Home General ଟେଣ୍ଡର ପାଇଁ ନିମ୍ନମାନର ଭୋଗ

ଟେଣ୍ଡର ପାଇଁ ନିମ୍ନମାନର ଭୋଗ

ଭୁବନେଶ୍ୱର : ଦେବାଳୟଗୁଡିକରେ ଘିଅର ମାନକୁ ନେଇ ଆପତ୍ତି ଉଠିବାପରେ ଏହାର ମାନ ଯାଞ୍ଚ ହେଉଥିବାବେଳେ ମନ୍ଦିରରେ ମିଳୁଥିବା ଭୋଗର ମାନ ଯାଞ୍ଚ ପାଇଁ ଦାବି ଉଠିଲାଣି । ଦେବତ୍ତୋର ସଂସ୍ଥା ଅଧିନରେ ଥିବା ବିଭିନ୍ନ ମନ୍ଦିରରେ ମିଳୁଥିବା ଭୋଗ ଅତ୍ୟନ୍ତ ନିମ୍ନମାନର ଘିଅ ଓ ଅନ୍ୟାନ୍ୟ ସାମଗ୍ରୀରେ ପ୍ରସ୍ତୁତ ହେଉଥିବା ଅଭିଯୋଗ ଆସୁଛି ।

ଦେବତ୍ତୋର ସଂସ୍ଥା ଅଧିନରେ ଥିବା ମନ୍ଦିରଗୁଡିକରେ ଥିବା ଭୋଗ ଓ ଦୀପ ଦୋକାନଗୁଡିକୁ ସରକାର ନିଲାମ କରିଥାନ୍ତି । ଗୋଟିଏ ଗୋଟିଏ ଭୋଗ ଦୋକାନ ୧୫ ରୁ ୨୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦରରେ ନିଲାମ ହୋଇଥାଏ । ପ୍ରତିଯୋଗିତା ଭିତ୍ତିରେ ବଢି ଦୋକାନୀମାନେ ନିଲାମ ଧରିଥାନ୍ତି । ତେବେ ନିଲାମ କରି ସରକାର କୋଟି କୋଟି ଟଙ୍କାର ରାଜସ୍ୱ ପାଉଥିବାବେଳେ ଏହି ଭୋଗଦୋକାନୀମାନେ ବର୍ଷ ସାରା ଭକ୍ତଙ୍କୁ କେଉଁ ମାନର ଓ କେଉଁ ପରିମାଣର ଭୋଗ ବିକ୍ରି କରୁଛନ୍ତି ସେଥିପ୍ରତି କେହି ଦୃଷ୍ଟି ଦେଇନଥାନ୍ତି । ଯେହେତୁ ବାହାରୁ ଭୋଗ ଆଣି ମନ୍ଦିରରେ ଭୋଗ କରିବାର ଅନୁମତି ଅଧିକାଂଶ ସ୍ଥାନରେ ନାହିଁ ତେଣୁ ଭକ୍ତମାନେ ବାଧ୍ୟହୋଇ ମନ୍ଦିର ଭିତରେ ଥିବା ଦୋକାନରୁ ହିଁ ଭୋଗ କିଣିଥାନ୍ତି ।

ମନ୍ଦିରଗୁଡିକରେ ଥିବା ଭୋଗଦୋକାନରେ ସାଧାରଣତଃ ଲଡୁ, ଗଜା, ଫେଣି, ଉଖୁଡା ଆଦି ଶୁଖିଲିଭୋଗ ଭାବେ ବିକ୍ରି ହୋଇଥାଏ । ଏଗୁଡିକ ପ୍ରସ୍ତୁତ ପାଇଁ ଘିଅ କିମ୍ବା ତେଲ ବ୍ୟବହାର ହୋଇଥାଏ । ତେବେ ଏହି ଭୋଗ ପ୍ରସ୍ତୁତ ପାଇଁ କେଉଁ ମାନର ଘିଅ କିମ୍ବା ତେଲ ବ୍ୟବହାର ହେଉଛି ଏବଂ କେଉଁଭଳି ପରିବେଶରେ ଏହା ପ୍ରସ୍ତୁତ ହେଉଛି ତାହାର ତଦାରଖ ସରକାର କିମ୍ବା ଖାଦ୍ୟ ସୁରକ୍ଷା ଅଧିକାରୀ କେହିହେଲେ ଯାଞ୍ଚ କରିଥିବାର ନଜିର ନାହିଁ । ଏ ସଂକ୍ରାନ୍ତରେ ଭକ୍ତ, ସେବାୟତ କିମ୍ବା ଅନ୍ୟମାନଙ୍କର ଜାଣିବାର ବି ଅବକାଶ ନାହିଁ ।

ତେବେ ଭକ୍ତମାନେ ଯେତେବେଳେ ଭୋଗର ପରିମାଣ ନେଇ ଅଭିଯୋଗ କରିଥାନ୍ତି ସେତେବେଳେ ଦେକାନୀମାନେ ଅଧିକ ଦରରେ ଟେଣ୍ଡର ଧରିଥିବାରୁ କେଉଁଠୁ ଆଣି ଦେବେ ବୋଲି ବୋଲି ସଫେଇଥାନ୍ତି । ଭକ୍ତମାନେ ବି ମନ୍ଦିର ଭିତରେ ଏହାକୁ ନେଇ ସେଭଳି ବିଶେଷ ଅଭିଯୋଗ କରନ୍ତି ନାହିଁ ।

ବର୍ତ୍ତମାନ ସାରା ରାଜ୍ୟରେ ଗୋଟିଏ ପରେ ଗୋଟିଏ ମନ୍ଦିରରେ ନୀତିକାନ୍ତିରେ ବ୍ୟବହାର ହେଉଥିବା ଘିଅକୁ ନେଇ ଅଭିଯୋଗ ଉଠିବାପରେ ଖାଦ୍ୟ ନିରାପତ୍ତା ଅଧିକାରୀମାନେ ଯାଞ୍ଚ ଜାରି ରଖିଛନ୍ତି । ଅନୁରୂପ ଭାବେ ମନ୍ଦିରରେ ମିଳୁଥିବା ଭୋଗର ଯାଞ୍ଚ ପାଇଁ ଦାବି ହେଉଛି । କାରଣ ନୀତିକାନ୍ତିରେ ଲାଗୁଥିବା ଭୋଗକୁ ଯେତିକି ଭକ୍ତ ସେବନ କରୁଛନ୍ତି ତାହାଠାରୁ ଅଧିକ ଭକ୍ତ ବିକ୍ରି ହେଉଥିବା ଶୁଖିଲା ଭୋଗ ଖାଇବା ସହିତ ଦୂର ଦୂରାନ୍ତକୁ ନେଇଥାନ୍ତି ।

କେବଳ ଭୋଗ ନୁହେଁ, ମନ୍ଦିରରେ ନିଲାମରେ ଦିଆଯାଇଥିବାଦୀପ ଦୋକାନଗୁଡିକ ମଧ୍ୟ ଅତ୍ୟନ୍ତ ନିମ୍ନମାନର ଘିଅକୁ ଦୀପରେ ରଖିଥାନ୍ତି । ଏହାର ପ୍ରମୁଖ କାରଣ ହେଉଛି ଏହି ଦୋକାନୀମାନେ ପ୍ରତିଯୋଗିତା ଭିତ୍ତିରେ ମୋଟା ଅଙ୍କର ଅର୍ଥ ଦେଇ ଟେଣ୍ଡର ଆକାରରେ ଦୋକାନକୁ ନିଲାମ ଧରିଥାନ୍ତି । ତେଣୁ ଦେବତ୍ତୋର ବିଭାଗ ଭୋଗ ଓ ଦୀପ ଦୋକାନଗୁଡିକ ନିଲାମ କରିବା ସମୟରେ ମନ୍ଦିରକୁ ଆସୁଥିବା ଭକ୍ତ ଓ ଭୋଗ ବିକ୍ରିର ଆକଳନ କରିବା ପାଇଁ ମତ ପ୍ରକାଶ ପାଉଛି । ନଚେତ ଖୋଲା ନିଲାମରେ ଅଧିକ ଦରରେ ଦୋକାନ ନେଉଥିବା ବ୍ୟବସାୟୀମାନେ ବାଧ୍ୟହୋଇ ନିମ୍ନମାନର ଭୋଗ ପ୍ରସ୍ତୁତ ସହିତ ଅପମିଶ୍ରିତ ଘିଅରେ ଦୀପ ଦେବାକୁ ବାଧ୍ୟ ହେବେ । (ତଥ୍ୟ)