାଳକମାନେ ଆରଏମସି କର୍ତ୍ତୃପକ୍ଷଙ୍କ ଦ୍ୱାରା ହଇରାଣ ହରକତ ହେଉଥିବାବେଳେ ରାଜ୍ୟ ବାହାରକୁ କୁକୁଡା ପରିବହନ କ୍ଷେତ୍ରରେ ମଧ୍ୟ ଆରଏମସି କର୍ତ୍ତୃପକ୍ଷ ବାଧକ ସାଜୁଛନ୍ତି । ଅଧିକାଂଶ ସ୍ଥାନରେ ବିଳମ୍ବିତ ରାତ୍ରୀ କିମ୍ବା ପାହାନ୍ତା ପ୍ରହରରେ କୁକୁଡାଗାଡି ଗୁଡିକୁ ଅଟକାଯାଉଥିବାବେଳେ ସେହି ସମୟରେ ପୁଲିସ୍‍କୁ ଡାକି ମୁକୁଳିବା କିମ୍ବା ଆରଏମ୍‍ସି କର୍ତ୍ତୃପକ୍ଷଙ୍କ ସହିତ ଯୁକ୍ତିତର୍କ କରି ସମୟ ଅପଚୟ କରିବା ବଦଳରେ ଗାଡିଚାଳକମାନେ ହାତଗୁଞ୍ଜା ଦେଇ ଯା ଆସ କରୁଛନ୍ତି ।

ତେଣୁ ରାଜ୍ୟ ସରକାର ତୁରନ୍ତ ଏଥିରେ ହସ୍ତକ୍ଷେପ କରି ଆରଏମସି କୁକୁଡା ପରିବହନଯାନ ଉପରୁ ଟିକସ ଆଦାୟ କରିପାରିବ କି ନାହିଁ ସେ ସଂକ୍ରାନ୍ତରେ ବିଜ୍ଞପ୍ତି ଜାରି କରିବାକୁ କୁକୁଡାଚାଷୀ ମହାସଂଘ ପକ୍ଷରୁ ଦାବି କରାଯାଇଛି । (ତଥ୍ୟ)